ଉପେନ୍ଦ୍ର ମହାନ୍ତି ଟିକିଏ ନୀରବ ରହିଗଲେ।ସଭାସ୍ଥଳ ନିସ୍ତବ୍ଧ।ତାଙ୍କର ସେହି ରହସ୍ୟାଚ୍ଛନ୍ନ କଥା ଶୁଣିବାକୁ ସମସ୍ତେ ଉତ୍କଣ୍ଠ ଆଗ୍ରହରେ ଅପେକ୍ଷା କରିଛନ୍ତି।ନିଜେ ହରିହର ବି ଉତ୍ସୁକ ହୋଇ ଅପେକ୍ଷା କରିଛନ୍ତି,ତାଙ୍କ ବିଷୟରେ ଉପେନ୍ଦ୍ର ମହାନ୍ତି କି ଲଜ୍ଜ୍ବାକର ଉଦ୍ଘାଟନ କରିବାକୁ ଯାଉଛନ୍ତି ଜାଣିବାଲାଗି।
“ତଥାପି ମୁଁ କହିଚି,ନିଶ୍ଚୟ କହିଚି।ସତ୍ୟ ପ୍ରକାଶ ପାଉ,ସତ୍ୟର ଜୟ ହେଉ।ଆପଣମାନେ ଜାଣନ୍ତି ସେପ୍ଟେମ୍ବର ୧୫ ତାରିଖ ଥିଲା ପ୍ରାର୍ଥୀପତ୍ର ଦାଖଲ କରିବାର ଶେଷଦିନ।ସେଇ ଦିନ ସମସ୍ତଙ୍କ ପଛେରେ,ଶେଷ ମୁହୂର୍ତ୍ତରେ ପ୍ରାର୍ଥୀପତ୍ର ଦାଖଲ କରିଥିଲେ ହରିମହାପାତ୍ରେ।ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବାର ଶେଷ ତାରିଖ ଥିଲା ସେପ୍ଟେମ୍ବର ୧୮ତାରିଖ।ଏଇ ତିନିଦିନ କାଳ ମୁଁ ନିଜ ସହିତ ବହୁତ ଲଢ଼େଇ କରିଚି।ମୁଁ ମୋର ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିନେବାକୁ ମନେ ମନେ ପ୍ରସ୍ତୁତ ହୋଇ ରହିଥିଲି।ମୁଁ ମୋର ପୂଜ୍ୟ ଗୁରୁଦେବଙ୍କ ବିରୁଦ୍ଧରେ ଭୋଟ ଲଢ଼େଇରେ ଅବତୀର୍ଣ୍ଣ ହେବାକୁ ମତେ ବହୁତ ଖରାପ ଲାଗୁଥିଲା।ପ୍ରତିଦ୍ବନ୍ଦୀ ଭାବରେ ସେ ଥିଲେ ମୋ ପାଇଁ ଅତି ତୁଚ୍ଛ,ଅତି ନଗଣ୍ୟ,କିନ୍ତୁ ମୋର ଶିକ୍ଷକ ଭାବରେ ସେ ମୋ ପାଇଁ ଥିଲେ ଜଣେ ମହାନ୍ ବ୍ୟକ୍ତି।ମୁଁ ତେଣୁ ତାଙ୍କ ସପକ୍ଷରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିନେବାକୁ ଏକପ୍ରକାର ସ୍ଥିର କରିସାରିଥିଲି।ମୁଁ ଖାଲି ଅପେକ୍ଷା କରିଥିଲି ସେ ମୋତେ ଡକେଇବେ।କହିବେ,‘ଉପେନ୍ଦ୍ର,ତୁ ଏଇ ନିର୍ବାଚନରୁ ଓହରି ଯା’।ବାସ୍ ସେତିକି,ତାଙ୍କର ସେତିକି ମୋର ଶିରୋଧାର୍ଯ୍ୟ ହୋଇଥାନ୍ତା।ମୁଁ ଓହରି ଯାଇଥାନ୍ତି।ଗୁରୁ ନିନ୍ଦା କରିବାକୁ ଏଇ ସଭାମଞ୍ଚରେ ମତେ ଠିଆ ହେବାକୁ ପଡ଼ିନଥାନ୍ତା।ଦିନପରେ ଦିନ ଚାଲିଲା,ତାଙ୍କ ପକ୍ଷରୁ ପ୍ରଚାର ଆରମ୍ଭ ହୋଇଗଲା ତେଣୁ ଜୋର୍ସୋର୍ରେ।ମୁଁ ପୂରାପୂରି ନୀରବ ଥାଏ।ମୋର ଦଳପକ୍ଷରୁ,ମୋର ସହକର୍ମୀ ମାନଙ୍କ ପକ୍ଷରୁ ମୋ ଉପରେ ଚାପ ପଡ଼ୁଥାଏ ପ୍ରଚାର ଆରମ୍ଭ କରିବାପାଇଁ।ତଥାପି ମୁଁ ଅପେକ୍ଷା କରିଥାଏ କାଳେ ମତେ ହରିମହାପାତ୍ରେ ଡାକି ପଠେଇବେ କି?ସତକୁ ସତ ଦିନେ ଡାକରା ଆସିଲା।ସେପ୍ଟେମ୍ବର ୧୭ତାରଖ ରାତି ଗୋଟାଏ ବେଳେ ତାଙ୍କ ତାଙ୍କ ସହିତ ତାଙ୍କ ଘରେ ମତେ ଏକା ଏକା ଯାଇ ଦେଖା କରିବାକୁ ଖବର ଆସିଲା।ଗୁରୁଙ୍କ ଆଦେଶକୁ ତ ମୁଁ ଅପେକ୍ଷା କରି ରହିଥିଲି। ତେଣୁ ମନ ଖୁସୀରେ ଯାଇ ଯଥା ସମୟରେ ତାଙ୍କ ପାଖରେ ପହଞ୍ଚିଲି।ମୁଁ ଭାବୁଥିଲି ଗୁରୁ କହିବେ ଗୋଟିଏ ପ୍ରକାର କିନ୍ତୁ ଶୁଣିଲି ଆଉ ପ୍ରକାରେ।ଯାହା ଶୁଣିଲି ତାହା ପ୍ରଥମେ ବିଶ୍ବାସ କରି ପାରିଲି ନାହିଁ।ହରି ମହାପାତ୍ରେ ମତେ କହିଲେ “ଉପେନ୍ଦ୍ର,କାଲି ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିନେବାର ଶେଷଦିନ।ନିର୍ବାଚନରେ ଜିଣିବାର ତ ମୋର କୌଣସି ଆଶା ନାହିଁ।ସେଇ ଆଶାରଖି ମଧ୍ୟ ମୁଁ ଠିଆ ହୋଇନାହିଁ।ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିନେବାକୁ ମୁଁ ପ୍ରସ୍ତୁତ।କିନ୍ତୁ ତୁମେ ସେଥିପାଇଁ ପନ୍ଦରହଜାର ଟଙ୍କା ଦିଅ।”
ହରିହର ସ୍ତବ୍ଧ ହୋଇଗଲେ।ଉପେନ୍ଦ୍ର ମହାନ୍ତିଙ୍କର ଆଉ କୌଣସି କଥା ସେ ଶୁଣି ପାରିଲେ ନାହିଁ ତାଙ୍କର ମନେ ହେଲା ତାଙ୍କର ଚତୁର୍ଦ୍ଦିଗରେ କେବଳ ଘନ ଅନ୍ଧକାର କିମ୍ବା ତାଙ୍କର ଚକ୍ଷୁ ଫୁଟିଯାଇଛି।ତାଙ୍କର କଣ୍ଠ ସ୍ତବ୍ଧ ହୋଇଯାଇଛି। ଚଳତ୍ ଶକ୍ତି ହରାଇ ସେ ପଥର ପାଲଟି ଯାଇଛନ୍ତି।
କିଛି କ୍ଷଣର ସ୍ତବ୍ଧତା ପରେ ସେ ଚମକି ଉଠିବା ପରି ସଚେତନ ହୋଇ କହି ଉଠିଲେ‘ନା ନା ମିଛ।ମୁଁ କେବେ ଉପେନ୍ଦ୍ର ମହାନ୍ତିଙ୍କୁ ଏପରି କଥା କହିନାହିଁ।’କିନ୍ତୁ ତାଙ୍କର କଣ୍ଠସ୍ବର ଉପେନ୍ଦ୍ର ମହାନ୍ତିଙ୍କର ଜୟନାଦ ଭିତରେ ତାଙ୍କ ବ୍ୟତୀତ ଆଉ କାହାରିକୁ ଶୁଣାଇଲା ନାହିଁ।
ହରିହର ସଭାସ୍ଥଳରୁ ବାହାରି ଆସିଲେ।
ଉପେନ୍ଦ୍ର ମହାନ୍ତିଙ୍କର ଅଭିଯୋଗ ତାଙ୍କ ଉପରେ ଏକ ବଜ୍ର ପ୍ରହାର ପରି ମନେ ହେଉଥିଲା ।ତଥାପି ସେ ମନେ ପକେଇଲେ-ସେପ୍ଟେମ୍ବର ୧୭ତାରିଖ ରାତି ଗୋଟାଏ ବେଳେ ଉପେନ୍ଦ୍ର ମହାନ୍ତି ପ୍ରକୃତରେ ତାଙ୍କ ପାଖକୁ ଆସିଥିଲେ। ହରିହର ତାଙ୍କୁ ଡକେଇ ନଥିଲେ।ସେ ଆସିଥିଲେ ନିଜ ଇଚ୍ଛାରେ।ନିର୍ଜନ ରାତିରେ ସେ ଆସିଥିଲେ ଏକା ଏକା।ତାଙ୍କର ପାଦ ଛୁଇଁ ତାଙ୍କୁ ପ୍ରଣାମ କରିଥିଲେ।ହରିହର ତାଙ୍କୁ‘ଆୟୁଷ୍ମାନ୍ ହୁଅ,ଯଶସ୍ବୀ ହୁଅ’ବୋଲି ଆନ୍ତରିକତାର ସହିତ ଆଶୀର୍ବାଦ କରିଥିଲେ।ତାପରେ ‘କୁଆଡ଼େ ଆସିଲ’ପ୍ରଶ୍ନର ଉତ୍ତର ଦେବାକୁ ଉପେନ୍ଦ୍ର ମହାନ୍ତି ବାରମ୍ବାର ଛେପ ଢ଼ୋକି ଥିଲେ ଏବଂ ଶେଷରେ କହିଲେ,“ସାର୍ ମୁଁ ଆସିଛି ଆପଣଙ୍କୁ ଗୋଟିଏ କଥା କହିବାକୁ।ଆପଣ ଦଶ ହଜାର ଟଙ୍କା ନିଅନ୍ତୁ। ଏଇ ନିର୍ବାଚନରୁ ଓହରି ଯାଆନ୍ତୁ।”କଥା କହୁ କହୁ ସେ ଟଙ୍କା ବିଡ଼ାଟି ଟେବୁଲ୍ ଉପରେ ଥୋଇଲେ ମଧ୍ୟ।ହରିହର ତାଙ୍କୁ ବୟସ୍କ ବିମୂଢ ହୋଇ ଚାହିଁରହିଲେ ତାଙ୍କୁ ଉପେନ୍ଦ୍ର ମହାନ୍ତି ଟଙ୍କା ଲାଞ୍ଚ ଯାଚି ପାରନ୍ତି ଏକଥା ସେ ବିଶ୍ବାସ କରି ପାରୁନଥିଲେ।ତାଙ୍କର କିଛି ସମୟ ପାଇଁ ବାକ୍ ସ୍ଫୁରଣ ହେଲା ନାହିଁ।ଉପେନ୍ଦ୍ର ମହାନ୍ତି କହିଲେ,‘ମୁଁ ଯାଉଚି ସାର୍। କହିବେ ଯଦି ମୁଁ ପରେ ଆଉ କିଛି ଟଙ୍କା ଦେବି।’
ଉପେନ୍ଦ୍ର ମହାନ୍ତି ଚଉକିରୁ ଉଠି ପଡ଼ିଲେ ଓ ଯିବାକୁ ଉଦ୍ୟତ ହେଲେ।ସେତେବେଳେ ଯାଇ ହରିହରଙ୍କ ବାକ୍ସ୍ଫୁରଣ ହେଲା।ସେ କହିଲେ,‘ଉପେନ୍ଦ୍ର,ଟଙ୍କାଟା ନେଇଯାଅ।’
ଉପେନ୍ଦ୍ର ମହାନ୍ତି ହରିହରଙ୍କୁ ଚାହିଁଲେ।
ଚାରିଚକ୍ଷୁ ଏକାଠି ହେଲା।କିନ୍ତୁ ହରିହରଙ୍କର ଉଜ୍ଜ୍ବଳଦୀପ୍ତ ଆଖିକୁ ଚାହିଁବା ମାତ୍ରେ ତାଙ୍କ ଆଖି ତଳକୁ ହୋଇଗଲା। ଟଙ୍କା ବିଡ଼ାଟି ଟେବୁଲ୍ ଉପରୁ ଉଠାଇ ନେଇ ଯାଉ ଯାଉ ସେ କହିଲେ,“ସାର୍ ଆପଣ ମୋର ଶିକ୍ଷକ।ମୁଁ ଆପଣଙ୍କର ଛାତ୍ର।ମୋର ଏଇ ଅପରାଧ ମାର୍ଜନା କରିଦେବେ।ଗୋଟିଏ ଅନୁରୋଧ କରୁଚି।ଆପଣ ଆଜିର ଏଇ କଥା କାହାକୁ କହିବେ ନାହିଁ।”
ଉତ୍ତରର ଅପେକ୍ଷା ନରଖି ଉପେନ୍ଦ୍ର ମହାନ୍ତି ଚାଲିଗଲେ।କିନ୍ତୁ ସେ ପାଇଥିଲେ ହରିହରଙ୍କର ସର୍ତ୍ତହୀନ କ୍ଷମାର ନୀରବ ସମ୍ମତି।
ସେ ଚାଲିଯିବା ପରେ ହରିହର ଭାବିଲେ,‘ଉପେନ୍ଦ୍ରର ଆଜି ପର୍ଯ୍ୟନ୍ତ ବୁଦ୍ଧି ହେଲା ନାହିଁ।ସେ ତାଙ୍କୁ ଚିହ୍ନି ପାରିଲା ନାହିଁ।’
ସଭାସ୍ଥଳରୁ ବାହାରି ଆସିବାବେଳେ ହରିହର ଭାବୁଥିଲେ ସେ ମଞ୍ଚ ଉପରକୁ ଉଠିଯାଇ କହିବେ,ଭାଇମାନେ ଆପଣମାନଙ୍କୁ ଉପେନ୍ଦ୍ର ମହାନ୍ତି ଯାହା କହିଲେ,ତାହା ଖାଣ୍ଟି ମିଛ।ସତ କଥାଟା ମୋ ପାଖରୁ ଶୁଣନ୍ତୁ,ନା,ତାଙ୍କର ସେ ଇଚ୍ଛାକୁ ସେ ସାଙ୍ଗେ ସାଙ୍ଗେ ପରିହାର କରି ପକେଇଲେ।ଉପେନ୍ଦ୍ର ଖାଣ୍ଟି ମିଛକଥା କହିପାରନ୍ତି।କିନ୍ତୁ ସେ ଖାଣ୍ଟି ସତକଥା କହିପାରିବେ ନାହିଁ।ସେ କଥା ଦେଇଛନ୍ତି।ସେ ଅସତ୍ ହୋଇ ପାରିବେ ନାହିଁ।
ହରିହର ଦ୍ରୁତ ପଦଚାରଣା କରି ଚାଲି ଯାଉଥିଲେ।ସତେ ଯେପରି ସେ ଅନ୍ଧକାର ଭିତରୁ ଆଲୋକ ଆଡ଼କୁ,ଅସତ୍ୟ ଭିତରୁ ସତ୍ୟ ଆଡ଼କୁ ପଳେଇ ଯିବାକୁ ବାଟ ଖୋଜୁଛନ୍ତି।
ତାଙ୍କର ଅଜାଣତରେ ତାଙ୍କ ଆଖିରୁ କିନ୍ତୁ ଲୁହଧାର ବହି ଚାଲିଥିଲା।ସେ ଭାବପ୍ରବଣ ନୁହନ୍ତି।ବହୁ ବହୁ ବର୍ଷଧରି ସେ କେବେ କାନ୍ଦି ନାହାନ୍ତି।ହୁଏତ ଅଶ୍ରୁଧାର ଅନ୍ତରର କେଉଁ ଏକ ଅଜ୍ଞାତ କ୍ଷତରୁ ଝରି ପଡ଼ୁଥିବା ଶୋଣିତର ଧାର ହୋଇପାରେ ।
ସେ ବାଟ ଚାଲୁ ଚାଲୁ ମନ୍ତ୍ରୋଚାରଣ କରିବା ଭଙ୍ଗୀରେ କହି ଚାଲିଥିଲେ।
ସବ୍କୋ ସନ୍ମତି ଦେ ଭଗବାନ,
ରଘୁପତି ରାଘବ ରାଜାରାମ।
କହିବା ବାହୁଲ୍ୟ ସେଇ ନିର୍ବାଚନରେ ହରିହର ହାରି ଯାଇଥିଲେ ଓ ତାଙ୍କର ଅମାନତ ସହିତ ଆଉ ଯାହା ହରାଇଥିଲେ ତାହା ହେଉଚି ତାଙ୍କର ସତ୍ୟତା ଓ ସାଧୁତାର ଭାବମୂର୍ତ୍ତି।
କଟକ
୪।୧୧।୭୭