ସନ୍ଧ୍ୟାରେ ଫେରି ସେଦିନ ଘରକୁ
ଦେଖିଲି ଆସିଛି ଭାଣିଜୀ ସୁଷମାମୟୀ
ପାଦଛୁଇଁ ମୋର ପ୍ରଣାମ କଲା ସେ
“ଚିହ୍ନି ପାରୁଛ କି ମୋତେ ଟିକି?” କହି କହି।
“କଅଣ କହୁଛୁ ଚିହ୍ନିବି ନାହିଁ ?”
ଚଞ୍ଚଳେ ସିଏ ଉତ୍ତର ଦେଲା ହସି,
“ଚହ୍ନିଚ ବୋଲି କୋଉଦିନ କହ
ଯାଇଛ ଟିକିଏ ଘରକୁ ମୋହର ପଶି?
ଦେବାକୁ ପଡ଼ିବ ବୋଲି ଭାବି ଦିନେ
ପଚାରିଲା ନାଇଁ ଗରିବ ଭାଣିଜୀଟାରେ,
ଅଭିମାନ ଛାଡ଼ି ଆସିଲି ନିଜେ ମୁଁ
ତୁମେ ଭୂଲିଗଲେ ମୁଁ କି ଆଉ ଭୂଲିପାରେ?”
ଏ ନାରୀ ଜାତିଟା ସତେ ସୁନିପୁଣ
ଅଭିମାନ କରି କହି ପାରିବାକୁ କଥା,
ସବୁ ବୁଝି ସୁଝି ଦୁଃଖ ପାଇବେ
ନିଜେ ପୁଣି ଦେବେ ଅପର ମନରେ ବ୍ୟଥା।
କହିଲି, ସୁଷମା ପାଠ ମୁଁ ପଢ଼ୁଛି
ଯିବାକୁ କୁଆଡ଼େ ପାଏ ନାହିଁ ଅବସର,
“ତୋତେ ଭୂଲିଯିବି? ଆଉଛ’ନ୍ତି କି
ଗୋଟିଏ ବୋଲି ତ ଅଛୁ ତୁ ଭାଣିଜୀ ମୋର।”
ଏସନ ସମୟେ ଉଭାହେଲା ଆସି
ସୁଷମା ମୟୀର ଅଞ୍ଚଳ ହାତେ ଧରି
ପାଞ୍ଚ ବା ଛଅ ବର୍ଷର ଏକ
ତନ୍ବୀ ବାଳିକା କଣ୍ଠେ ପୁଲକ ଭରି
ପଚାରିଲି “ଏଟା କିଏ କି ସୁଷମା?”
“ମାମୁଁ, ମୁଁ ତୁମକୁ ଦେବାକୁ ଆଣିଛି ପରା।
ଦାସୀକରି ରଖ-”ବାଳିକାଟିକୁ ସେ
କହିଲା ସଧିରେ ମୃଦୁମୃଦୁ କୋପଭରା
“ଅଜା ପରାସିଏ ପାଦତଳେ ଯାଇ
ମୁଣ୍ଡ ଲଗାଲୋ”କହିଲି ମୁଁ “ଥାଉଥାଉ
କି ନାଁ ଦେଇଛୁ?ପାଖକୁ ଆସିଲୁ,
ଆଲୋ ମାଆ ମୋର”“କିଲୋ ମନି ଯାଉନାହୁଁ !”
ନ ଆସିଲା ସିଏ ବୋଉର ପଣତ
ଭିତରେ ଆହୁରି ନିଜକୁ ଗୋପନ କଲା,
“ନ ଯାଉ ସେ ମାମୁଁ,ଭରସି ଗଲେ ସେ
ଲଗାଇବ ତମ ପାଖେ ଦିନରାତି ପାଲା”
ଭରସି ଯିବାକୁ ନଲାଗିଲା ଦିନ,
ଘଡ଼ିକ ଭିତରେ ହେଲା ସିଏ ଆପଣାର,
ପଚାରିଲି “କିଲୋ,ତୋ ନାମ କଅଣ?”
“ମୋ ନାମ କୁମାରୀ ମନିବାଳା ଦାସ।”
“ଘର?”“ସୁନ୍ଦର ଗଡ଼।”ବିସ୍ମିତ ହେଲି
କଥାରେ ତାହାର ବାଟୁଳି ବାଜୁନି ଦେଖି-
ପ୍ରଶ୍ନରେ ମତେ ପୋତି ପକାଇଲା
କାଗଜରେ ପୁଣି ଗଲା କେତେ କଥା ଲେଖି
ସାଙ୍ଗରେ ମୋର ରହିଲା ଲାଗିସେ
ଯିବାକୁ କୁଆଡ଼େ ନ ଦେଲା ଟିକିଏ ଛାଡ଼ି
ସୃଷ୍ଟିର ଯେତେ କଥା ଜାଣିଥିଲା
ପକାଇଲା ସବୁ ମୋର ପାଶେ ଉଦ୍ଗାରି।
ଖାଇବା ସମୟେ କହିଲି “ସୁଷମା
ଝିଅଟିକୁ ତୋର କରିଯାଆ ମୋତେ ଦାନ।”
ବାହା ମୁଁ ହୋଇନି,ଯୋଗ୍ୟ ନୁହେଁ ମୁଁ?
ହେଲା ଏବେ ଟିକେ କନ୍ୟାଟା ଟିକିଏ ସାନ।”
“ଛିଇ ଛିଇ ମାମୁଁ,ଏଇଟାକୁ କିଆଁ
ବାହାହେବ ତୁମେ?”-ପଚାରିଲି କିଲୋ ମନି
“ବାହାହେବୁ ମୋତେ?”ସଲାଜେ ମୁଣ୍ଡ
ହଲାଇ ଦେଲା ସେ ଜଣାଇ ଆସ୍ତି ବାଣୀ।
“କାଲି ଭଲଦିନ ବିଭାଘର ହେବ,
କହିଲି ଉଚ୍ଚେ, ଶୁଣିଲୁଣି ଆଲୋ ବୋଉ,
ବାହାଘର ମୋର କାଲି କରିଦିଏ
ଦେଖି ଯାଆ ତୋର କେମିତି ବଢ଼ିଆ ବୋହୂ।”
ଘରର ଭିତରୁ ଉତ୍ତର ଦେଲା,
ବୋଉ ହସି “କିଛି ଦେଖିବାକୁ ନାଇଁ ମୋର,
ଜାଣିଲିଣି ତୋତେ କୁହୁକ କଲା ସେ
ଆଜିକାଲି ପୁଣି ରାଜି ରୁଜା ବାହାଘର,”
ପରଦିନ ପ୍ରାତେ ଧୀରେ ଧୀରେ ମୋର
ପଢ଼ାଘରେ ଆସି କହିଲା, ମନି ମୋ କାନେ
“ଆଜି ପରା ଆମ ବାହାଘର ହେବ-
ପଢ଼ୁଛ କଅଣ…ତମର କି ନାଇଁ ମନେ?”
ଏତେ ବେଳ ଯାଏ ପୁରୋହିତ କିଆଁ
ଆସିଲେ ନି ସତେ!ବାଇଦ ବାଜଣା କାହିଁ?
ଆଉ କି ବନ୍ଧୁ ବାନ୍ଧବ କେହି
ଆସିବେନି?ମୋତେ ରହିଚ କଅଣ ଚାହିଁ!”
କହିଲି,“ଆମର ମନ ମିଳାମିଶା
ବାହାଘରେ ନାହିଁ ପୁରୋହିତ ଦରକାର,
ତୁ ମୋର ଗଳାରେ ଫୁଲମାଳ ଦେବୁ
ମୁଁ ଦେଲେ ତୋ ଗଳେ-ସରିଗଲା ବାହାଘର।”
ମନିର ମନକୁ ପାଇଲାନି କଥା
କହିଲା,“କଅଣ କହିବେ ଦାଣ୍ଡ ଲୋକେ!
ବେଦୀରେ ତ ହାତଗଣ୍ଠି ପଡ଼ିବ
ଖାଅନାହିଁ କିଛି ରହିବାକୁ ହେବ ଭୋକେ।”
ତମେ ଯାଇ ସବୁ ଆୟୋଜନ କର,”
“ମୁଁ ପରା ଗରିବ ଟଙ୍କା ପାଇବି କାହୁଁ-
ବୋଉ ପକାଇବ ଶୁଭ ହୁଳହୁଳି
ସେତିକିରେ ଆମ ବାହାଘର ହେଇଯାଉ।”
ଟିକିଏ ନୀରବ ରହି ଗମ୍ଭୀରେ
କହିଲା, “ତମର ଇଚ୍ଛା ଯାହା ତା କର,
ଭଗବାନ କଲେ ଗରିବ ଆମକୁ
ଯେଉଁ ପରି ହେଲେ ଆଜି ହେଉ ବାହାଘର,”
ବାହାଘର ହେଲା ପଡ଼ିଶା ଘରର
ଭାଉଜଟିଏ ସେ ସହଯୋଗ କଲା ଆସି,
ସାନ ଭଉଣୀ ମୋ ସୁରେଖା ଆଣିଲା
ବାଡ଼ି ବଗିଚାରୁ ଦୁର୍ବା କୁସୁମ ରାଶି।