ମୋ ମନର ମଧୁମାୟା
ମୋ ସୃଷ୍ଟିର ବିକଚ ଯୌବନ
ମୋ ଦୃଷ୍ଟିର ମୋହିନୀ ଅଞ୍ଜନ,
ମୋ କ୍ଷୁବ୍ଧ ଅନ୍ତର ତଳୁ ଉତ୍ସରିତ ହେଲା ଖାଲି
ଉଚ୍ଛ୍ବସିତ ଜଳଧିର ବ୍ୟାକୁଳ କ୍ରନ୍ଦନ।
ଅଫେଲିଆ
ତୁମେ ବି ତ ନାରୀ।
ତୁମେ ତ ବହିଚ ସେଇ ଆଦିମ ନାରୀର ରକ୍ତ
ତୃଷିତ କାମନା।
ଆପଣାକୁ କେନ୍ଦ୍ର କରି ତୁମେ ସବୁ ଗଢ଼ିପାର
ତୁମେ ସବୁ ଭାଙ୍ଗିପାର
ତୁମ ପାଶେ ନିରର୍ଥକ ମର୍ମଝରା ଅଶ୍ରୁର ବେଦନା,
ଆପଣା ଉଲ୍ଲାସ ଲାଗି ଅନାୟାସେ କରିପାର ତୁମେ ପ୍ରବଞ୍ଚନା।
ପ୍ରୀତି ନାମେ ବିଷ ଢ଼ାଳି
ହୃଦୟରେ ଅଗ୍ନି ଜାଳି
ତୁମ ମୁଖେ ହାସ ଫୁଟେ-ବିଜୟର ହାସ।
ତୁମ ପାଇଁ ମୂଲ୍ୟବାନ୍ ଆପଣାର କ୍ଷଣିକ ଉଲ୍ଲାସ।
ଆଗୋ ନାରୀ ମାୟାବିନୀ,
ରୂପସୀ ନାଗିନୀ,
ତୁମରି ଜ୍ବାଳାରେ ଭରା ଆକାଶ ବତାସ
ବିଶ୍ବ ଇତିହାସ।
ତୁମର ବିକାଶ ନାହିଁ
ତୁମର ବିନାଶ ନାହିଁ
ପାପୀୟସୀ, ତୁମେ ଖାଲି ଚାଲିଅଛ ଯୁଗେ ଯୁଗେ
ଧରିତ୍ରୀରେ କରି ହାୟ ପ୍ରେମର ଲାଞ୍ଛନା
ପ୍ରଣୟେ ବଞ୍ଚନା।
ହେ ଚିର ଚଞ୍ଚଳମନା ନାରୀ ତୁମଲାଗି
ମନେ ମୋର ତୀବ୍ର ଘୃଣା ଅବିଶ୍ବାସ ଉଠୁଅଛି ଜାଗି।
ମୁଁ ତୁମଙ୍କୁ ଘୃଣା କରେ
ମୁଁ ତୁମଙ୍କୁ ଭୟ କରେ
ତୁମ ରୂପ କାନ୍ତି ତଳେ ଦେଖେ ମୁହିଁ ଚିତା ବହ୍ନିମାନ,
କହ ଅଫେଲିଆ
ତୁମଙ୍କୁ ମୁଁ ନାରୀ ଜାଣି
କେଉଁପରି ଦେବି ମୋର ପ୍ରେମର ସମ୍ମାନ?
ଅଫେଲିଆ,
ମୋ ମନେ ଅଶାନ୍ତ ଝଡ଼
ମର୍ମ ଫାଟି ଝରୁଚି ଶୋଣିତ,
ମୁଁ ତୁମଙ୍କୁ ଭଲପାଏ-ଏ ସତ୍ୟ କରୁଚି ମତେ
ନିବିଡ଼ ନିଭୃତ ପ୍ରାଣେ ନୀରବେ ପୀଡ଼ିତ।
ମୁଁ ଯଦି ପାରନ୍ତି ପୋଛି ମୋ ମନରୁ ତୁମ ସ୍ମୃତି,
ମୁଁ ଯଦି ପାରନ୍ତି ଫିଙ୍ଗି ତୁମର ମୋହିନୀ ମୂର୍ତ୍ତି
ମୋ ପ୍ରୀତି-ଦେବାୟତନୁ,
ମୁଁ ଯଦି ପାରନ୍ତି କରି ଖାଲି ଘୃଣା, ନିନ୍ଦା ଅପମାନ
ମୁହୂର୍ତ୍ତକ ପାଇଁ ହେଲେ ମୁଁ ପାରନ୍ତି କରି
ଶାନ୍ତି ଆସ୍ବାଦନ।
ବଞ୍ଚିବାକୁ ଚାହେଁ ନାହିଁ
ମୃତ୍ୟୁକୁ ମୁଁ ଭୟ କରେ,
ଭୟ କରେ ଯେତେ କିଛି କ୍ଷଣିକ ନଶ୍ବର
ମୁଁ ଖାଲି କାମନା କରେ ମୁକ୍ତି ଚିରନ୍ତନ
ସୁଖ ଦୁଃଖ ସମଭାବେ ମୋ ପାଇଁ ନିଷ୍ଫଳ।
ଜୀବନର ଯମଜ୍ବାଳା
ଏ ପ୍ରେମର ଅଭିଶାପ, ଅସହାୟ ଦୀର୍ଘ ଶ୍ବାସ
ମନ୍ଥନ କରୁଚି ମୋର ସକଳ ହୃଦୟ
ମରୁର ପ୍ରାନ୍ତର ସମ କେତେ କାଳ ସହିବି ମୁଁ
ଏ ଦାହ ଦୁଃସହ!
ତଥାପି ଗୋ ହେ ଶ୍ରେୟସୀ, ହେ ପ୍ରେୟସୀ
ସୁନ୍ଦରୀ ରୂପସୀ
ଅଫେଲିଆ,ପାରିବିକି ଭୁଲି କେବେ ହେଲେ
ତୁମେ ମୋର କଳ୍ପଲୋକ ଚାରିଣୀ ମାନସୀ
ଦେବୀ ମହୀୟସୀ।
ନିଜ ରୂପ ଗୁଣେ ଧନ୍ୟା
ତୁମେ ଗୋ ଅନନ୍ୟା,
ପରିପୂର୍ଣ୍ଣ ତୁମେ କିବା ପୁଣ୍ୟବତୀ ଗଙ୍ଗୋତ୍ରୀରେ
ଶ୍ରାବଣର ବନ୍ୟା।
ମୁଁ ଯାହା ପାଇଲି ନାହିଁ, ଅବା ଯାହା ହରାଇଲି
ସ୍ମୃତି ତାର ଦିନେ ମନୁ ହୋଇଯିବ ଦୂର,
ତୁମ ଲାଗି ଅନ୍ତହୀନ
ରହିବ ପ୍ରଣୟ ମୋର
କରିବ ଅନନ୍ତ କାଳ ମୋତେ ବ୍ୟଥା ବେଦନା ବିଧୁର।