ଦେଖଇ ସପନ ଆଗରେ ତାହାର
କହି ଖାଲି ଆଜ୍ଞା,ଆଜ୍ଞା, ସାର୍ ସାର୍
ପାଆନ୍ତି ଅନେକେ ସ୍ବତନ୍ତ୍ର ବିଚାର
ଯାଆନ୍ତି ଆଗକୁ ବଢ଼ି
ବଡ଼ ହାକିମଙ୍କ କରୁଣା କୈବଲ୍ୟ
ପାଇ ବଢ଼ିଅଛି ଯାହାଙ୍କର ବଳ
ତାଙ୍କ ସ୍ତୁତିଗାନେ ନ ହୋଇ ମୁଖର
ସେ ରହଇ ପଛେ ପଡି,
ଚିର ମେଘାଚ୍ଛନ୍ନ ତାହାର ଜୀବନାକାଶ
କିରାଣୀ ସପନ ଦାସ।
ସେଦିନ ନଥାଇ କିଛି ଭୂଲ ତା’ର
କରିଲେ ହାକିମ ଗରଳ ଉଦ୍ଗାର
ପ୍ରତି ଶବ୍ଦ କରେ ଛାତିରେ ପ୍ରହାର
ସକଳ ସଂଯମ ଭାଙ୍ଗି
କହିଲା ସପନ,“ମୁଁ ନୁହେଁ ଚାକର
ଶୁଣିବାକୁ ଏହିପରି କଟୁଗିର,
ଆପଣଙ୍କର କି ଅଛି ଅଧିକାର
ଏପରି କହିବାଲାଗି?”
ଦାହରେ ନ ହେଜି ଦେଇଚି ଅନଳେ ଝାସ
କିରାଣୀ ସପନ ଦାସ।
କାମରେ ଆଉ ତା ଲାଗେ ନାହିଁ ମନ
କରେ ବୋଧ ଏକ ଅଜ୍ଞାତ ପୀଡନ
ସାନ ମୁଖେ ସାଜେ ନାହିଁ ଯେ ବଚନ
କହିଲା ସେ କେଉଁପରି।
ଅଫିସ୍ ଶେଷରେ ଫେରି ଆସେ ଗୃହେ
ବିଷାଦ ରହିଛି ଘେରି ତାର ମୁହେଁ,
କି ଏକ ଆତଙ୍କ ବୁକୁତଳ ଛୁଏଁ
ଭାବଇ ବିଚାର କରି
ଯାହା ହେବ ହେଉ କାଟିଲେ କାଟିବି ଘାସ
କିରାଣୀ ସପନ ଦାସ।
‘ବାପା’,‘ବାପା’ଡାକି ନ ପହଞ୍ଚୁ ଘରେ
ଧାଇଁ ଆସି ପୁଅ ଦୁଇ ହାତେ ଧୀରେ
ତୋଳି ନେଲା ତାକୁ ଗଭୀର ଆଦରେ
ସପନ ସକଳ ଭୂଲି
କେତେ ଆଶା ତହିଁ କରିଚି ସେ ଠୁଳ-
ଆଜି ସେ କିପରି କାଟିବ ତା ମୂଳ,
ଭୟ ବେଦନାରେ ହୁଏ ସେ ଆକୁଳ,
ମଥା ତାର ଗଲା ଘୂରି,
ବାପା ବୁକେ ରହି ପୁଅ ମୁଖେ ଫୁଟେ ହାସ
ଦେଖୁଚି ସପନ ଦାସ।
ବୁକେ ଭିଡି ମୁଖେ ଚୁମା ଦେଇ ଭାଷେ
ମୋ ହୃଦୟ ଭରୁ ଯେତେ ଗୁରୁ ଗ୍ରାସେ
ତୋ ମୁଖ ରହିବ ଭରି ଚିର ହାସେ
ମଣିଷ ତୁ ହେବୁ ଦିନେ
ମୋ ପରି କିରାଣୀ ହେବକୁ ମୁଁ ତୋତେ
ଦେବି ନାହିଁ ବାବୁ, କଥାର ଆଘାତେ
ଯିବ ନାହିଁ ଭାଂଗି ମନ,-ଦୁଃଖ ଯେତେ
ଆସୁ ପଛେ ମୋ ଜୀବନେ
ତୋ ପାଇଁ ପିଇବି ଜୀବନର କଟୁ ବିଷ
କିରାଣୀ ସପନ ଦାସ
ପରଦିନ ସେଇ ହାକିମଙ୍କ ପାଖେ
ସପନ କହଇ,‘ରଖନ୍ତୁ ଏ ଦାସେ
କ୍ଷମନ୍ତୁ ମୋହରେ, ନ ବୁଝି ମୁଁ ରୋଷେ
ଯାଇଛି ମୁଁ ସବୁ କହି’
ହାକିମ ଆଖିରେ ରୋଷାନଳ ଜଳେ,
ସପନ ପଡ଼ଇ ତାଙ୍କ ପାଦ ତଳେ,
କହିଲେ ହାକିମ,‘ଯାଅ, କ୍ଷମା କରେ’
ଅଶେଷ କରୁଣା ବହି।
ହାକିମଙ୍କ ଓଠେ ବିଜୟର ମୃଦୁହାସ
ଦେଖଇ ସପନ ଦାସ।
୨୯.୧୦.୫୭
କଟକ