ନୀଳାମ୍ବର ଯେଉଁ ଦିନ ଖବର ପାଇଲେ ସେ ପୀତାମ୍ବର ତାଙ୍କରି ଜିଲ୍ଲାର ଜିଲ୍ଳାପାଳ ହୋଇ ଆସୁଛନ୍ତି ସେ ତାଙ୍କର ହୃଦୟ ଭିତରେ ଏକ ନୂତନ ଉଚ୍ଛ୍ବାସ ଜାତ ହୋଇଥିଲା।ଏଥରକ ବନ୍ଧୁ ମିଳନର ସୁଯୋଗ ମିଳିବ।ମନଖୋଲା ଭାବ ବିନିମୟ ହେବ।ତାର ସ୍ତ୍ରୀକୁ ଦେଖିବେ।ପ୍ରଥମ ଦେଖା ବୋଲି କଣ ଉପହାର ଦେବେ ଇତ୍ୟାଦି ନାନା ପ୍ରକାର ଚିନ୍ତା ଭାବନା,କଳ୍ପନାରେ ନୀଳାମ୍ବର ଦିନ କାଟିଲେ ଏବଂ ସତକୁ ସତ ଦିନେ ଛୁଟି ନେଇ ସେ ଜିଲ୍ଳାର ସଦର ମହକୁମାରେ ପହଞ୍ଚିଗଲେ।
“ସମୁଦୁଣୀ,ମିଲିର ଫଟୋ ଦେଖିବ?”ନୀଳିମା ସୁମିତ୍ରାଙ୍କ ଉତ୍ତରକୁ ଅପେକ୍ଷା ନକରି ସ୍ବାମୀଙ୍କର ପୋର୍ଟଫୋଲିଓ ବ୍ୟାଗ୍ ଭିତରୁ ଗୋଟିଏ ଛୋଟ ଆଲ୍ବମ୍ ବାହାର କରି ଆସିଲେ।ସମଗ୍ର ଆଲ୍ବମ୍ଟି କେବଳ ମିଲିର ବିଭିନ୍ନ ବୟସରେ, ଭିନ୍ନ ଭିନ୍ନ ଭଙ୍ଗୀରେ,ବହୁ ଡିଜାଇନ୍ର ପୋଷାକରେ ଉଠିଥିବା ଫଟୋରେ ପୂର୍ଣ୍ଣ ଥିଲା।ନୀଳିମା କହି ଚାଲିଥିଲେ,“ଏଇ ଫଟୋଟି ଡେରାଡୁନ୍ରେ ଇୟେ ଉଠେଇ ଥିଲେ।ଏଇଟା ସିମ୍ଲାରେ ବଡ଼ ପୁଅ ଉଠାଇଥିଲା ଇତ୍ୟାଦି।”
ଜିଲ୍ଲାପାଳଙ୍କର ପ୍ରକାଣ୍ଡ ଭିତରକୁ ପଶିବା ବେଳେ ନୀଳାମ୍ବରଙ୍କୁ ଟିକିଏ ବି ସଂକୋଚ ଲାଗିଲା ନାହିଁ।ପହରାଦାର ପୋଲିସ୍କୁ ସେ ପଚାରିଲେ,“ପୀତାମ୍ବର ଅଛି?ତୁମର ଡି.ଏମ୍ ସାହେବ ହୋ। ଅଛି ନା।”ସିଧା ସିଧା ନୀଳାମ୍ବର ବଂଲୋର ପ୍ରଶସ୍ତ ବାରଣ୍ଡା ଉପରକୁ ଉଠିଗଲେ।ବାହାର ବାରଣ୍ଡାରେ ଅନେକ ଗୁଡ଼ିଏ ବେତ ଚଉକି ପଡ଼ିଥିଲା।ସେଠାରେ ଜଣେ ଦୁଇଜଣ ଅପେକ୍ଷା କରିଥିଲେ।ନୀଳାମ୍ବର ସେମାନଙ୍କୁ ପୁଣି ପଚାରିଲା।‘ପୀତାମ୍ବର ଅଛି?ଅପେକ୍ଷାରତ ବ୍ୟକ୍ତିଙ୍କ ଭିତରୁ ଜଣେ ଉତ୍ତର ଦେଲା,ଅଛନ୍ତି।’
“କେଉଁଠି ଅଛି?ମୁଁ ଟିକିଏ ଦେଖା କରିବାକୁ ଚାହେଁ।ଡି.ଏମ୍ ସାହେବଙ୍କ କୋଠିର ନିୟମ,ଅଫିସ୍ ସଂକ୍ରାନ୍ତୀୟ କାମରେ ଆସିଥିବା ବ୍ୟକ୍ତିମାନଙ୍କୁ ପି.ଏଙ୍କ ମାଧ୍ୟମରେ ଦେଖା କରିବାକୁ ହେବ।ତେଣୁ ସେମାନେ ପି.ଏ ଆସିବା ପର୍ଯ୍ୟନ୍ତ ବାହାର ଘରେ ଅପେକ୍ଷା କରନ୍ତି।ଆତ୍ମୀୟ ସ୍ବଜନ ବା କେହି ଅତ୍ୟନ୍ତ ବ୍ୟକ୍ତିଗତ ବ୍ୟାପାରରେ ଆସିଥିଲେ ନିଜେ କଲିଂ ବେଲ୍ରେ ଭିତର ସହିତ ସଂଯୋଗ ସ୍ଥାପନ କରିପାରନ୍ତି।
ଭଦ୍ରବ୍ୟକ୍ତି ନୀଳାମ୍ବରକୁ ଡ଼ି.ଏମ୍ ସାହେବଙ୍କର ଆତ୍ମୀୟ ସ୍ବଜନ ମନେକରି କଲିଂ ବେଲ୍ ବଜାଇବାକୁ ନିର୍ଦ୍ଦେଶ ଦେଲେ। କଲିଂ ବେଲ୍ ବାଜିବାର କେତୋଟି ମୁହୂର୍ତ୍ତ ପରେ ଗୋଟିଏ ଦ୍ବାର ଖୋଲିଲା ଏବଂ ଭିତରୁ ଚପରାସି ବାହାରି ଆସିଲା।
“ପୀତାମ୍ବର ଅଛି ନାଁ?’’
“ଅଛନ୍ତି ଆସନ୍ତୁ,କହି ଚପରାସି ନୀଳାମ୍ବରକୁ ଘର ଭିତରକୁ ଡ଼ାକି ଦେଲା।
ପୀତାମ୍ବର କହିଲେ,ନିଲି,ସମୁଦୁଣୀଙ୍କୁ ମିଲିର ଆର ଆଲ୍ବମ୍ଟା ଦେଖାଅ।ମିଲିର ଫଟୋଗ୍ରାଫି ହେଉଛି ହବି।କେତେ ପ୍ରକାର ଫଟୋ ସେ ଉଠାଇଛି ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବ।ପ୍ରତି ବର୍ଷ ତାର ଦଶବାରଟା ଆଲବମ୍ ଫଟୋରେ ପୂର୍ଣ୍ଣ ହୋଇ ଯାଉଛି।ଆମ ମିଲିର ଇଚ୍ଛା ସେ ଫିଲମ୍ ଡାଇରେକ୍ଟର ହେବ।ବୁଝିଲୁ ନୀଳାମ୍ବର,ପୁଅ ଝିଅମାନେ ଚାହାନ୍ତି ଫିଲ୍ମ୍ରେ ହିରୋ,ହିରୋଇନ୍ ହେବେ।କିନ୍ତୁ ମିଲିର ରୁଚି ଅଲଗା।ସେ ଚାହେଁ ପୃଥିବୀ ପ୍ରସିଦ୍ଧ ଡାଇରେକ୍ଟର ହେବ।”
ନୀଳାମ୍ବର ଘର ଭିତରକୁ ପ୍ରବେଶ କଲେ।ବିରାଟ ଡ୍ରଇଁ ରୁମ୍।ସୁନ୍ଦର ପରିଚ୍ଛନ୍ନ,ସୁସଜ୍ଜିତ ଡ୍ରଇଂ ରୁମ୍ରୁ ହିଁ ଡି. ଏମ୍ ସାହେବଙ୍କର ଆଭିଜାତ୍ୟର କଳ୍ପନା କରିହୁଏ।ଏତେ ସୁନ୍ଦର ଡ୍ରଇଁ ରୁମ୍ ନୀଳାମ୍ବର ଆଗରୁ କେବେ ଦେଖି ନଥିଲେ। ଚପରାସି ତାଙ୍କୁ ସେଠାରେ ବସିବାକୁ କହି ପଚାରିଲା,“ଆପଣଙ୍କର ନାଁ?”
ନୀଳାମ୍ବର ପୀତାମ୍ବରର ଐଶ୍ବର୍ଯ୍ୟ ଓ ସୌଭାଗ୍ୟର ବିଚ୍ଛୁରଣ ଭିତରେ ଅଭିଭୂତ ହୋଇ ପଡ଼ିଥିଲେ।ସେ ସୋଫା ଉପରେ ବସି ପଡ଼ୁ ପଡ଼ୁ କହିଲେ,‘କୁହ ନୀଳାମ୍ବର ଆସିଛି।’
ଚପରାସୀ ଖବର ନେଇ ଭିତରକୁ ଚାଲିଗଲେ।
ନୀଳିମା କହିଲେ,‘ବୁଝିଲ ସମୁଦୁଣୀ,ତୁମ ସମୁଦୀଙ୍କୁ ମୁଁ ଜବରଦସ୍ତ ଧରି ଆଣିଚି।ତାଙ୍କର ତ ଖାଲି କାମ,କାମ,କାମ। ଝିଅ ବାହା ନହେଉ।ମନ୍ତ୍ରୀଙ୍କର ବରାଦ ଆଗ ପୂର୍ଣ୍ଣ ହେବା ଦରକାର।ମୁଁ କହିଲି ନୀଳାମ୍ବର ବାବୁଙ୍କ ସହିତ ଆଗ ଦେଖାକର।ତାଙ୍କ ପୁଅ ଆଇ.ଏ.ଏସ୍ ପାଇଛି।ଖବର ପାଇବାମାତ୍ରେ କେତେ କିଏ ଯାଇ ପହଞ୍ଚିଯିବେଣି।ତୁମେ ପଛରେ ଗଲାବେଳକୁ ବାହାଘର ସରି ଯାଇଥିବ।ମୋ କଥା ଶୁଣି ସେ ଠୋ ଠୋ ହୋଇ ହସିଲେ।କହିଲେ,“ନୀଳାମ୍ବର ମତେ ନ ପଚାରି ତାର ପୁଅର ବାହାଘର କରିବ,ମୁଁ ଏ କଥା ଭାବିବି କାହିଁକି?ଯେଉଁ ଦିନଠାରୁ ତାର ମୋର ସମୁଦୀ ହୋଇଛୁ, ସେହି ଦିନଠାରୁ ତା ପୁଅ ମୋର ଜ୍ବାଇଁ ଏବଂ ମୋର ଝିଅ ତାର ବୋହୁ ହୋଇ ସାରିଛି।”
ଅଳ୍ପ ସମୟ ଭିତରେ ଚପରାସି ଘର ଭିତରୁ ଫେରି ଆସିଲା।ହାତରେ ଖଣ୍ଡିଏ କାଗଜ।କହିଲା,“ଟିକିଏ ଲେଖି ଦିଅନ୍ତୁ।”ନୀଳାମ୍ବର କାଗଜଟିକୁ ହାତକୁ ନେଲେ।ଭିଜିଟର୍ ମାନଙ୍କ ପାଇଁ ଉଦ୍ଦିଷ୍ଟ ଛାପା ଫର୍ମ-ତାରିଖ,ପୂର୍ଣ୍ଣନାମ, ଠିକଣା,ଦେଖା କରିବା ଉଦ୍ଦେଶ୍ୟ,ଦସ୍ତଖତ।ନୀଳାମ୍ବର ଫର୍ମଟିକୁ ପୂର୍ଣ୍ଣ କରିଦେଲେ।ଦେଖା କରିବାର ଉଦ୍ଦେଶ୍ୟ ସ୍ଥାନରେ ଲେଖିଲେ“ଅବିସ୍ମରଣୀୟ ଅତୀତର ପୁନରୁଦ୍ଧାର।”
ନୀଳିମା କହିଲେ,ଗଲାବର୍ଷ ମିଲିର ବାହାଘର କରିଦେବାକୁ ମୋର ମନଥିଲା।ତାଙ୍କ ସାଙ୍ଗରେ ପଢ଼ୁଥିଲେ ନରହରି ଭୂୟାଁ,ନାଗାଲାଣ୍ଡରେ ବର୍ତ୍ତମାନ ଆଇ.ଜି ଅଛନ୍ତି।ତାଙ୍କ ପୁଅ ଗଲାବର୍ଷ ଆଇ.ପି.ଏସ୍ ପାଇଲା।ସେ ଭାରୀ ଲଗେଇଥିଲେ। କିନ୍ତୁ ଇଏ ନାହିଁ କରିଦେଲେ।ତାଙ୍କ ମନରେ ତାଙ୍କ ସମୁଦୀଙ୍କ କଥା ଅଛି।ମୁଁ ଜାଣିବି କିପରି।ମୋର ବି ମନରେ ଟିକିଏ ଅନିଚ୍ଛା ଥିଲା।ଯାହା ହେଲେ ବି ତ ଭୂୟାଁ ଆଇ.ପି.ଏସ୍ ପାଇଲେ ବୋଲି କଣ ପଟ୍ଟନାୟକ ନା ମହାନ୍ତି ହୋଇଗଲେକି।”
କିଛି ସମୟ ପରେ ପୁଣି ଚପରାଶି ଫେରି ଆସିଲା।ନୀଳାମ୍ବରଙ୍କୁ ହତ ଚକିତ କରି କହିଲା“ଆଜ୍ଞା,ଆପଣ ଅଳ୍ପ ଟିକିଏ ବାହାରେ ଅପେକ୍ଷା କରି ଥାଆନ୍ତୁ।”
ନୀଳାମ୍ବରଙ୍କ ମୁହଁରୁ ପ୍ରଥମେ କଥା ବାହାରିଲା ନାହିଁ।ସେ ଟିକିଏ ଆତ୍ମସ୍ଥ ହୋଇ କହିଲେ“ମୋର ଅଳ୍ପ ଟିକିଏ ଦେଖା ହୋଇଥିଲେ ମୁଁ ଚାଲି ଯାଇଥାନ୍ତି।”
ଚପରାସି କହିଲା“ଆପଣ ସେଠାରେ ଅପେକ୍ଷା କରି ଥା’ନ୍ତୁ।ସାହେବ ବାଥ୍ରୁମ୍କୁ ଯାଇଛନ୍ତି।”
ନୀଳାମ୍ବର ଡ୍ରଇଂରୁମ୍ରୁ ବାହାରି ଆସି ବାରଣ୍ଡାରେ ପଡ଼ିଥିବା ବେତ ଚଉକି ଉପରେ ବସିଲେ।ଡ୍ରଇଂ ରୁମ୍ର ଦ୍ବାର ରୁଦ୍ଧ ହୋଇଗଲା।ନୀଳାମ୍ବର ମୁଣ୍ଡ ଭିତରଟା ପଙ୍ଖା ପରି ଖାଲି ଘୁରୁଥିଲା।କିଛି ଚିନ୍ତା ଭାବନା ତାଙ୍କ ମନକୁ ଆସୁନଥିଲା।ସେ ମୂର୍ଚ୍ଛିତ ହେବାପରି ଚଉକିରେ ବସି ରହିଲେ।
ପୀତାମ୍ବର କହିଲେ“ସଂଜୀବ ଏଇକ୍ଷଣି ପାଟନାରେ ଅଛି ନା?ସାଧାରଣ ଅଧ୍ୟାପକ ଚାକିରୀ କରିବାକୁ ସେ ପାଟନା ଯାଇ ନଥିଲା।ବୁଝିଲ ନୀଲି,ସେ ଚାଲାକ୍ ପିଲା।ଓଡ଼ିଶାରେ ରହି କଣ ଆଇ.ଏ.ଏସ୍ ପାଇଁ ପ୍ରିପାରେସନ୍ କରିହୁଏ।ମୁଁ କେତେ କଷ୍ଟ କରିଛି ଓଡ଼ିଶାରେ ରହି ପ୍ରିପେୟାର କରିବାକୁ!ମୁଁ ଜାଣେ ସେଥିପାଇଁ ହିଁ ସଂଜୀବ ପାଟନାରେ ଚାକିରୀ ନେଇଥିଲା।”
ନୀଳାମ୍ବର ବାରଣ୍ଡାରେ ଆଖି ବୁଜି ବେତ ଚଉକି ଉପରେ ପଡ଼ି ରହିଥିଲେ।ଏହା ଭିତରେ ଆହୁରି କେତେ ଜଣ ଆସି ସେଠାରେ ମଧ୍ୟ ଅପେକ୍ଷା କରୁଥିଲେ।ପ୍ରାୟ ଅଧ ଘଣ୍ଟାଏ ପରେ ପି.ଏ.ଆସି କହିଲେ,ସାହେବ ଜରୁରୀ କାମରେ ବର୍ତ୍ତମାନ ବାହାରକୁ ଚାଲିଯିବେ।ଆଜି ଆଉ ଦେଖା ହୋଇ ପାରିବ ନାହିଁ।ଆପଣମାନେ ଯାଆନ୍ତୁ।ସମସ୍ତେ ଉଠି ଠିଆ ହେଲେ।
ନୀଳାମ୍ବର ତଥାପି କହିଲେ,ମୋର ଅଳ୍ପ ଟିକିଏ ଦେଖା ହୋଇଥିଲେ ମୁଁ ଚାଲି ଯାଇଥାନ୍ତି।
ପି.ଏ କହିଲେ,‘ଆଜି ଆଉ ଦେଖା ହୋଇପାରିବ ନାହିଁ।‘ସାହେବ ବର୍ତ୍ତମାନ ବାହାରି ଯିବେ’
ଇତିମଧ୍ୟରେ ଡ୍ରାଇଭର୍ ଗାଡ଼ି ନେଇ ପୋର୍ଟିକରେ ଅପେକ୍ଷା କରିଥିଲା।
ନୀଳାମ୍ବର ପାହାଚତଳକୁ ଓହ୍ଲାଇଗଲେ ଅନ୍ୟମାନଙ୍କ ପଛରେ।ଏବଂ ତାପରେ କ୍ଷିପ୍ର ପଦକ୍ଷେପରେ ବାହାରକୁ ବାହାରି ଗଲେ।
“ତୁମେ ତ କଣ କିଛି କହୁନା ସମୁଦୀ।ବାହାଘର ଜୁନ୍ ୧୬ ତାରିଖରେ କରିବ ତ?ମୋ ମତରେ ବାହାଘର ତ ଯେତେବେଳେ ହେଲେ ହେବାକଥା।ଆଗରୁ ହେଲେ ଭଲ।ବିଳମ୍ବ କରିବା କାହିଁକି?”
ନୀଳାମ୍ବର ଭାବୁଥିଲେ କି ଉତ୍ତର ଦେବେ?ସେଦିନ ଭାଗବତ ବାବୁଙ୍କୁ ମଧ୍ୟ ସେ କିଛି ଉତ୍ତରଦେଇ ପାରି ନଥିଲେ।
“ପୀତାମ୍ବର ବାବୁଙ୍କ ସହିତ ଦେଖା ହେଲା।”ଭାଗବତବାବୁଙ୍କର ଏଇ ସାମାନ୍ୟ ପ୍ରଶ୍ନର ଉତ୍ତର କେତେ କଠିନ ହୋଇ ପଡ଼ିଥିଲା ସେଦିନ!ଭାଗବତବାବୁ ସବୁଦିନ ପରି ସେ ଦିନ ମଧ୍ୟ ବ୍ୟଙ୍ଗଭରା ମୁଚୁକି ହସ ହସିଥିଲେ।
ନୀଳାମ୍ବର ନୀଳିମାଙ୍କର ପ୍ରଶ୍ନର କି ଉତ୍ତର ଦେବେ,ଠିକ୍ କରି ପାରୁନଥିଲେ।
ସେ କଣ କହିବେ,ପୀତାମ୍ବର,ତୁମେ ବାରମାସୀ ପକ୍ଷୀପରି ରଙ୍ଗ ବଦଳାଇ ପାର।ଆଉ ସେଇ ରଙ୍ଗରେ ମନକୁ ମୁଗ୍ଧ କରିଦେଇପାର।କିନ୍ତୁ ମୁଁ ତୁମକଥାରେ ଆଜି ଆଉ ଆତ୍ମହରା ହୋଇ ପାରୁନି।କାରଣ ୧୬ ବର୍ଷ ତଳର ସେଇ ଦିନଟିର ନିଦାରୁଣ ଅପମାନର ଜ୍ବାଳା ଏବେ ମଧ୍ୟ ମୋ ଅନ୍ତରକୁ ପ୍ରମଥିତ କରୁଚି।ଏ ବାହାଘର ଅସମ୍ଭବ।ତୁମେ ଫେରିଯାଅ।”
ସେ କଣ କହିବେ,ପୀତାମ୍ବର ମୁଁ ତୁମକୁ ଚିହ୍ନିଲି।ତୁମ ବନ୍ଧୁତା ତଳେ କେବଳ ସ୍ବାର୍ଥ ରହିଛି।କିନ୍ତୁ ମୋ ବନ୍ଧୁତା ଖାଣ୍ଟି। ମୁଁ ଅଯାଚିତ ଭାବରେ ସେ ଦିନର ଅପମାନ ପାଇଁ ତୁମକୁ କ୍ଷମା ଦେଇଛି।ତୁମ ଝିଅ ମିଲି ସହିତ ମୋ ପୁଅ ସଂଜୀବର ବାହାଘର ହେବ।ମୁଁ ଜାଣେ ତୁମର ଏ ନୂଆ ସଂପର୍କ ମୋ ସହିତ ନୁହେଁ।ମୋ ପୁଅ ସଂଜୀବ କୁମାର ମହାନ୍ତି, ଆଇ.ଏ.ଏସ୍ ସହିତ ହେବ।ତାହାହିଁ ହେଉ।ମୁଁ ସାମାନ୍ୟତାକୁ ଧରି ରହିବାକୁ ଚାହେଁ ନା।”
ସେ କଣ କହିବେ,“ପୀତାମ୍ବର ଆଜିକାଲିର ପୁଅ ଝିଅମାନେ ନିଜପାଇଁ ନିଜେ ପସନ୍ଦ କରୁଛନ୍ତି।ମିଲିକୁ ବୋହୁ କରି ନେବାକୁ ମୋର ଆପତ୍ତି ନାହିଁ।ତଥାପି ମତେ ସଂଜୀବର ମତାମତ ନେବାକୁ ହେବ।”
ସେ କଣ କହିବେ,“ପୀତାମ୍ବର,ସଂଜୀବ ଚିଠି ଲେଖିଛି,ସେ ଆଇ.ଏ.ଏସ୍ ପରୀକ୍ଷା ଦେଇଥିଲା ଗୋଟାଏ ସଉକିରେ, ତାର ସେଥିରେ ଯୋଗ ଦେବାର ଆଦୌ ଇଚ୍ଛା ନୁହେଁ।ସେ ଅଧ୍ୟାପକ ହିଁ ରହିବ।ରିସର୍ଚ କରିବ।ଅଧ୍ୟୟନ ଓ ଅଧ୍ୟାପନାକୁ ହିଁ ସେ ପସନ୍ଦ କରେ।ଅର୍ଥ,କ୍ଷମତା ଓ ପଦମର୍ଯ୍ୟାଦା ପାଇଁ ଆଦର୍ଶଚ୍ୟୁତ ଦେବାକୁ ଚାହେଁନା।ସେ ମୋର ପରାମର୍ଶର ପ୍ରତୀକ୍ଷା କରୁଛି।ଏବଂ ମୁଁ ଯଦି ତା ସହିତ ଏକମତ ହୁଏ,ମିଲିର ବାହାଘର ଜଣେ ସାଧାରଣ ଅଧ୍ୟାପକ ସହିତ କରିବାକୁ କଣ ତୁମେ ପ୍ରସ୍ତୁତ ପୀତାମ୍ବର?”
୮।୩।୭୬
ଭୁବନେଶ୍ବର