-ଶୀଲା ଗୁପ୍ତାର ଚିଠି-
ପ୍ରିୟ ଆନନ୍ଦ,
ଆଜିକୁ ଠିକ୍ ୩୦ ଦିନ ତଳେ ମୁଁ ଆପଣଙ୍କ ସହିତ ଥିଲି।ତା ପରେ ବିତି ଯାଇଥିବା ୩୦ ଦିନ କାଳ ମୁଁ ଆପଣଙ୍କ ପାଖରେ ଆପଣଙ୍କ ଅଲକ୍ଷ୍ୟରେ ହିଁ ରହିଚି।ଏହା ଭିତରେ ମୁଁ ଆପଣଙ୍କ ପାଖକୁ ୬ଖଣ୍ଡ ଚିଠି ଲେଖିଚି,ଖଣ୍ଡିଏ ଉତ୍ତର ନପାଇ ମଧ୍ୟ।କେତେ ଆଶଙ୍କା ମନ ଭିତରକୁ ଆସୁଚି।ଆପଣ କଣ ମୋର ଖଣ୍ଡିଏ ବି ଚିଠି ପାଇ ନାହାନ୍ତି?ନ ପାଇଥିଲେ ମଧ୍ୟ କଣ ଖଣ୍ଡିଏ ଚିଠି ଲେଖିବାର କିଛି ବାଧା ଥିଲା?ଆମର ପରିଚୟର ଗଭୀରତା କଣ ଖଣ୍ଡିଏ ମାମୁଲି ଚିଠି ପର୍ଯ୍ୟନ୍ତ ନୁହେଁ?ଆପଣ ଯଦି ଚିଠି ସବୁ ପାଇଥାଆନ୍ତି, କିପରି ନୀରବ ରହିପାରିଛନ୍ତି ମୁଁ ଭାବିପାରୁ ନାହିଁ।ଏଇ ଶୀତ ଦିନରେ ପାଣି ଯେପରି ବରଫ ପାଲଟି ଯାଉଛି,ଆପଣ କଣ ସେପରି ପଥର ପାଲଟି ଯାଉଛନ୍ତି।ମୋର ଇଚ୍ଛା ହେଉଛି, ମୁଁ ଏଇ ମୁହୂର୍ତ୍ତରେ ଆପଣଙ୍କ ପାଖକୁ ଯିବି ଓ ପଚାରିବି,“କାହିଁକି ଆପଣ ମୋର ଖଣ୍ଡିଏ ଚିଠିର ବି ଉତ୍ତର ଦେଇ ନାହାନ୍ତି?କାହିକି?କାହିଁକି?”ଆପଣଙ୍କର ଉତ୍ତର କଣ ହେବ ସତେ! ଆପଣ କଣ କହିବେ,ମୋର ଚିଠି ପଢ଼ି ଆପଣ ଅଳିଆ ଗଦାକୁ ଫିଙ୍ଗି ଦେଇଛନ୍ତି।ମୋ ଚିଠିର ଭାଷା ଆପଣଙ୍କ ପାଇଁ ବୋଧଗମ୍ୟ ହୋଇନାହିଁ।ମୋ ଚିଠି ଆପଣଙ୍କ ପାଇଁ ମୂଲ୍ୟହୀନ।ଆପଣ ଏତିକି କାହିଁକି,ଆହୁରି ହୃଦୟ ଭଙ୍ଗା କଠୋର କଥା କହିପାରନ୍ତି।ଆପଣଙ୍କର ସେ ଅଧିକାର ଅଛି। ତଥାପି ମୁଁ ଚାହୁଁଚି ମତେ କହନ୍ତୁ।କାହିଁକି ଆପଣ ଏପରି ନିସ୍ପୃହ?
ମୁଁ ଜାଣି ପାରୁନି କାହିଁକି ମୁଁ ଆପଣଙ୍କ ଉପରେ ଏତେ ଦାବୀ ଅଧିକାର ଜାରି କରୁଛି।ଖଣ୍ଡିଏ ଚିଠି ପାଇବାକୁ ଯୋଗ୍ୟ ନ ହୋଇ ମଧ୍ୟ ମୁଁ କାହିଁକି ପୁଣି ଚିଠି ଲେଖୁଛି।ଉତ୍ତର ପାଇବାକୁ ପ୍ରତ୍ୟେକଦିନ ଉତ୍ସୁକ ହୋଇଚାହିଁ ରହୁଚି।
କେତେ କଣ ଲେଖିବାକୁ ଇଚ୍ଥା ହେଉଛି।କିନ୍ତୁ କିଛି ଲେଖିଆସୁନି।କେଉଁ ସାହାସରେ ବା ଲେଖିବି।ଇଚ୍ଛା ହେଉଛି ଲେଖିବି,‘ଆପଣ ଦିଲ୍ଲୀ ଆସନ୍ତୁ।ଦିନକ ପାଇଁ ଅନ୍ତତଃ ଆସନ୍ତୁ’ଆଉ ଏସବୁ ଭିକାରୀର ସମ୍ରାଟ ହେବାର ସ୍ବପ୍ନପରିଅଳୀକ।
। ଇତି। ଶୀଲା
ବି.ଦ୍ର. ମିଃ ଅଗସ୍ତି ଏହା ଭିତରେ ୪।୫ ଖଣ୍ଡ ଚିଠି ଦେଲେଣି ବଡ଼ ଲମ୍ବା ଲମ୍ବା ଚିଠି।ମୋର ପଢ଼ିବାକୁ ଧୈର୍ଯ୍ୟ ନାହିଁ। ତାଙ୍କ ପାଖକୁ ଚିଠି ଦେବାକୁ ମୋଟେ ଅବସର ପାଉନି।ତାଙ୍କୁ କହିଦେବେ।
ଆନନ୍ଦ କୁମାରର ଚିଠି-
ଭୁବନେଶ୍ବର
ସ୍ନେହର ଅର୍ଚ୍ଚନା,
ତୁମ ଚିଠି ବର୍ତ୍ତମାନ ପାଇଲି।ବଡ଼ ଇଚ୍ଛା ଥିଲା ତୁମର କଲେଜ ଛୁଟି ହେବା ପୂର୍ବରୁ ମୁଁ ଥରେ ଯାଇ ତୁମକୁ ଦେଖି ଆସିବି।କିନ୍ତୁ ମତେ ଛୁଟି ମିଳିଲା ନାହିଁ।କାହିଁ ଜୟପୁର,କାହିଁ ଭୁବନେଶ୍ବର,ଯାଇ ପାରିଲି ନାହିଁ ବୋଲି ମନଟା ଭାରୀ ଖରାପ ହେଉଛି।
ହଁ,ଏହା ଭିତରେ ମିସ୍ ଶୀଲା ଗୁପ୍ତାଙ୍କଠାରୁ ୫ମ ଚିଠି ପାଇଛି।ତୁମର ସନ୍ଦେହ ମୋଚନ ପାଇଁ ତାଙ୍କର ସବୁଯାକ ଚିଠି ଏ ଚିଠି ସହିତ ପଠାଇ ଦେଉଛି।ତୁମେ ସେଥିରୁ ସ୍ପଷ୍ଟ ବୁଝି ପାରିବ ଯେ ତାଙ୍କ ପାଖକୁ ମୁଁ ଖଣ୍ଡିଏ ବି ଚିଠି ଦେଇନି।ତେଣୁ ତୁମର ଯୁକ୍ତି,“ଏକ ହାତରେ ତାଳି ବାଜେ ନାହିଁ”ନିରର୍ଥକ।ବିଚାରୀ ଶୀଲା ଗୁପ୍ତା ତାଙ୍କର ପ୍ରତ୍ୟେକଟି ଚିଠିରେ ନିଜକୁ ଯେତିକି ଉନ୍ମୁକ୍ତ କରି ପକାଉଛନ୍ତି,ମୁଁ ସେତିକି ସଂକୁଚିତ ହୋଇପଡ଼ୁଛି।ଭାବୁଛି ତାଙ୍କ ପାଖକୁ ଲେଖି ଜଣାଇ ଦେବି ଯେ ମୁଁ ଆଗରୁ ଅର୍ଚ୍ଚନା ନାମ୍ନୀ ଅପୂର୍ବ ସୁନ୍ଦରୀ,ଅକଳନୀୟା ନାରୀ ପାଖରେ ପ୍ରେମ ପାଶରେ ଏପରି ବନ୍ଧା ହୋଇ ପଡ଼ିଛି ଯେ ଟିକିଏ ବି ହଲଚଲ ହେବାର ଉପାୟ ନାହିଁ।ଆଉ ମାତ୍ର ୩ମାସ ପରେ ତାଙ୍କ ସହିତ ମୋ ବିବାହ ହେବା ସ୍ଥିରୀକୃତ। ତେଣୁ ମୋ ଉପରେ ଆଉ ଆଶା ନରଖିବା ତାଙ୍କ ପାଖରେ ବିଜ୍ଞତାର ପରିଚାୟକ ହେବ।
ତୁମ ଚିଠିଟି ପାଇ ସାଙ୍ଗେ ସାଙ୍ଗେ ଏ ଛୋଟ ଚିଠିଟି ଲେଖି ଦେଉଚି।ପୁଣି ଆଉଥରେ ଚିଠି ଲେଖିବି।ମୋର ଅଶେଷ ପ୍ରେମ ନିଅ।
। ଇତି।
ତୁମର ଆନନ୍ଦ
ବି:ଦ୍ର:ଅଳ୍ପ ସମୟ ତଳେଅଗସ୍ତି ସହିତ ଦେଖା ହେଲା।କହୁଥିଲା,ମିସ୍ ଶୀଲା ଗୁପ୍ତା ତା ପାଖକୁ ବହୁତ ଚିଠି ଲେଖି ତାକୁ ବୋର୍ କରି ପକେଇଲେଣି।ଆରେ ବାବାରେ,ନାରୀ ଚରିତ୍ର ବୁଝିବା କଷ୍ଟକର।
-ଅଗସ୍ତିର ଚିଠି-
ଭୁବନେଶ୍ବର
ମିସ୍ ଶୀଲା,
ଏ ଅଯାଚିତ ଓ ଅବାଞ୍ଛିତ ଚିଠି ପାଇଁ କ୍ଷମା ମାଗି ରଖୁଚି।ମୋର ଆଉ ଚିଠି ନ ଲେଖିବାହିଁ ଉଚିତ୍।କିନ୍ତୁ ଗୋଟିଏ ବିଶେଷ ଘଟଣା ଯୋଗୁ ଚିଠି ଲେଖିବାର ସୁଯୋଗ ଛାଡ଼ୁ ନାହିଁ।ଆପଣଙ୍କର ଆନନ୍ଦକୁମାରର କଥା ମନେଥାଇ ପାରେ।ମୋର ସେଇ ସ୍ବଳ୍ପବାକ୍ ସହକର୍ମୀ, ଯେ ଆମମାନଙ୍କ ସହିତ ବିଭିନ୍ନ ସ୍ଥାନ ବୁଲିବାକୁ ଯାଇଥିଲା।ଏଇ ମାସ ୨୪ ତାରିଖରେ ତାର ବିବାହ।ଆପଣଙ୍କୁ ନିମନ୍ତ୍ରଣ ପତ୍ର ଦେଇ ଥାଇପାରେ।ଆପଣ ତାକୁ ଲାଜକୁଳା ବୋଲି କହୁଥିଲେ ନା। କିନ୍ତୁ ସେ ବୁଡ଼ି ବୁଡ଼ି ପାଣି ପିଇବା ବାଲା।ତାର ଏଇ ବିବାହ ପ୍ରେମ ବିବାହ।ଏକଥା ମତେ ଆଜି ପର୍ଯ୍ୟନ୍ତ ଜଣା ନଥିଲା। ଆନନ୍ଦ କୁମାର ପ୍ରେମ କରିପାରେ ଏହା ସତରେ ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ନୁହେଁ କି?ଏହା ପୃଥିବୀର କେଉଁ ଆଶ୍ଚର୍ଯ୍ୟ କୁହନ୍ତୁ ତ।
ଶୁଭେଚ୍ଛା ସହ। ଇତି।
ଅଗସ୍ତି
-ମିସ୍ ଶୀଲା ଗୁପ୍ତାର ଚିଠି-
ପ୍ରିୟ ଅଗସ୍ତି,
ଆପଣଙ୍କର ସବୁ ଚିଠି ପାଇଛି।ମୁଁ ବହୁତ ବହୁତ ଦୁଃଖିତ ଯେ ଆଜି ପର୍ଯ୍ୟନ୍ତ ମୁଁ ଖଣ୍ଡିଏ ଚିଠି ବି ଦେଇ ନାହିଁ। ମତେ ଆପଣ ଅଭଦ୍ର ମନେ କରିଥିବେ।ମୁଁ ଆନ୍ତରିକତାର ସହିତ କ୍ଷମା ମାଗୁଛି।
ଆଜି ପର୍ଯ୍ୟନ୍ତ ମତେ ବହୁତ କଥା ଚିନ୍ତା କରିବାକୁ ପଡିଛି।ମୁଁ ଶେଷରେ ଆପଣଙ୍କ ପ୍ରସ୍ତାବକୁ ଗ୍ରହଣ କରୁଚି।ବାବା ଓ ମାଙ୍କର ସମ୍ମତି ମୁଁ ସଂଗ୍ରହ କରିଚି।ଏଇ ମାସ ୨୪ ତାରିଖରେହିଁ ଆମର ବିବାହ ରେଜିଷ୍ଟ୍ରେସନ ହେଉ।ଆପଣ ଚିଠି ପାଇବା ମାତ୍ରେ ଏଠାକୁ ଆସିଲେ ଭଲ ହେବ।
। ଇତି।
ଶୀଲା।
୧୯।୫।୭୬,
ଭୁବନେଶ୍ବର