ଅଫେଲିଆ
ପ୍ରିୟତମା ଅଫେଲିଆ,
ମୁଁ ତୁମ ବନ୍ଦନା କରେ ମୋ ଉଦ୍ଗତ ଅଶ୍ରୁର ଉଚ୍ଛ୍ବାସେ
ଅବରୁଦ୍ଧ କୋହ ମୋର ତୁମଲାଗି ଭାଙ୍ଗିପଡ଼େ
ମୋ କରୁଣ ରୋଦନରେ ହୃଦୟ ଆକାଶେ
ଜଳିଗଲା କେତେ ସ୍ବପ୍ନ ହାୟ ମୋର, କରାଳ କାଳର
ଅଗ୍ନିର ନିଃଶ୍ବାସେ।
ପ୍ରିୟତମା ଅଫେଲିଆ
ମୁଁ କି କେବେ ଭୁଲି ପାରେତୁମ ରୂପ ଅନୁପମ
ତୁମ ଶୋଭା ଅତୁଳନ
ତୁମ ସ୍ନିଗ୍ଧ ପ୍ରୀତିର ମାଧୁରୀ
ମୋ ସତ୍ତାର ପ୍ରତି ଅଣୁ ପରମାଣୁ ଭରି ଉଠେ
ତୁମ ଲାଗି ଆଜି ଖାଲି ବେଦନା ଉଛୁଳି,
ଅନାଥ ଶିଶୁର ପରି ମୋ ପ୍ରାଣ ତୁମକୁ ହୁଏ
ଅବିଶ୍ରାନ୍ତ ନୀରବରେ ଝୁରି।
ଅଫେଲିଆ,
ତୁମେ କି ହସୁଚ ଶୁଣି ମୋ ପ୍ରେମର ଅହମିକା
ମୋ ବ୍ୟଥାର ରୁଦ୍ଧ ଆସ୍ଫାଳନ,
ତୁମର ଜୀବନ କାଳେ ତୁମକୁ ଯେ କଲା ଘୃଣା
ତୁମର ମରଣ ପରେ କରେ ବୋଲି ଅଶ୍ରୁ ବିସର୍ଜନ?
ତୁମର ପ୍ରେମରେ କରି ଉପେକ୍ଷା ସେ କରେ ବୋଲି
ଆଜି ଏଇ ଆତ୍ମ ନିବେଦନ?
ହେ ଶ୍ରୀମୟୀ କାନ୍ତା ମୋର
ତୁମେକି ପାରିବ ବୁଝି
ମୋ ବିଦଗ୍ଧ ଆତ୍ମାର ଯେ ଦହନର ଜ୍ବାଳା,
ହେ ରୁପସୀ ପ୍ରିୟା ମୋର
ତୁମେ କି ପାରିବ କଳି, ମୋ ହୃଦୟ ସାଗରରେ
ଖେଳେ ଯହିଁ ଅବିରଳ, ମୋ ନିଭୃତ ପୀରତିର ଲକ୍ଷ ବୀଚିମାଳା।
ମୁଁ ଥିଲି ମାନସ ଲୋକେ
ପାଦ ତଳେ ଥିଲା ମୋର ଶୁଚି ସ୍ନିଗ୍ଧ ସବୁଜ ସ୍ବପନ
ଉପରେ କଳ୍ପନାକାଶ,
କାମନାର ଅମୃତ ବିଳାସ
ପାଇଁ ମୁଁ ଯେ କରୁଥିଲି ତୁମ ଲାଗି ପ୍ରୀତି ସଂଚୟନ।
ସିଏ ଏକ ନାରୀ,
ନିର୍ମମ ଅଘାତେ ଯିଏ ଭାଙ୍ଗି ଦେଲା ଅପଲକେ
ମୋ ମନ-କୋଣାର୍କେ ହାୟ
ତୋଳି ଥିଲି ଯାହା ମୋର ହୃଦୟର ଶୋଣିତ ନିଗାଡ଼ି।
ନିମିଷକେ ଅପସରି ଗଲା ସବୁ ସ୍ବପ୍ନଛାୟା