ମୁଁ କହିଲି,‘ନମିତା,ପୁରୁଷମାନେ ଯଦି ନାରୀରଙ୍କା ନହେବେ ଆଉ ନାରୀମାନେ ପୁରୁଷରଙ୍କା ନହେବେ ତାହାହେଲେ ପୃଥିବୀ ଓଲଟ ପାଲଟ ହୋଇଯିବ।’
ନମିତା ଅଭିଯୋଗ କଲେ,‘ତୁମେ ତ ସେହି ମାନଙ୍କ ଭିତରୁ ଜଣେ।ଆଉ କଣ ହେବ।’
ମୁଁ କହିଲି,‘ତୁମେ ଆମ କଥା ଛାଡ଼।ବର୍ତ୍ତମାନ ମୋର ଏ ଚିଠିରୁ କଣ ଧାରଣା ହେଲା ଜାଣ?ତୁମ ବାନ୍ଧବୀ ସୁଚିତ୍ରା ଦେବୀ ସେହି ବୃଦ୍ଧଙ୍କ ପ୍ରେମରେ ପଡ଼ିଯାଇଛନ୍ତି।’
ନମିତା ମୋ କଥା ହସରେ ଉଡ଼େଇ ଦେଲେ।
କିନ୍ତୁ ମୁଁ ପାରିଲି ନାହିଁ।ମୁଁ ଜଣେ ଦେଶ ବିଦେଶରେ ସୁନାମ ଅର୍ଜନ କରିଥିବା ମନସ୍ତତ୍ତ୍ବବିଦ୍।ତାଛଡ଼ା ମୋର ବିଶ୍ବାସ ନାରୀ ଚରିତ୍ରକୁ ବୁଝିବାକୁ ମୋର ଏକ ସହଜାତ ଅର୍ନ୍ତଦୃଷ୍ଟି ଅଛି।ଯେ କୌଣସି ନାରୀ ବିଷୟରେ ମୋର ଧାରଣା, ମତାମତ ନିଶ୍ଚୟ ନିର୍ଭୁଲ।
(୨)
ପ୍ରାୟ ମାସକ ପରେ ସୁଚିତ୍ରା ଦେବୀଙ୍କର ଦ୍ବିତୀୟ ପତ୍ର ଆସିଲା।ପତ୍ନୀ ଯଥାପୂର୍ବ ମୋ ହାତରେ ସେଇ ଚିଠିଟି ଅର୍ପଣ କଲେ।ସେଇ ଚିଠିଟି ମୁଁ ପୁଣି ଉଦ୍ଧାର କରୁଚି।
‘ପ୍ରିୟ ନମିତା,
(ପ୍ରାରମ୍ଭିକ ଉପକ୍ରମ ପରେ…)
…ସେଇ ଜବରଦସ୍ତ ଭଦ୍ରଲୋକ ଏବେ ଖଣ୍ଡେ ଚିଠି ଦେଇଛନ୍ତି।ମୁଁ ଭାବୁଥିଲି ତା ଠାରୁ ମୁକ୍ତି ପାଇଗଲି।କିନ୍ତୁ ଏବେ ସେ ଚିଠି ମାଧ୍ୟମରେ ମୋ ଉପରେ ଆକ୍ରମଣ ଆରମ୍ଭ କରି ଦେଇଛନ୍ତି।ତାଙ୍କ ଚିଠିଟା ଏଥି ସହିତ ପଠାଇଲି।ତୁ ପଢ଼ିସାରି ମୋ ପାଖକୁ ଫେରାଇ ଦେବୁ।ଏ ଚିଠିପତ୍ର କିଛି ସୁନନ୍ଦବାବୁଙ୍କୁ ଦେଖାଇବୁନି।ତୁ କଣ ଭାବୁଚୁ ମତେ ଜଣେଇବୁ।’
ତରୁଣ ବାବୁଙ୍କର ଚିଠି।
‘ସୁଚିତ୍ରା ସୁଚରିତାସୁ,
ହଠାତ୍ ମୋ ଚିଠିଟା ପାଇ ତୁମେ କଣ ଭାବିଚ ବୋଲି ମୁଁ ଭାବୁଚି।ମୋ ଠାରୁ ଚିଠି ପାଇବାକୁ କଣ ଆଶା/ଆଶଙ୍କା କରିଥିବ?ବୋଧହୁଏ ନୁହେଁ।ସେ ଦିନ ମୁଁ ତମଙ୍କୁ ମୋର ପ୍ରଗଳ୍ଭତା ଦ୍ବାରା ବିରକ୍ତ କରିଚି,ବୋର୍ କରିଚି କି ନାହିଁ ଜାଣେନା।କିନ୍ତୁ ତୁମର ମନୋରଂଜନ କରିବାକୁହିଁ ବହୁତ କଥା ଗପୁଥିଲି।ତୁମେହିଁ ମତେ ପ୍ରଗଳ୍ଭ କରିଦେଇଥିଲ।ମୋ ଭିତରେ ଥିବା ଏକ ଅବରୁଦ୍ଧ ସ୍ରୋତର ମୁଖ ତୁମେ ତୁମର ଅଜ୍ଞାତସାରରେ ଖୋଲି ଦେଇ ଥିଲ।ତେଣୁ ଅନ୍ତରରେ ଭାବ ଉଦ୍ଦେଳିତ ହେଉଥିଲା ଏବଂ ଭାଷାରେ ରୂପାୟିତ ହେଉଥିଲା।ମୁଁ ଏବେ ନିବିଡ଼ ଭାବରେ ଅନୁଭବ କରୁଚି,ମୁଁ ତୁମଙ୍କୁ ଆଗରୁ କେଉଁଠି ଦେଖିଥିଲି।ସ୍ମୃତିର ସାଗର ମନ୍ଥନ କରି ମଧ୍ୟ ମୁଁ ସେହି ପୂର୍ବ ପରିଚୟର ସୂତ୍ର ଆବିଷ୍ମାର କରିପାରୁନାହିଁ। କିନ୍ତୁ ତୁମ ପ୍ରତି ଏକ ଅନ୍ତରଙ୍ଗତା ବୋଧ ମୋତେ ଅଭିଭୂତ କରି ରଖିଚି। ଏକ ଅବାଞ୍ଛନୀୟ ବୃଦ୍ଧ ମୁଖରେ ଏହିପରି ଭାଷା ବଡ଼ ଅସୁନ୍ଦର ବୋଧ ହେବ।କିନ୍ତୁ ଭାବ ପ୍ରକାଶରେ ମୁଁ ସତତାକୁ ହିଁ ପ୍ରକାଶ କରୁଚି ବୋଲି ଲଜ୍ଜ୍ବିତ ହେଉ ନାହିଁ।
ତୁମଙ୍କୁ ସେଦିନ ମୋ ପୁଅ ଝିଅଙ୍କ କଥା କହି ଥିଲି କିନ୍ତୁ ସ୍ତ୍ରୀଙ୍କ କଥା କହି ନଥିଲି।ତୁମେ କାହିଁକି ତାଙ୍କ କଥା ପଚାରିଲ ନାହିଁତ।ମୁଁ ଭାବୁଛି ମୋ ବିଷୟରେ ଜାଣିବାକୁ ତୁମର ହୁଏତ ଆଗ୍ରହ ନଥିଲା।ଏଇ ଚିଠିରେ ମୁଁ ତାଙ୍କ ବିଷୟରେ ଲେଖୁଛି।
ମୋ ସ୍ତ୍ରୀ ନାମରେ କରୁଣା।ରୂପରେ ସୁନ୍ଦରୀ।କର୍ମରେ କୁଶଳୀ।ଗୁଣରେ ସୁଗୁଣା ଶିକ୍ଷାରେ ବି.ଏ. ପାଶ୍।୨୫ବର୍ଷ ତଳେ ତାଙ୍କ ସହିତ ମୋର ଦେଖା ହୋଇଥିଲା।ବଡଲୋକର ଝିଅହୋଇ ମଧ୍ୟ ସେ ମୋତେ ପ୍ରେମ କରିଥିଲେ। ଏବଂ ପିତାମାତାଙ୍କର ଇଚ୍ଛା ବିରୁଦ୍ଧରେ ବିଦ୍ରୋହ କରି ମତେ ବିବାହ କରିଥିଲେ।ତାଙ୍କ ସହିତ ଦୀର୍ଘ ୨୫ବର୍ଷର ଯୁଗ୍ମ ଜୀବନକୁ ମୁଁ ମୋର ଆନନ୍ଦମୟ ଜୀବନ ବୋଲି କହିବାକୁ କୁଣ୍ଠିତ ନୁହେଁ।ସେ ମତେ ସବୁ ଭାବରେ ଆନନ୍ଦ ଦେବାକୁ ସବୁ ପ୍ରକାର ତ୍ୟାଗ କରିବାକୁ ସବୁବେଳେ ପ୍ରସ୍ତୁତ।ମୁଁ ତୁମ କଥା ତାଙ୍କୁ କହିଲି।ସେ କହିଲେ,‘ପୂର୍ବ ଜନ୍ମର ସମ୍ପର୍କ କଣ ପରବର୍ତ୍ତୀ ଜୀବନକୁ ପ୍ରଭାବିତ କରେନା?ମନେକର ପର ଜନ୍ମରେ ତୁମ ସହିତ ମୋର ପୁଣି ଦେଖା ହେବ।ସେତେବେଳେ ତ ପ୍ରଥମ ଦେଖାରେ ମୁଁ ତୁମ ପ୍ରେମରେ ପଡିଯିବି।ପ୍ରେମ କରିବାକୁ ସେତେବେଳେ ହୁଏତ ଯଥାର୍ଥ କାରଣ ନଥିବ।ଅନ୍ୟ ମାନଙ୍କୁ ତାହା ଅଦ୍ଭୁତ ମନେ ହେବ।କିନ୍ତୁ ଏ ଜନ୍ମର ଏ ନିବିଡ଼ ସମ୍ପର୍କର ପ୍ରଭାବ କାଳକ୍ରମେ ଲୋପ ନହେବା ପର୍ଯ୍ୟନ୍ତ ନିଶ୍ଚୟ ମନ ଉପରେ ପଡ଼ିବ।’
ତୁମଙ୍କୁ ଏ ଚିଠି ଲେଖିବାର ପ୍ରୟୋଜନ ହୁଏତ ନଥିଲା।ମୁଁ ତୁମଙ୍କୁ ମୋର‘ଧାରଣା’ଦ୍ବାରା ବିଚଳିତ କରିବାକୁ ଚାହେନା,ତୁମେ ତୁମ ଭାବରେ ବିକଶିତ ହୁଅ,ପ୍ରକାଶିତ ହୁଅ,ଏହାହିଁ ଆନ୍ତରିକ ଇଚ୍ଛା।ତୁମେ ବିଦୁଷୀ,ଜୀବନରେ ଯଶସ୍ବିନୀ ହୁଅ।ସୁଖୀ ହୁଅ-ଏହି ଶୁଦ୍ଧକାମନା ମୁଁ ପୋଷଣ କରୁଛି।ମୁଁ ମୋ କଥା କହୁଚି ମୋର ଆତ୍ମ ତୃପ୍ତି ପାଇଁ।ତାକୁ ପ୍ରତ୍ୟାଶହୀନ ଆତ୍ମପ୍ରକାଶ ବୋଲି କହିପାର।
ମୁଁ କବି ନୁହେଁ।କିନ୍ତୁ ବହୁ ଦିନ ଆଗେ କବିତା ଲେଖୁଥିଲି।କଲେଜ ମାଗାଜିନ୍ରେ ଥରେ ଦୁଇଥର କବିତା ଛପା ହୋଇଥିବ।ବହୁଦିନ ପରେ ପୁଣି ତୁମରି ପ୍ରେରଣାରେ କବିତା ଲେଖିବାକୁ ମନ ହେଲା।ଗୋଟାଏ କବିତା ଲେଖି ପକାଇଲି। ସେହି କବିତାଟି ଏହି ପରି। ତୁମଙ୍କୁ କିପରି ଲାଗିଲା ଲେଖିବ।
“ମୁଁ ତୁମଙ୍କୁ ଦେଖିଥିଲି।
କାଷ୍ପୀୟାନ୍ ହ୍ରଦତୀରେ”
ଏକ ଶାନ୍ତ ନୀରବ ସାୟାହ୍ନେ।
ମୁଁ ଏକାକୀ ପଥଚାରୀ-
ମତେ ଥରେ ଚାହିଁଦେଇ
ତୁମେ ଟିକେ ସ୍ମିତ ହସି
ହୋଇଥିଲ ଗୋ ଦୋହନେ ରତ।
ଭେଟିଲି ତୁମଙ୍କୁ ପୁଣି
ମାଳୟର ଉପକୂଳେ-
ପୋତ ମୋର ଭିଡିଥିଲି ଯହିଁ।
ଡେଇଁ ଡେଇଁ ଚାଲି ଥିଲ ବାଲୁକା ଶଯ୍ୟାରେ
ଏକ କୃଷ୍ଣସାର ପରି,
ଗୋଟାଇ ଗୋଟାଇ ବହୁ ରଙ୍ଗର ଶାମୁକା।
ପୁଣିଥରେ ଦେଖାହେଲା,
ଶିବିକା ତୁମର ଯେବେ
ପଶୁଥିଲା ବାଦଶାହା ହାରେମ୍ ଭିତରେ।
ଚାଲିଥିଲି ପାଶେ ପାଶେ ମୁଁ ତୁମ ପ୍ରହରୀ।
ବୁର୍ଖା ତୋଳି ଚାହିଁଥିଲି ହଠାତ୍ କାହିଁକି
ଚାରିଚକ୍ଷୁ ମିଶିଗଲା ନିମିଷକ ପାଇଁ।
ବହୁକାଳ ପରେ
ଦେଖାହେଲା ଆଜି ଯେବେ ତୁମ ସାଥେ ପୁଣି।
ମୁଁ ତୁମଙ୍କୁ ଚିହ୍ନିଗଲି ପ୍ରଥମ ପଲକେ,
ଚିହ୍ନିଗଲି ତୁମେ ମୋର ପ୍ରାଣପରିଚିତା।
ଅନାୟାସେ ସେଥିପାଇଁ ଆପେ ଆପେ
ଉଠିଲି ମୁଁ କହି,
‘ମୁଁ ତୁମଙ୍କୁ ଭଲପାଏ,
ତୁମେ ମୋର ଏକାନ୍ତ ନିଜର।’
ତୁମେ କିଗୋ ଅନୁରାଗେ
ସେଦିନ ଏ ଅନୁଭବ ମୋର।
ନହେଲେ ମୁଁ କ୍ଲାନ୍ତ ନୁହେଁ
ଅପେକ୍ଷିବି ଜନ୍ମ ଜନ୍ମାନ୍ତରେ।”
ଚିଠିଟି ପଢ଼ିସାରି ପତ୍ନୀଙ୍କୁ ଫେରାଇ ଦେଉ ଦେଉ କହିଲି,‘ମନେ ହେଉଚି,ଇୟେ ଚାଲିଲା, କ୍ରମଶଃ-ଏପରିକି ଆଗାମୀ ସଂଖ୍ୟାରେ ସମାପ୍ୟ ବୋଲି ମନେ ହେଉନି।’
ସ୍ତ୍ରୀ ପ୍ରବୃଦ୍ଧ ପ୍ରେମିକ ତରୁଣବାବୁଙ୍କ ଉଦ୍ଦେଶ୍ୟରେ ଗୁଡ଼ିଏ କଟୁ ବିଶେଷଣ ପୂର୍ଣ୍ଣ ମନ୍ତବ୍ୟ ପ୍ରକାଶ କଲେ ଓ ସୁଚିତ୍ରାର ସରଳତାର ପ୍ରଶଂସା କଲେ।
(୩)
ଏହାର ପ୍ରାୟ ମାସକପରେ ସୁଚିତ୍ରାର ପରବର୍ତ୍ତୀ ପତ୍ର ଆସିଲା।
ସୁଚିତ୍ରାର ପତ୍ର ପାଇଁ ଆମେ ଦୁହେଁ ଉତ୍ସୁକହୋଇ ଅପେକ୍ଷା କରିଥିଲୁ।ସୁଚିତ୍ରାର ପତ୍ରରେ କଣ ନୂତନ ବାର୍ତ୍ତା ଥାଇପାରେ ଜାଣିବାକୁ ଉଭୟଙ୍କ ମନରେ ପ୍ରବଳ ଉତ୍କଣ୍ଠା।ଯଦିଓ କେହି କାହାପାଖରେ ସେହି କଥାଟା ପ୍ରକାଶ କରୁ ନଥିଲୁ।
ସୁଚିତ୍ରାର ପତ୍ରରେ ଥିଲା ବିସ୍ମୟକର ସମ୍ବାଦ।ତରୁଣବାବୁ ତାଙ୍କର ଜଣ ବନ୍ଧୁପୁତ୍ର ସହିତ ସୁଚିତ୍ରାର ବିବାହ ପ୍ରସ୍ତାବ ଆଣିବା ପୂର୍ବରୁ ତାର ସମ୍ମତି ଚାହିଁଛନ୍ତି।ମୃତ ବନ୍ଧୁଙ୍କର ପୁତ୍ର ବର୍ତ୍ତମାନ ଆଇ.ପିଏ.ଏସ୍ ଟ୍ରେନିଂରେ ଅଛନ୍ତି।ବନ୍ଧୁଙ୍କର ମୃତ୍ୟୁପରେ ସେ ହିଁ ସେମାନଙ୍କର ଅଭିଭାବକ କହିଲେ ଅତ୍ୟୁକ୍ତି ହେବ ନାହିଁ।ତେଣୁ ତାଙ୍କର ମନୋନୟନକୁ ସେ ବିନାଦ୍ବିଧାରେ କେବଳ ନୁହେଁ,ସାନନ୍ଦରେ ଗ୍ରହଣ କରିବ,ଏ ବିଶ୍ବାସ ତାଙ୍କର ଅଛି।ପିଲାଟି ଦେଖିବାକୁ ରାଜପୁତ୍ର।ବିଦ୍ୟା ବିଷୟରେ କହିବା ନିଷ୍ପ୍ରୟୋଜନ।ତାର କୃତିତ୍ବହିଁ ତାର ମାପକାଠି।ସ୍ବଭାବରେ ସରଳ,ଶାନ୍ତ, ନିରାଡ଼ମ୍ବର ଓ ନିରହଙ୍କାର।ଯୌତୁକର ପ୍ରଶ୍ନ ନାହିଁ।
ଚିଠି ପଢ଼ିସାରି ମୁଁ ଓ ନମିତା ପରସ୍ପରକୁ ଚାହିଁ ରହିଲୁ।ଉଭୟେ ନିର୍ବାକ୍।ତାର କାରଣ ଆମ ମନ ଭିତରେ ଆମେ ଘଟଣାର ପ୍ରବାହକୁ ଯେପରି ଆଙ୍କିଥିଲୁ,ବାସ୍ତବରେ ତାହା ଘଟି ନଥିଲା।ନମିତା ମୋ ସହି ପ୍ରଥମେ ଏକମତ ନଥିଲେ ମଧ୍ୟ ପରେ ପ୍ରାୟ ମୋ କଥାକୁ ଅସ୍ବୀକାର କରି ପାରୁ ନଥିଲେ।ମୁଁ ତାଙ୍କୁ କହିଥିଲି,ତରୁଣବାବୁ ଏକ ଧପ୍ପାବାଜ ଲୋକ।ସେ ସୁଚିତ୍ରାର ସରଳତାର ସୁଯୋଗ ନେଇ ତା’ସହିତ ଅବୈଧ ଦେହ ସମ୍ପର୍କ ପ୍ରତିଷ୍ଠା କରିବାକୁ ଚାହାନ୍ତି।‘ଆଗରୁ କେଉଁଠି ଦେଖିଲା ପରି ଲାଗୁଚି’ସେହି ଧପ୍ପାବାଜିର ଗୋଟାଏ ଅସ୍ତ୍ର।କିନ୍ତୁ ମୋର ଭୟ ସୁଚିତ୍ରା ସେ ଲୋକୁ ଚିହ୍ନିପାରି ନାହିଁ। ତେଣୁ ସେ ତାଙ୍କୁ ପ୍ରେମ କରି ବସିବା ଅସମ୍ଭବ ନୁହେଁ।ସେଥିପାଇଁ ତାକୁ ସାବଧାନ କରେଇ ଦେବା ତାର ବାନ୍ଧବୀ ଭାବରେ ନମିତାର ପ୍ରଧାନ କର୍ତ୍ତବ୍ୟ।ନମିତା ତରୁଣବାବୁଙ୍କ ସମ୍ପର୍କରେ ମୋର ଧାରଣା ‘ହୁଏତ ଠିକ୍’ବୋଲି ମନେ କରୁଥିଲେ।ତାଙ୍କର ବୁଦ୍ଧିମତୀ ବାନ୍ଧବୀ ପ୍ରେମ କରିବାପରି ଭୁଲ୍ କରି ନପାରେ,ଏ ବିଷୟରେ ସେ ନିସନ୍ଦିଗ୍ଧ ଥିଲେ।
ସୁଚିତ୍ରାର ପତ୍ର ପାଠପରେ ମୁଁ କହିଲି,“ତରୁଣବାବୁ ତାଙ୍କର ଚମତ୍କାର ଚାଲ୍ଟି ଦେଖାଇଲେ।”
ନମିତାର ପ୍ରଶ୍ନ,“ମାନେ”
“ମାନେଟା ସହଜ।ସିନେମାର ନାୟିକା ପରି ଦେବାକୁ କହି ଯେପରି ସୁନ୍ଦରୀ ତରୁଣୀ ଝି଼ଅମାନଙ୍କୁ ପଥଭ୍ରଷ୍ଟ କରିବାର ପନ୍ଥା କେହି କେହି ଅବଲମ୍ବନ କରନ୍ତି,ଆଇ.ପି ଏସ୍ ବରର ଲୋଭ ଦେଖାଇ ସେହି ଭଳି ସ୍ବାର୍ଥ ସାଧନ କରିବାକୁ ତରୁଣବାବୁ ଆଗେଇଛନ୍ତି।ଏହାପରେ କନ୍ୟାଦେଖା ପାଇଁ ସୁଚିତ୍ରାକୁ ଦିଲ୍ଲୀ ଯିବାକୁ ହେବ।ଦିଲ୍ଲୀଗଲେ ତରୁଣବାବୁଙ୍କ ଘରେ ରହିବାକୁ ହେବ।ଦିଲ୍ଲୀ ଓ ତାର ଆଖପାଖ ସ୍ଥାନ ବୁଲି ଦେଖିବା ପାଇଁ କିଛିଦିନ ଅବସ୍ଥାନ କରିବାକୁ ହେବ। ଅର୍ଥାତ୍ ସୁଚିତ୍ରାର ସାନ୍ନିଧ୍ୟ ପାଇଁ ପ୍ରଶସ୍ତ ଅବକାଶ।ତାପରେ ଏକ ଦୁର୍ବଳ ମୁହୂର୍ତ୍ତରେ ସୁଚିତ୍ରାକୁ ଗ୍ରାସ କରିବାକୁ ପ୍ଲାନ୍। ସୁଚିତ୍ରା ଯଦି ପ୍ରକୃତରେ ପ୍ରେମରେ ପଡ଼ିଯାଇଥାଏ,ତାହାହେଲେ ତ ସେଇ ପ୍ଲାନ୍ ଅତି ସହଜରେ ସାଧିତ ହୋଇଯିବ।”
ନମିତା ମୋ କଥା ବିଶ୍ବାସ କଲେ,ଓ ଭୟରେ ଶୀହରିତ ହେଲେ।କହିଲେ“ସୁଚିତ୍ରାକୁ ରକ୍ଷା କରିବାର ଉପାୟ?”ମୁଁ କହିଲି,“ସ୍ପଷ୍ଟ ଲେଖିଦିଅ,ସେ ଏ ବିବାହରେ ସମ୍ମତ ନ ହେଉ।”ବୋଧହୁଏ ନମିତା ତାହାହିଁ କଲେ।
କିନ୍ତୁ ଆମ ଦୁହିଁଙ୍କୁ ବିସ୍ମିତ କରି ୧୫ଦିନ ପରେ ସୁଚିତ୍ରାର ବିବାହପାଇଁ ନିମନ୍ତ୍ରଣ ପତ୍ର ଆସି ପହଞ୍ଚିଲା।ବର ନିଜେ ଆସି କନ୍ୟାକୁ ଦେଖିଯିବା ପରେ ବିବାହ ସ୍ଥିରୀକୃତ ହୋଇଗଲା ଓ ନିକଟତମ ତିଥିରେ ବିବାହ ସମ୍ପନ୍ନ ହେବାର ବ୍ୟବସ୍ଥା ବି ହେଲା।
ଏ ସଂବାଦ ଆମ ଦୁହିଁଙ୍କୁ ଏତେ ମର୍ମାହତ କଲା ଯେ ଆମେ ଦୁହେଁ ଗୋଟିଏ ଶୁଭେଚ୍ଛା ଟେଲିଗ୍ରାମ ପଠାଇବା ଛଡା ଆଉକିଛି କରିବା ଉଚିତ ମନେକଲୁ ନାହିଁ।ସୁଚିତ୍ରାର ସାନୁନୟ ଅନୁରୋଧକୁ ପ୍ରତ୍ୟାଖ୍ୟାନ କରି ନମିତା ବିବାହରେ ଯୋଗ ଦେବାକୁ ଗଲେ ନାହିଁ।
ମୁଁ ଆଉ ଏ ବିଷୟରେ ଅଧିକ ଜାଣିବାପରି ଘଟଣା ଘଟିବାର ଆଶା କରି ନଥିଲି।ତରୁଣବାବୁଯେ ସୁଚିତ୍ରା ସହିତ ଏକ ଅବୈଧ ସମ୍ପର୍କ ରଖିବା ମାନସରେ ଏ ବିବାହ ଯୋଗାଡ଼ କରିଛନ୍ତି,ଏ ବିଷୟରେ ମୋର ସନ୍ଦେହ ନଥିଲା।ସୁଚିତ୍ରାର ସ୍ବାମୀ ଅତିଶୟ ଶାନ୍ତ ସରଳ ଅର୍ଥାତ୍ ଏକ ଗ୍ରନ୍ଥକୀଟ,ବୈଷୟିକ ଜ୍ଞାନହୀନ ନିର୍ବୋଧ ତଥା ସୁବାଧ୍ୟ ବନ୍ଧୁପୁତ୍ର ହୋଇଥିବ ଏ ବିଷୟରେ ମଧ୍ୟ ମୋର ଧାରଣା ଥିଲା ଅତି ସ୍ପଷ୍ଟ।ବିଚାରୀ ସୁଚିତ୍ରା ପାଇଁ ମୋର ଦୁଃଖ ହେଉଥିଲା।
ବାହାଘରକୁ ନ ଯାଇ ପତ୍ନୀ ମନ କଷ୍ଟ କରୁଥିଲେ ଏବଂ ସୁଚିତ୍ରାର ପତ୍ର ପ୍ରତ୍ୟାଶାରେ ଥିଲେ।ସେ ଅବଶ୍ୟ ଭାବିଥିଲେ,ସୁଚିତ୍ରା ପତ୍ର ଲେଖିବ ତାର ବାସର ରାତ୍ରିର ଅନୁଭୂତି ବର୍ଣ୍ଣନା କରି ସେ ନିଜେ ଯେପରି ଲେଖିଥିଲେ ଅତୀତରେ। ତେଣୁ ଯାତ୍ରାସମୟରେ ସୁଚିତ୍ରାର ପତ୍ରଟି ପାଇବା ସାଂଗେ ସାଂଗେ ସେ କହି ପକେଇଲେ,ଏ ଚିଠି ତୁମ ପଢ଼ି ପାରିବ ନାହିଁ।ଏ ପତ୍ର ଗୋପନୀୟ। ଏଥିରେ ଯାହା ଲେଖାଅଛି ମୁଁ ଜାଣେ।
ନମିତା ଚିଠିଟିକୁ ନେଇ ଅନ୍ୟଘରକୁ ଚାଲିଗଲେ।କିଛି ସମୟ ପରେ ପତ୍ର ପାଠ ଶେଷ କରି ମୋ ପାଖକୁ ଆସ ମୋ ହାତକୁ ଚିଠିଟିକୁ ବଢାଇ ଦେଲେ।
ଚିଠିଟି ପଢ଼ିବାକୁ ମୁଁ ଉତ୍ସୁକତାର ସହିତ ଅପେକ୍ଷା କରିଥିଲି।ସୁଚିତ୍ରାର ଚିଠିଟି ଥିଲା ଏହିପରି।