ତୈଳ ବିହୀନ ପ୍ରଦୀପ ଜଳିଲା
ପ୍ରାଚୀନ ଗୋଟିଏ ଜୀର୍ଣ୍ଣ ବେଦୀକା ପରେ,
ନଇଁ ନଇଁ ଧୀରେ ମନି ଆସି ମୋର
ପାଶେ ବସି ମୋର ନୟନ ବୁଲାଇ ଖରେ
ବେଦୀପରେ ନାହିଁ ପୂର୍ଣ୍ଣ କଳସ
ଜଣାଇଦେଲା ସେ ସୁରେଖାକୁ ଆଖି ଠାରି,
ନୂଆବୋଉ କଲେ ମନ୍ତ୍ର ଯେ ପାଠ
ସୁରେଖା ଢ଼ାଳିଲା ମସ୍ତକେ ପୁତବାରି।
ପିଲାଏ କାଂସ୍ୟ ପାତ୍ରରେ କଲେ
କୋଳାହଳମୟ ବାଦ୍ୟର ଆୟୋଜନ
ପକାଇ ହସ୍ତ ଗ୍ରନ୍ଥି କରିଲେ
ନୂଆବୋଉ ଏଇ ପରିଣୟ ସମାପନ।
କାମ ଥିଲା ମୋର ବାହାରକୁ ଗଲି
ଫେରିଲି ଧରି ମୁଁ କିଛି ସୁସ୍ବାଦୁ ଫଳ
“ଦେଖିଲୁଣି ମନି,ତୋପାଇଁ ଆଣିଚି
କଅଣ ମୁଁ-”କାହିଁ ଦେଖା ମିଳିଲାନି ତାର
କୁଆଡ଼େ ଗଲାକି ମନି?” ପଚାରିଲି
ହେଲା ସିଏ ଆସି ଅଳ୍ପ ଦୁରେ ମୋ ଉଭା
ମୁଣ୍ଡେ ଓଢ଼ଣା,ସିନ୍ଦୂର ଭାଲେ,
ଦେହରେ ତାହାର ନୂତନ ବଧୁର ଶୋଭା।
“ଏମିତି କଅଣ କିଏ ଡାକେ?”ସତେ
ଭୂଲିଯାଇଥିଲି, “ଦୋଷ ସବୁ ମୋର ଦୋଷ,
ତମେ ମୋତେ ରାଣୀ,ଶିଖାଇ ନଦେଲେ,
ଶିଖାଇବ କିଏ? ନକର ମୋ ପରେ ରୋଷ।”
“କେଡ଼େ ଅଲାଜୁକ;ଶୁଣିବ କିଏସେ”
କଣ୍ଠରେ ଉପଦେଶର ଭଙ୍ଗୀ ଶୁଣି
ଫଳତକ ତାର ହାତକୁ ବଢ଼ାଇ
ମୁହେଁ ହାତ ଦେଇ ତୁରିତେ ରହିଲି ତୁନି।
“ଗୋଡ଼ ହାତ ଧୁଅ ସକାଳ ପହରୁ
ବୁଲୁଚ କୁଆଡ଼େ, ଚାଉଳ ହେଲାଣି ଭାତ”
ଫିଟାଇ ଦେବାକୁ ପାଦର ପାଦୁକା,
ତଳେ ବସି ତାର ବଢ଼ାଇଲା ଟିକି ହାତ।
‘ଥାଉ ଥାଉ’ କହି ଫିଟାଇଲି ଜୋତା
ପୋଷାକ ମୋ ନେଇ ରଖିଲା ଯତ୍ନ ଭରେ।
ଖାଇବା ପାଖରେ ବସି ଲଗାଇଲା
“ଏଇଟାକୁ ଖାଅ, ସେଇଟାକୁ ଖାଅ ଥରେ”
ପ୍ରତିଦିନ ଏଇ ବଧୂ ଅଭିନୟ
ମନି କରିବସେ, ହସିଲେ ଦେଖିବା ଜନେ,
ସେ ହସରୁ କିଛି ବୁଝିଲାନି ସିଏ,
ମିଥ୍ୟା ବୋଲିତା ଭାବିଲାନି କେବେ ମନେ,
ଚୁପି ଚୁପି କଥା ଟିପି ଟିପି ହସ
ପ୍ରଣମି ପ୍ରଭାତେ ଶିରେ ପଦଧୂଳି ଦେବା-
ନହୋଇଲା ଦିନେ ଭ୍ରାନ୍ତି କାହିଁରେ
ତ୍ୟକ୍ତ ମୋହର ଖାଦ୍ୟ କରଇ ସେବା।
ସେଦିନ ଫେରିଲି ବହୁତ ରାତିରେ
ସାରାଘର ହୋଇଯାଇଥିଲା ନୀରବିତ
ମୋ ଆସିବା ପଥ ଚାହିଁ ଚାହିଁ ଘରେ
ରହିଥିଲା ଏକମାତ୍ର ସେ ଜାଗରିତ।
“ଏ ଶୀତ ରାତିରେ ଏତେବେଳ ଯାଏଁ
କେଉଁଠାରେ ଥିଲ?-କଣ୍ଠେ ତା ଅଭିମାନ
ଦେହଟାକୁ ଖାଲି ଖରାପ କରୁଛ
କେତେକଥା ଭାବି କଅଣ ହେଉଚି ମନ,”
ଭୋଜନ ସାରିଲି ତେଜିଲି ଆସନ,
ବସିଲା ସେ ଆସି ତ୍ୟକ୍ତ ଆସନ ପରେ
ବିସ୍ମିତ ହେଲି ମୁଁ ଏତେବେଳ ଯାଏଁ
ନଥିଲା ବୋଲି ସେ ଖାଇ, ଚାହିଁ ଚାହିଁ ମୋରେ
ଦିନେ ମୋତେ ପାଇ ଏକଲା କହିଲା
“ଆଉ କେତେଦିନ ପଢ଼ୁଥିବ ଏଇ ପାଠ!
ବାହା ସାହା ହେଲେ ପିଲା ପିଲି ହେବେ
ଏଥରକ ଯାଇ ଦେଖ ରୋଜଗାର ବାଟ।”
“ପିଲା ପିଲି ହେବେ?କଅଣ କହୁଛ?
କହିଲି ଫୁଟାଇ ବିସ୍ମୟ କଉତୁକେ,”
“ଏଡୁଟିଏ ହେଲେ କିଛି ଜାଣିଲେନି-”
ଆଲୋ ମାଆ”କହି ହାତ ଦେଲା ସିଏ ମୁଖେ।
ଏଇଭଳି ଗଲା କିଛିଦିନ ବିତି
ମୋହର ପ୍ରତିଟି କଥାରେ ଯତ୍ନ ତାର,
ଭାବିଲି ମୁଁ ସତେ ନେଇଛି ଯେପରି
ପ୍ରିୟାଟିଏ ଆସି ଅର୍ଦ୍ଧ ଜୀବନ ଭାର।
ସୁଷମା ଫେରିବ,ଯିବାକଥା ଶୁଣି
ମନିର ମୁହଁରେ ବିଷାଦ ରହିଲା ଲାଗି,
ତୁନି ତୁନି ଦିନେ ଡାକି ସେ କହିଲା
ମତେ ଛାଡ ନାହିଁ ଏଡିକି ମୁଁ ହତଭାଗୀ-
ତମର ପାଖରେ ନରହି ରହିବି
ଆଉ କେଉଁଠାରେ, ମୋତେ ଲାଗିବନି ଭଲ,
ତମକୁ ମୋ ରାଣ ମନା କରିଦିଅ”
ଆଖି ପ୍ରାନ୍ତେ ତା ଲୁହ ହୁଏ ଛଳ ଛଳ
ଅନୁରୋଧ ରଖି ଅନୁରୋଧ କଲି
“ସୁଷମା କହିଲା” ମାମୁଁ ତମେ ହେଲ ବାଇ।
ତା’କଥା ଶୁଣୁଛ !ପାଠ ସେ ପଢ଼ୁଚି
ଯାହା ପଢ଼ିଥିଲା ଦେବଣି ତ ପୋଡ଼ି ଖାଇ।”
ଶେଷରେ ହେଲା ତା ଯିବା ନିଶ୍ଚିତ
“ରଖିଲନି ମୋତେ ଅଡୁଆ ତମର ହେଲି,
ପାଶୋରିବ ନାହିଁ ଚିଠି ଦେଉଥିବ
ଦଦରା ନାଆରେ ଦେଲ ଦରିଆକୁ ପେଲି।
ଦେହକୁ ରଖିବ ଯତ୍ନରେ ରାଣ-
ବୁଲାବୁଲି ଗୁଡ଼େ କରିବନି ଛୁଅଁ ଦିହ
ଚଞ୍ଚଳ ମତେ ଡକାଇ ଆଣିବ,
ହେଇଟି ତମର ଆଲମୀରା ଚାବି ନିଅ-”
କହୁ କହୁ ଗଲା ଗଣ୍ଡ ତାହାର
ଓଦା କରି ବହି ତପ୍ତ ବ୍ୟଥାର ବାରି
ମୁଣ୍ଡ ଲଗାଇ ପାଦତଳେ ମୋର
ତୋଳିନେଲା ଧୀରେ ସେ ମୋର ଚରଣ ଧୁଳି।
ମନୀ ଚାଲିଗଲା ଯନ୍ତ୍ର ଶଙ୍କଟ
ନେଇଗଲା ତାକୁ ଦୂରେ,ମୋହ ଠାରୁ ଦୂରେ
ଦୁଇ ଧାର ଲୁହ ଅଜାଣତେ ମୋର
ଝରି କେତେବେଳେ ପଡ଼ିଥିଲା ବୁକୁ ପରେ।
୨୧-୧୨-୫୪
କଟକ