-୨-
ଗୋଟିଏ ଦିନ ଭିତରେ ସବୁ ଏପାଖ ସେପାଖ ହୋଇଗଲା।ଯାହାହେଉ ସେଥିରେ ପରିଷଦର ସଭ୍ୟମାନଙ୍କର ଆନନ୍ଦ କହିଲେ ନ ସରେ।ପ୍ରବାସୀ ଓଡ଼ିଆ ସାହିତ୍ୟ ଓ ସଂସ୍କୃତି ପରିଷଦ‘ଭିତରେ କେତେ ଯେ ବଡ଼ ହୋଇଗଲା!ତାର ସଭାପତି ଓ ସମ୍ପାଦକଙ୍କୁ ଦେଖା କରିବାକୁ ରାଜ୍ୟ ସାହିତ୍ୟ ଏକାଡେମୀର ସଭାପତି,ହିନ୍ଦୀ ସାହିତ୍ୟ ପରିଷଦର ସଭାପତି ଯେ କି ନିଜେ ଜ୍ଞାନପୀଠ ପୁରସ୍କାର ଦ୍ବାରା ସମ୍ମାନିତ,ବଙ୍ଗୀୟ ସାହିତ୍ୟ ସମିତିର ସଂପାଦକ ସ୍ଥାନୀୟ କର୍ପୋରେସନ୍ର ମେୟର ଶେଷରେ ଖୋଦ ମୁଖ୍ୟମନ୍ତ୍ରୀଙ୍କର ବାର୍ତ୍ତାବହ ହାଜିର।ସୁଧାଂଶୁ ରାୟଙ୍କୁ ରାଜ୍ୟର ସମ୍ମାନିତ ଅତିଥି ଭାବରେ ଗ୍ରହଣ କରାସିବ।ସେ ରାଜଭବନରେ ରହିବେ,ସନ୍ଧ୍ୟାରେ ତାଙ୍କୁ କର୍ପୋରେସନ୍ ପକ୍ଷରୁ ସମ୍ମାନିତ କରାସିବ,ସେଥିରେ ମୁଖ୍ୟମନ୍ତ୍ରୀ ଗଭର୍ଣ୍ଣର,ମେୟର ସମସ୍ତେ ଉପସ୍ଥିତ ରହିବେ ତାଙ୍କର ଯିବା ଆସିବା ପାଇଁ ସରକାରୀ କାର୍ ରହିବ।ଉଚ୍ଚ ସରକାରୀ ଅଫିସର ମାନେ ତାଙ୍କର ତତ୍ତ୍ବାବଧାନ କରିବେ ଇତ୍ୟାଦି ବିପୁଳ ଆୟୋଜନ,କେବଳ ସେତିକି ସମୟ ପାଇଁ ସେ ସେଠାକୁ ଆସିବେ।ତାଙ୍କର ଯିବା ଆସିବା ଚିନ୍ତାର କାରଣ ନାହିଁ।ଷ୍ଟେସନ୍ର ସେଥିପାଇଁ ପ୍ରସ୍ତୁତ ହୋଇ ରହିଥିବ।ଷ୍ଟେସନ୍ରେ ତାଙ୍କୁ ସଂସ୍କୃତିକ ବିଭାଗ ମନ୍ତ୍ରୀ,ମେୟର ଓ ଅନ୍ୟମାନେ ରିସିଭ୍ କରିବେ।ଷ୍ଟେସନ୍ରୁ ସେ ସିଧା ରାଜଭବନକୁ ଯିବେ।ସେଠାରେ ଗଭର୍ଣ୍ଣରଙ୍କ ସହିତ ବ୍ରେକ୍ ଫାଷ୍ଟ୍,୩ଟା ବେଳେ ବଙ୍ଗୀୟ ସାହିତ୍ୟ ସମିତିରେ ସଭା,୪ଟା ବେଳେ ପ୍ରବାସୀ ଓଡ଼ିଆ ସାହିତ୍ୟ ସଂସ୍କୃତି ପରିଷଦର ବାର୍ଷିକୋତ୍ସବ।୭ଟା ବେଳେ କର୍ପୋରେସନ୍ ହଲ୍ରେ ନାଗରିକ ସଂବର୍ଦ୍ଧନା।ରାତ୍ରିରେ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ଆୟୋଜିତ ଭୋଜି ସଭାରେ ରାତ୍ରି ଭୋଜନ।ତା ପରଦିନ ସକାଳ ମେଲ୍ରେ ପ୍ରତ୍ୟାବର୍ତ୍ତନ।’
ପ୍ରୋଗ୍ରାମଟାକୁ ରାଗରେ ଫୋପାଡ଼ି ଦେଲେ ସୁଧାଦେବୀ। ସେ କହିଲେ,‘ମୁଁ ଏହାର ପ୍ରତିବାଦ କରୁଛି।ଏପରି ପ୍ରୋଗ୍ରାମ କରିବାକୁ ଆପଣ ମାନେ କିଏ?ଗଭର୍ଣ୍ଣର,ମୁଖ୍ୟମନ୍ତ୍ରୀ,ମେୟର,ସାହିତ୍ୟ ଏକାଡେମୀ ହିନ୍ଦୀ ସାହିତ୍ୟ ପରିଷଦ,ବଙ୍ଗୀୟ ସାହିତ୍ୟ ସମିତି ସମସ୍ତେ କେଉଁଠି ଥିଲେ ଆଜିଯାଏ?ଆମେ ତ ନିମନ୍ତ୍ରଣ କରି ଡାକିଲୁ।ସେମାନେ କିଏ ସେ ଏଥିରେ ଇଣ୍ଟରଫିଅର କରିବାକୁ।’
କିନ୍ତୁ ସମସ୍ତେ ବିନୟର ସହିତ ନିଜେ ଆସି ପରିଷଦର ସଭାପତିଙ୍କର ଅନୁମତି ଯେ ମାଗି ନେଇଛନ୍ତି-
‘ସଭାପତି ଅନୁମତି ଦେବାକୁ କିଏ?’ରାଗରେ ଫାଟି ପଡ଼ିଲେ ସୁଧା ଦେବୀ।
ସାହିତ୍ୟ ଏକାଡ଼େମୀର ସଭାପତି ଯେ ନିଜେ ଟେଲିଫୋନ୍ କରି ସୁଧାଂଶୁ ରାୟଙ୍କର ସମ୍ମତି ସଂଗ୍ରହ କରିଛନ୍ତି଼-
‘ଖାଲି ମିଛ,ସବୁ ଠକାମି,ପ୍ରତାରଣା!ସମସ୍ତେ ସ୍ବାର୍ଥପର।’ଆହୁରି ଆହୁରି କଡ଼ା ଓ ଖରାପ ଭାଷା ପ୍ରୟୋଗ କରିବାକୁ ଉଦ୍ୟତ ହେଉଥିଲେ ସୁଧାଦେବୀ।କିନ୍ତୁ ପାରିଲେ ନାହିଁ।ସେ ଆଉ ଚାପା କୋହ ସମ୍ଭାଳି ପାରିଲେ ନାହିଁ।ସୁଁ ସୁଁ ହୋଇ କାନ୍ଦି ଉଠିଲେ।
କିନ୍ତୁ ନିଜକୁ ସଂବରଣ କରି ଦେଇ ସେ କହିଲେ ଠିକ୍ ଅଛି।କିନ୍ତୁ ମୋର ପ୍ରୋଗ୍ରାମ ବାଦ୍ଯିବ ନାହିଁ।ତାର ଅର୍ଥ ପରିଷଦର ବାର୍ଷିକୋତ୍ସବ ପରେ ସୁଧାଂଶୁ ରାୟ ସୁଧା ଦେବୀଙ୍କ ଘରକୁ ଯିବେ। ଆଉ କେହି ଯାଇ ପାରିବେ ନାହିଁ ତାଙ୍କ ସାଙ୍ଗରେ।କେବଳ ସେ ଏକା,ଯେତେ ସମୟ ଇଚ୍ଛା ସେ ତାଙ୍କୁ ଘରେ ରଖିବେ।ହେଉ ପଛେ ରାଷ୍ଟ୍ରୀୟ ସମ୍ମାନ ଦେବାରେ ଡ଼େରି।ବାହାଘର ଲଗ୍ନ ତ ଗଡ଼ି ଯାଉନି।
ମୁଖ୍ୟମନ୍ତ୍ରୀ ଓ ମେୟର ଏ ପ୍ରସ୍ତାବକୁ ଗ୍ରହଣ କରିନେଲେ।ଅବଶ୍ୟ ପରିଷଦର ସଭାପତି ପ୍ରତିଶ୍ରୁତି ଦେଲେ ଯେ ପରିଷଦର ବାର୍ଷିକୋତ୍ସବ କାର୍ଯ୍ୟକ୍ରମକୁ ଟିକିଏ ସଂକ୍ଷିପ୍ତ କରି ଦିଆଯିବ।ଯେପରି କି କର୍ପୋରେସନ୍ ହଲ୍ରେ ସଭା ଠିକ୍ ସମୟରେ ହୋଇ ପାରିବ।
-୩-
ନିଦ୍ଦିଁଷ୍ଟ ଦିନ।
ସେଦିନ ପ୍ଲାଟ୍ଫର୍ମରେ ବିପୁଳ ଜନ ସମାଗମ।
ଟ୍ରେନ୍ ଦେଢ଼ଘଣ୍ଟା ବିଳମ୍ବରେ ପହଞ୍ଚିଲା।ତଥାପି ସମସ୍ତେ ଧୈର୍ଯ୍ୟର ସହିତ ଅପେକ୍ଷା କରିଥିଲେ।
ଟ୍ରେନ୍ରେ ଫାଷ୍ଟକ୍ଲାସ୍ କମ୍ପାର୍ଟମେଣ୍ଟ ଆଗରେ ଭାରୀ ଭିଡ଼।ଧୀରେ ଧୀରେ ଆସି ଦ୍ବାର ଦେଶରେ ଉଭାହେଲେ ସୁଧାଂଶୁ ରାୟ।‘ସୁଧାଂଶୁ ରାୟ’‘ସୁଧାଂଶୁ ରାୟ’କହି ସମସ୍ତେ ପରସ୍ପରର ଦୃଷ୍ଟି ଆକର୍ଷଣ କଲେ।
ସମସ୍ତ ପ୍ରଗଳ୍ପତା ହରାଇ ଶାନ୍ତ ହୋଇ ଯାଇଥିଲେ ସୁଧା ଦେବୀ।ତାଙ୍କୁ ବୋଧ ହେଉଥିଲା,“ସମସ୍ତେ ତାଙ୍କୁ ବଞ୍ଚନା ଓ ପ୍ରବଞ୍ଚନା କରି ତାଙ୍କରି ଐଶ୍ବର୍ଯ୍ୟରେ ଉଲ୍ଲାସ କରୁଛନ୍ତି।”
ସେ ଦେଖିଲେ ସାମାନ୍ୟ ପୃଥୁଳ,ପକ୍ବକେଶ,ଧୋତି ପରିହିତ ଲୋକଟିଏ ହାତଯୋଡ଼ି ସମସ୍ତଙ୍କୁ ନମସ୍କାର କରି ଧୀରେ ଧୀରେ ଟ୍ରେନ୍ରୁ ଅବତରଣ କଲେ।ତାପରେ ମାଲ୍ୟ ଦାନର ପାଲା-ଜଣକ ପରେ ଜଣେ।ପ୍ରଥମେ ସାଂସ୍କୃତିକ ବିଭାଗ ମନ୍ତ୍ରୀ,ତାପରେ ମେୟର,ତାପରେ ବିଶ୍ବବିଦ୍ୟାଳୟର କୁଳପତି,ତା ପରେ ରାଜ୍ୟ ସାହିତ୍ୟ ଏକାଡେମୀର ସଭାପତି, ତାପରେ ପ୍ରବାସୀ ଓଡ଼ିଆ ସାହିତ୍ୟ ଓ ସଂସ୍କୃତି ପରିଷଦର ସଭାପତି,ତାପରେ ହିନ୍ଦୀ ସାହିତ୍ୟ,ବଙ୍ଗୀୟ ସାହିତ୍ୟ,ତେଲୁଗୁ ସାହିତ୍ୟ,ଅସମୀୟା ସାହିତ୍ୟ,ଗୁଜୁରାଟି ସାହିତ୍ୟ…ପରିଷଦର ତାପରେ ଛାତ୍ର ପରିଷଦ ଇତ୍ୟାଦି ଲମ୍ବାଧାଡ଼ି ଶେଷରେ ଛୋଟ ଫୁଲହାରଟିଏ ଧରି ଠିଆ ହୋଇଥିଲେ ସୁଧାଦେବୀ।ତାଙ୍କ ସୁଧାଂଶୁଭାଇଙ୍କୁ ସେ ସମସ୍ତ ବାଧା ସତ୍ତ୍ବେ ନିଜର କରିନେଇ ଯିବେ ଏପରି ଏକ ବିଶ୍ବାସ ତାଙ୍କ ମନରେ ଠୁଳ ହୋଇ ରହିଥିଲା।
ପୁଷ୍ପମାଳ ଗ୍ରହଣ କରିବାକୁ ମୁଣ୍ଡ ନୁଆଁଇ ବୋଧହୁଏ କ୍ଳାନ୍ତ ହୋଇ ପଡ଼ିଥିଲେ ସୁଧାଂଶୁ ରାୟ।
ଧୀରେ ଧୀରେ ସୁଧାଦେବୀ ତାଙ୍କ ଆଡ଼କୁ ଆଗେଇ ଗଲେ।ତାଙ୍କ ବୁକୁ ଭିତରେ ଅଜସ୍ର କମ୍ପନ।
ସୁଧାଂଶୁ ରା଼ୟଙ୍କୁ ଅନ୍ୟତ୍ର ଦେଖିଥିଲେ ସେ ନିଜେ କଣ ଚିହ୍ନି ପାରିଥାନ୍ତେ।କେତେ ଯେ ପରିବର୍ତ୍ତନ ହୋଇଯାଉଛି ଏହାଭିତରେ।ସେଇ ଲମ୍ବା ପତଳା ଗୋରା ସୁନ୍ଦର ଚେହେରାରେ ବି ତୁମୁଳ ପରିବର୍ତ୍ତନ ହୋଇ ଯାଇଛି।ସୁଧାଂଶୁ ଭାଇ ମଧ୍ୟ ତାଙ୍କୁ ଚିହ୍ନି ପାରିବେ ତ!୩୨ ବର୍ଷର ବ୍ୟବଧାନ କିଛି କମ୍ କଥା ନୁହେଁ।କିନ୍ତୁ ସୁଧାଂଶୁଭାଇଙ୍କ ସହିତ ତାଙ୍କର ପରିଚୟ ହୃଦୟର, ମନର-ସେଠାରେ ସମୟର ପରିବର୍ତ୍ତନ କାଟୁ କରେନା।
ସୁଧାଦେବୀ ଆଗେଇ ଗଲେ।
ମାଲ୍ୟ ଗ୍ରହଣ କରିବାକୁ ସୁଧାଂଶୁରାୟ ମୁଣ୍ଡ ନୁଆଁଇ ଦେଲେ।
ସୁଧାଦେବୀ ମାଳାଟି ତାଙ୍କ ବେକରେ ଲମ୍ବେଇ ଦେଲେନାହିଁ।ମଧୁର ସ୍କିତ ହସି ପଚାରିଲେ,‘ସୁଧାଂଶୁଭାଇ,ମତେ ଚିହ୍ନି ପାରୁଚ ତ।’
‘ସୁଧାଂଶୁରାୟ ମୁଣ୍ଡଟେକି ତାଙ୍କୁ ଚାହିଁଲେ ସପ୍ରଶ୍ନ ଦୃଷ୍ଟିରେ।’
“ମୁଁ ସୁଧା, ତୁମ ସୁରେଖାର ନଣନ୍ଦ-”
“ସୁରେଖାର ନଣନ୍ଦ?”
“ହଁ,ମୁଁ ତାଙ୍କ ପିଇସୀ ଶାଶୁଙ୍କ ଝିଅ ସୁଧା-ଆମ ଘର ଅଙ୍ଗାରପଡ଼ା”
“ଓଃ କଣ କହିଲ ତୁମ ନା।”
“ସୁଧା।”
“ତୁମେ ଏଠି କଣ କରୁଚ?”
କିଏ ଜଣେ ପାଖରେ ଥିବା ଲୋକ କହିଲା,ସେ ପରିଷଦର ସହକାରୀ ସମ୍ପାଦକ।ଆଉ ଜଣେ କିଏ କହିଲା,ତାଙ୍କ ସ୍ବାମୀ ବିଶ୍ବବିଦ୍ୟାଳୟ ଲାଇବ୍ରେରୀରେ ଆସିଷ୍ଟାଣ୍ଡ ଲାଇବ୍ରେରୀଆନ୍।
“ଆଚ୍ଛା”-କହି ସୁଧାଂଶୁ ମୁଣ୍ଡ ନୁଆଁଇ ଦେଲେ।ସୁଧାଦେବୀଙ୍କ ଅଚଳ ହାତ ଆଗକୁ ଲମ୍ବିଗଲା।ସେ ତାଙ୍କ ବେକରେ ମାଲ୍ୟଦାନ କଲେ।
ପରେ ପରେ ସାଂସ୍କୃତିକ ବିଭାଗ ମନ୍ତ୍ରୀଙ୍କ ସହିତ ସୁଧାଂଶୁରାୟ କାର୍ରେ ଚାଲିଗଲେ ଚାକିରିଭବନକୁ।
ସନ୍ଧ୍ୟାରେ ପ୍ରୋଗ୍ରାମ ବଦଳିଗଲା।
ସୁଧାଦେବୀ କହିଲେ, ମୋ ପ୍ରୋଗ୍ରାମ କ୍ୟାନ୍ସେଲ୍ଡ୍।ମୁଁ ଆସୁଛି।
ତାଙ୍କ ସ୍ବାମୀ କହିଲେ‘ଏପରି କଣ ହୁଏ।’
“ହଁ ହୁଏ। ଅସୁସ୍ଥ ହେଲେ ସବୁ ହୁଏ।ତୁମେ କହି ଦେଇ ଆସ ମୋର ପ୍ରୋଗ୍ରାମ କ୍ୟାନ୍ସେଲ୍ଡ୍।”
ନିଦ୍ଦିଁଷ୍ଟ ସମୟରେ ଥିବା ଅନ୍ୟାନ୍ୟ କାର୍ଯ୍ୟକ୍ରମମାନ ସୁରୁଖୁରୁରେ ଚାଲିଥିବା ବେଳେ ସୁଧା ଦେବୀ ଅସହ୍ୟ ଯନ୍ତ୍ରଣାରେ କାତର ହେଉଥିଲେ।
ସେ କହୁଥିଲେ ତାଙ୍କ ମୁଣ୍ଡ ବିନ୍ଧୁଛି।ତାଙ୍କ ମୁଣ୍ଡ ଭିତରଟା ଫାଟି ଯାଉଛି।
କିନ୍ତୁ ପ୍ରକୃତରେ ତାଙ୍କ ମୁଣ୍ଡ ବିନ୍ଧୁଛି।ଯେପରି ଫାଟିଯାଇ ଖଣ୍ଡବିଖଣ୍ଡ ହୋଇ ଯାଉଥିଲା।
ସେ ଯନ୍ତ୍ରଣାରେ ଛଟପଟ ହେଉଥିଲେ।କେତେବେଳେ ବସୁଥିଲେ,କେତେବେଳେ ଉଠୁଥିଲେ,କେତେବେଳେ ଶୋଇ ପଡ଼ୁଥିଲେ-ମଝିରେ ଭୋ ଭୋ ହୋଇ କାନ୍ଦୁଥିଲେ।
ତାଙ୍କର ସ୍ବାମୀ ପ୍ରବଳ ଇଚ୍ଛା ସତ୍ତ୍ବେ କୌଣସି ସଭା ସମିତିରେ ଯୋଗ ନ ଦେଇ ତାଙ୍କର ଯତ୍ନ ନେଉଥିଲେ।ତାଙ୍କ ମୁଣ୍ଡରେ ଇଊଥେରିଆ ଲଗାଇ ଦେଉଥିଲେ।ବେଳେ ବେଳେ ମୁଣ୍ଡ ଚିପି ଦେଉଥିଲେ।ବେଳେ ବେଳେ ବୁକୁ ଉପରେ ଧରି ମୁଣ୍ଡ ଆଉଁସି ଦେଉଥିଲେ।
କିନ୍ତୁ ସୁଧା ଦେବୀଙ୍କର ଯନ୍ତ୍ରଣା ଉପଶମ ହେବାର କୌଣସି ଲକ୍ଷଣ ନଥିଲା।
ରାତି ଦଶଟା ବେଳେ ରେଡ଼ିଓରେ ସ୍ଥାନୀୟ ସମ୍ବାଦରେ ସୁଧାଂଶୁ ରାୟଙ୍କର ନାଗରିକ ସଂବର୍ଦ୍ଧନାର ସମ୍ବାଦ ପ୍ରଚାରିତ ହେବା ମାତ୍ରେ ସୁଧା ଦେବୀ ପାଟିକରି ଉଠିଲେ,ବନ୍ଦ କର ରେଡ଼ିଓ,ବନ୍ଦ କର।ଏ ଘରେ ବଞ୍ଚିବାକୁ ଦେବ ନାହିଁକି?
ତାଙ୍କର ସ୍ବାମୀ ରେଡ଼ିଓ ବନ୍ଦ କରି ଦେଇ ଆସିଲେ।
ତା ପରେ ସୁଧା ଦେବୀ ପ୍ରଳାପ କରିବା ପରି କହି ଚାଲିଲେ,“ଓଃ ଯେଉଁ ମଣିଷ ତ! କବି ନା ଛେନା ଗୁଡ଼।ଜ୍ଞାନପୀଠ ପୁରସ୍କାର ପାଇଗଲେ ତ କଣ ଟା ହୋଇଗଲା।ଯେଉଁ କବିତା ତ ଛାଡ଼।ଆଉ ସେଥିପାଇଁ ଏତେ ଗର୍ବ,ଏତେ ଅହଙ୍କାର । ମୁହଁ ଉପରକୁ ହୋଇଯାଇଛି ଯେ ମଣିଷ ଚିହ୍ନି ପାରୁନି।ଏତିକିରେ ତ ଏଡେ ସ୍ଫର୍ଦ୍ଧା!ଆଉ ବେଶୀ ହୋଇଥିଲେ ଚନ୍ଦ୍ର ସୂର୍ଯ୍ୟ ମାନନ୍ତା ନାହିଁ ପରା।ମୋ ଆଗରେ ଫୁଟାଣି ଚଳିବ ନାହିଁ ବାବା।ମୁଁ ତୁମଙ୍କୁ ଠିକ୍ ଜାଣିଚି।ଭୀମ ବଳ କୁନ୍ତୀଙ୍କୁ ଜଣା । କବି ନା ଫବି।,ପାଜି,ଚରିତ୍ର ହୀନ।”
ତାର କିଛି ସମୟ ପରେ ଅବଶ୍ୟ ସୁଧା ଦେବୀ ଭୋ ଭୋ ହୋଇ କାନ୍ଦି ଉଠିଲେ।
ତାଙ୍କ ସ୍ବାମୀ ତାଙ୍କୁ ବୁକୁ ଉପରେ ଭିଡି ଧରିଲେ, ମୁଣ୍ଡକୁ ଆଉଁସି ଦେଇ ସାନ୍ତ୍ବନା ଦେଲେ,‘ଛି କାନ୍ଦ ନାହିଁ,କାନ୍ଦ ନାହିଁ-
ସୁଧା ଦେବୀ ଧୀରେ ଧୀରେ ଶାନ୍ତ ହୋଇଗଲେ ଓ କିଛି ସମୟ ପରେ ସ୍ବାମୀଙ୍କ କୋଳରେ ମୁଣ୍ଡ ରଖି ଗଭୀର ନିଦରେ ଶୋଇ ପଡ଼ିଲେ।
କଟକ
୫।୩। ୮୦