ତା ପରେ ସେ ତାଙ୍କର ଭାଷଣ ଯଥାରୀତି ସଂବୋଧନ ପରେ ଏହିପରି ଆରମ୍ଭ କଲେ଼-‘ଆଜି ଏଠାରେ ଯେଉଁ କଲେଜ ପ୍ରତିଷ୍ଠା ହେଲା ସେଥିପାଇଁ ମୋର ଆନନ୍ଦକୁ ମୁଁ ଭାଷାରେ ପ୍ରକାଶ କରିପାରୁ ନାହିଁ।ମୁଁ ନିଜେ ଅଶିକ୍ଷିତ କହିଲେ ଚଳେ। ତିନିଥର ଚେଷ୍ଟାକରି ମଧ୍ୟ ମୁଁ ମାଟ୍ରିକ ପାଶ୍ କରିପାରି ନଥିଲି।ଛାତ୍ର ଭାବରେ ମୁଁ ଥିଲି ଅଧମ।ଉଚ୍ଚ ଶିକ୍ଷା ପାଇବାପାଇଁ ମୋର ସବୁ ସୁବିଧା ଥିଲା।କିନ୍ତୁ ମୋ ହାତରେ ପାଠ ହେଲାନାହିଁ।ମୁଁ ପାଠ ଛାଡ଼ିଦେଲି।କିନ୍ତୁ ଶିକ୍ଷାର ଯେ ଏକ ବିଶେଷ ମୂଲ୍ୟଅଛି ତାହା ମୁଁ ମର୍ମେ ମର୍ମେ ଅନୁଭବ କରି ଆସିଛି।ବଡ଼ ଦୁଃଖର କଥା,ବିଦ୍ୟା ପ୍ରତି ଯତ୍ନଶୀଳ ଅନେକ ମେଧାବୀଛାତ୍ର ଅର୍ଥ ଅଭାବରୁ,ଉଚିତ ସୁଯୋଗ ଅଭାବରୁ ଉଚ୍ଚଶିକ୍ଷା ପାଇବାରୁ ବଞ୍ଚିତ ହେଉଛନ୍ତି।କଥାରେ କହନ୍ତି‘କାନ ଥିଲେ ନୋଳି ନାହିଁ,ନୋଳି ଥିଲେ କାନ ନାହିଁ’।ଅନେକ ମେଧାବୀ ଛାତ୍ର ପଢ଼ିବାକୁ ବହି ପାଉନାହାନ୍ତି,କଲେଜରେ ନାମ ଲେଖାଇବାର ସଂବଳ ବି ଯୋଗାଡ଼ କରି ପାରୁନାହାନ୍ତି।ପାଠପଢ଼ାକୁ ଅଧାରେ ଛାଡ଼ି କେଉଁଠି କିରାନୀ ଚାକିରୀ କରି ନ୍ୟୁନତର ଲୋକଙ୍କର ବଶମ୍ବଦ ହେଉଛନ୍ତି-ଏ ସବୁର ଉଦାହରଣ ମୁଁ ଭାବୁଛି ଖୋଜିବାକୁ ପଡ଼ିବ ନାହିଁ।ତେଣୁ ଗୋଟିଏ କଳେଜ ପ୍ରତିଷ୍ଠା କରିବାକୁ ସଫଳ ହୋଇ ମୁଁ ଯେ ସ୍ଥାନୀୟ ଶିକ୍ଷାର୍ଥୀ ମାନଙ୍କ ପାଇଁ ସୁଯୋଗର ବ୍ୟବସ୍ଥା କରିଦେଇଛି ତା’ ନୁହେଁ।ମୁଁ ମନେ ମନେ ଏକ ଆତ୍ମତୃପ୍ତିର ସୁଯୋଗ ପାଉଛି।ମତେ ଲାଗୁଛି ଆଜି ଯେପରି ମୁଁ ଏକ ବଡ଼ ପରୀକ୍ଷାରେ ପାଶ୍ କରି ପାରିଛି।ସତରେ କହିବାକୁ ଗଲେ ମୁଁ ଏକ ବିଶେଷ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାକୁ ଯାଉଛି।
‘ମୁଁ ଏଇଠି ମୋ ଛାତ୍ର ଜୀବନର କିଛି କଥା କହିବି।ମନ୍ତ୍ରୀମାନଙ୍କୁ ତ ବହୁତ ସଭାରେ ଭାଷଣ ଦେବାକୁ ହୁଏ।ଏଣୁ କେହି ଦରକାରୀ ଅଦରକାରୀ,ପୁନରାବୃତ୍ତି ଦୋଷ ଥାଇ ଅନେକ କଥା କହିବାକୁ ପଡ଼େ ସେହି ଭାଷଣ ଭିତରେ।ଆପଣମାନେ କିନ୍ତୁ କେହି ମନେକରନ୍ତୁ ନାହିଁ ଯେ,ମୁଁ ଏଠାରେ ସଭାପତି ଭାବରେ ସେହିପରି ଗତାନୁଗତିକ ଏଣୁ ତେଣୁ ଗୁଡ଼ାଏ ଗପି ମୋର ଭାଷଣ ପୂର୍ଣ୍ଣ କରିବାକୁ ଚେଷ୍ଟା କରୁଛି।ମୁଁ ଯାହା କହିବାକୁ ଚାହୁଁଛି,ତାହା ଏକାନ୍ତ ଭାବରେ ନୂଆକଥା ମୁଁ ତାହା ଆଉ କେଉଁଠାରେ କହିନାହିଁ।ତେଣୁ ଆପଣମାନଙ୍କୁ ଅନୁରୋଧ,ଆପଣମାନେ ଟିକିଏ ଧୈର୍ଯ୍ୟ ସହିତ ମୋର କଥା ଶୁଣନ୍ତୁ।
‘ମୁଁ ଯେତେବେଳେ ଛାତ୍ରଥିଲି,ସେ ପ୍ରାୟ ୩୦।୪୦ ବର୍ଷ ତଳର କଥା।ମୋ ବାପାଙ୍କର ମୁଁ ଏକମାତ୍ର ପୁଅ।ଧନୀ ଘରର ପିଲା।ବାପା ଯାର ବିଶାଶହେ ବାଟୀ ଜମିର ମାଲିକ ତାର ପାଠପଢ଼ା ଏକ ବିଳାସ।ମୋ ବୋଉ ମତେ ଚାହାଳୀକୁ ପଠେଇବାକୁ ବି ଚାହୁଁ ନଥିଲା।କିନ୍ତୁ ବାପା ମତେ ଲାଗିପଡ଼ି ଠେଲି ପେଲି ହାଇସ୍କୁଲ୍ ପର୍ଯ୍ୟନ୍ତ ପଠାଇଥିଲେ।ବୋଉ ମତେ ଛାଡ଼ି ସବୁବେଳେ କାନ୍ଦୁଥିଲା।ମୁଁ ପୁଣି ତାକୁ ଛାଡ଼ି ହଷ୍ଟେଲରେ ରହିବି,ସବୁ ପିଲାମାନଙ୍କ ପରି ନିରିମାଖୀ ହୋଇ ରହିବି ଏ କଥା ଥିଲା ତା ପକ୍ଷରେ ଅସହନୀୟ।କିନ୍ତୁ ବାପାଙ୍କର ଜିଦ୍ ପାଖରେ ବୋଉର ସମସ୍ତ ଅନୁଯୋଗ ନିଷ୍ଫଳ ପ୍ରତିପନ୍ନ ହୋଇଥିଲା।’
‘ବାପା ମତେ ହଷ୍ଟେଲରେ ଛାଡ଼ିଥିଲେ।କିନ୍ତୁ ହଷ୍ଟେଲରେ ମୋ ପାଇଁ ଅନେକ ବିଶେଷ ବ୍ୟବସ୍ଥାଥିଲା।ସେପରି ବ୍ୟବସ୍ଥା କରିବା ପାଇଁ ଆଜି କାଲି ସିନା ସୁବିଧା ନାହିଁ,କିନ୍ତୁ ସେତେବେଳେ ଥିଲା।ମୁଁ ହଷ୍ଟେଲରେ ସୁପରିଟେନଡେଣ୍ଟ୍ ରହିବା ଘରେ ରହିଥିଲି।ମୋ ପାଇଁ ତଥା ସୁପରିନ୍ଟେନ୍ଟେଣ୍ଟ୍ଙ୍କ ପାଇଁ ସ୍ବତନ୍ତ୍ର ରନ୍ଧାର ବ୍ୟବସ୍ଥା ଥିଲା।ଘରୁ ଆସୁଥିଲା ସରୁଚାଉଳ,ଘିଅ,ମାଛ,ପନିପରିବା।ବାପା ଥିଲେ ଶିକାର ପ୍ରିୟ।ତେଣୁ ମଝିରେ ମଝିରେ ମିରିଗ,ହରିଣ ବା ଠେକୁଆ ମାଂସ ଆସି ପହଁଚି ଯାଉଥିଲା।ମୋର ବିଶେଷ ଯତ୍ନ ନେବା ପାଇଁ ବାପା ସୁପରିନ୍ଟେନ୍ଡେଣ୍ଟ୍ଙ୍କୁ ମାସିକ ୧୫ ଟଙ୍କା ଦେଉଥିଲେ।ତା ଛଡ଼ା ଚାଉଳ,ପନିପରିବା,ବି ଭାଗଥିଲା।ମେସ୍ର ପୂଜାରୀ,ଚାକର,ସ୍କୁଲର ପିଅନ ସମସ୍ତେ ଥିଲେ ମୋର ଅନୁଗତ।ସମସ୍ତଙ୍କୁ ବାପା ଅନୁଗ୍ରହୀତ କରିଥିଲେ।ଆଉ ପଢ଼ା ସାଥୀଙ୍କ କଥା କାହିଁକି କହିବି।ଶିକ୍ଷକମାନେ ତ ମତେ ସମ୍ମାନ କରୁଥିଲେ,ସେମାନେ ବା ନ କରନ୍ତେ କାହିଁକି?ମୋର ସଖ୍ୟ ସହଚର୍ଯ୍ୟ ପାଇବାକୁ ସେମାନେ ଖାଲି ଚାହିଁ ବସିଥିଲେ।ମୋର ସଖ୍ୟ ସହଚର୍ଯ୍ୟମାନେ ହିଁ ସୌଭାଗ୍ୟ।ବାପାଙ୍କର ସମସ୍ତ ତ୍ରୁଟିହୀନ ବ୍ୟବସ୍ଥା ଉପରେ ଥିଲା ମୋର ହାତଖର୍ଚ୍ଚ।ବାପା ଦେଉଥିଲେ ୧୦ ଟଙ୍କା ଏବଂ ବୋଉ ଦେଉଥିଲା ବେଳେ ବେଳେ ଦଶ,କେବେ ପନ୍ଦର,କେତେବେଳେ କୋଡ଼ିଏ।ଅର୍ଥାତ୍ ମୋର ପ୍ରାଚୁର୍ଯ୍ୟର ବିଚ୍ଛୁରଣରେ ସମସ୍ତେ ଅଭିଭୂତ ହୋଇ ପଡ଼ିଥିଲେ।
ମୋର ଐଶ୍ବର୍ଯ୍ୟର ଦୀପ୍ତି କେବଳ ଦୁଇଜଣଙ୍କୁ ଅଭିଭୂତ କରି ନ ଥିଲା।ସେମାନଙ୍କ ଭିତରେ ଜଣେ ହେଲେ ଖଦଡ଼ ପରିହିତ ନିର୍ମଳ ଗାନ୍ଧୀବାଦୀ ପ୍ରଧାନ ଶିକ୍ଷକ ନରହରିବାବୁ।ମତେ ଟିଉସନ୍ କରିବାପାଇଁ ବାପାଙ୍କର ଅନୁରୋଧକୁ ମଧ୍ୟ ସେ ପ୍ରତ୍ୟାଖ୍ୟାନ କରି ଦେଇଥିଲେ।ଆମ ଘରୁ ଆସୁଥିବା ସରୁଚାଉଳ,ଡାଲି, ମାଛ,ପନିପରିବା,ପିଠାପଣାରୁ ସେ କଣିକାଏ ଗ୍ରହଣ କରୁନଥିଲେ।ପାଠ ପାଇଁ ମତେ ଦୁଇ ଚାରିଥର ବେଞ୍ଚରେ ଠିଆ କରେଇ ଦେବାକୁ ଏକ ମାତ୍ର ତାଙ୍କରହିଁ ସାହସ ଥିଲା।ମୁଁ ଏକମାତ୍ର ତାଙ୍କୁ ଭୟ କରୁଥିଲି।
ଆଉ ଜଣେ ସେ ମୋର ଐଶ୍ବର୍ଯ୍ୟ ପାଖରେ ଅବିନତ ହୋଇନଥିଲେ,ସେ ହେଉଛନ୍ତି ମୋର ସହପାଠୀ ଦିଲୀପ ମହାନ୍ତି-ଯେ ଆଜିର ଏଇ ସଭାର ପ୍ରଧାନ ପୁରୋଧା।ନରହରିବାବୁ ଥିଲେ ଗାନ୍ଧୀବାଦର ବାହକ,ଆଦର୍ଶବାଦୀ।ତେଣୁ ସେ ଅନ୍ୟର ବିଭବପ୍ରତି ପ୍ରଲୋଭିତ ନହେବା ସମୀଚୀନ।କିନ୍ତୁ ଏଇ ଦିଲୀପ ମହାନ୍ତି ଯେ କିପରି ନିଜକୁ ଅବିଚଳିତ ରଖି ପାରିଥିଲେ ମୁଁ ଏବେ ବି ବୁଝିପାରିନାହିଁ।ସେ ଦିନର ଦିଲୀପ ମହାନ୍ତିଙ୍କୁ ମୁଁ ସ୍ପଷ୍ଟ ମନେରଖିଛି।ତାଙ୍କର ଥିଲା ଦୁଇଖଣ୍ଡ ହାତବୁଣା ଲୁଗା।ଗୋଟିଏ ଶସ୍ତାକନାର ଜାମା,ଖଣ୍ଡିଏ ଗାମୁଛା।ଗୋଟିଏ ବେତ ପେଟରା ଭିତରେ ସେ ତାଙ୍କ ଜିନିଷ ପତ୍ର ରଖୁଥିଲେ। ସେ ବେତ ପେଟରାରେ ଥିଲା ଗୋଟିଏ ଛୋଟ ଶିଶିରେ କିଛି ଲଗେଇବା ତେଲ,ଗୋଟିଏ କନା ମୁଣିରେ ଚୁଡ଼ା,ଗୋଟିଏ ଛୋଟ ମାଟି ପାତ୍ରରେ ଗୁଡ଼।ସମସ୍ତେ ଜାଣିଥିଲେ ଦିଲୀପ ମହାନ୍ତି ଗରିବ ଘରର ପିଲା।ତାଙ୍କର ବାପା ନାହାନ୍ତି।ତାଙ୍କର ମାଆ ତାଙ୍କୁ ବହୁତ କଷ୍ଟକରି ପାଠ ପଢ଼ାଉଥିଲେ।ପାଠପଢ଼ା ଥିଲା ତାଙ୍କର ଏକମାତ୍ର ଧ୍ୟାନ।ତଥାପି ସେ ଥିଲେ ମିଷ୍ଟଭାଷୀ ଓ ମେଳାପୀ।ନିରହଙ୍କାର ଓ ଅତି ସରଳ।ଶ୍ରେଣୀର ଶ୍ରେଷ୍ଠ ଛାତ୍ର ବୋଲି ସେ ଥିଲେ ସମସ୍ତଙ୍କର ପ୍ରିୟ।ମୁଁ ସେଥିପାଇଁ ତାଙ୍କ ସହିତ ବନ୍ଧୁତା କରିବାକୁ ଆଗ୍ରହୀ ଥିଲି।କିନ୍ତୁ ସେ ମୋର କୌଣସି ଦାନ ଗ୍ରହଣ କରୁନଥିଲେ।ଘରୁ ଆସିଥିବା ସାମାନ୍ୟ ପିଠା ଖଣ୍ଡିଏ ବି ମୁଁ ତାଙ୍କୁ ଦେବାପାଇଁ ସମର୍ଥ ହୋଇନାହିଁ।ଆଉ ଅଧିକ କଥା କଣ କହିବି!ତାଙ୍କ ପ୍ରତି ସେଥିପାଇଁ ମୋର ଏକପ୍ରକାର ସମ୍ମାନ ବୋଧ ଥିଲା କହିଲେ ଚଳେ।ତଥାପି ତାଙ୍କର ଅତ୍ୟଧିକ ନିଷ୍ପୃହତାକୁ ମୁଁ ତାଙ୍କର ଅହଙ୍କାର ବୋଲି ବେଳେ ବେଳେ ଅନୁଭବ କରୁଥିଲି।
‘ଏହି ସମୟରେ ଗୋଟିଏ ଶୋଚନୀୟ ଦୁର୍ଘଟଣା ଘଟିଲା-ବାପା ମୋର ମାସିକିଆ ଖର୍ଚ୍ଚ ପଠାଇଥିଲେ ପଚାଶ ଟଙ୍କା। ପାଞ୍ଚଖଣ୍ଡ ଦଶଟଙ୍କିଆ ନୋଟ୍।ସେ ଟଙ୍କା ହଷ୍ଟେଲର ସୁପରିନ୍ଟେନ୍ଡେଣ୍ଟ୍ଙ୍କ ପାଖରେ ରହିବା କଥା।କିନ୍ତୁ ସେଦିନ ସେ ମୁଁ ଓ ଦିଲୀପ ବସି ପଢ଼ୁଥିଲୁ।ଟଙ୍କାଟା ବହି ପାଖରେ ଥିଲା।ମୁଁ ଅଳ୍ପ ସମୟ ପାଇଁ ବାହାଘରକୁ ଯାଇଥିଲି।ଫେରି ଆସି ପଢ଼ି ବସିଲି।କିନ୍ତୁ ଦିଲୀପ ଚାଲିଗଲେ।କିଛି ସମୟ ପରେ ମୁଁ ଆବିଷ୍କାର କଲି ମୋର ପଚାଶଟଙ୍କା ସ୍ଥାନରେ ଅଛି ଚାଳିଶ ଟଙ୍କା ।ଦିଲୀପଙ୍କର କାରସାଦି ମୁଁ ବୁଝିପାରିଲି,ସାଙ୍ଗେ ସାଙ୍ଗେ ତାଙ୍କ ପାଖକୁ ଯାଇ କହିଲି,‘ମୋର ଦଶଟଙ୍କା ଦେଇଦିଅ। ସେ ଆକାଶରୁ ପଡ଼ିବାପରି କହିଲେ,‘ଦଶଟଙ୍କା।’ମୁଁ ତ ଜାଣେନା।ତୁମ ଟଙ୍କା ତୁମ ବହି ପାଖରେ ଥିଲା।ମୁଁ କହିଲି, ‘ଦିଲୀପ,ଆଉ ଛଳନା କରନା’।ଟଙ୍କାଟା ଦେଇଦିଅ।’ତାଙ୍କର ସେଇ ଏକା ଉତ୍ତର,ସେ ନେଇ ନାହାନ୍ତି।ମୁଁ କ୍ଷୁବ୍ଧ ହେଲି ତାଙ୍କର ଅସଦାଚରଣ ପାଇଁ।ଏପରି ମେଧାବୀ ଛାତ୍ର ଏପରି ନୀଚ ଘୃଣ୍ୟ କାମ କରିପାରେ ଏହାମୋର କଳ୍ପନାର ବାହାରେ ଥିଲା।ସାଙ୍ଗେ ସାଙ୍ଗେ ଖବରଟା ସାରା ହଷ୍ଟେଲରେ ବ୍ୟାପିଗଲା।ମୋର ଶୁଭେଚ୍ଛୁ ବନ୍ଧୁ ସମସ୍ତେ।ସମସ୍ତେ ମୋ ପ୍ରତି ସହାନୁଭୂତିଶୀଳ ହେବା ସଙ୍ଗେ ସଙ୍ଗେ ଦିଲୀପଙ୍କୁ ଭର୍ତ୍ସନା କରିବା ଆରମ୍ଭ କରିଦେଲେ।ସନ୍ଧ୍ୟାବେଳକୁ ସୁପରିନ୍ଟେନ୍ଡେଣ୍ଟ୍ ଆସିଲେ।ଅଭିଯୋଗଟା ମୋ ଠାରୁ ଶୁଣି ସେ ରାଗରେ ଅଗ୍ନିଶର୍ମା ହୋଇଗଲେ।ତଥାପି ସେ ଦିଲୀପଙ୍କୁ ଡ଼ାକି ଟଙ୍କାଟା ଫେରାଇ ଦେବାକୁ ପରାମର୍ଶ ଦେଲେ। ଭରସା ଦେଲେ,ସେ ତାଙ୍କର ଭୁଲ୍କୁ କ୍ଷମା କରିଦେବେ।ଟଙ୍କାଟା ନଦେଲେ କିନ୍ତୁ ଫଳ ଖରାପ ହେବ,ଇତ୍ୟାଦି ଅନେକ କଥା କହିଲେ।ଦିଲୀପଙ୍କର ସେହି ଏକା ଉତ୍ତର,ସେ ଟଙ୍କା ନେଇ ନାହାନ୍ତି।ସୁପରିନ୍ଟେନ୍ଡ଼େଣ୍ଟଙ୍କର ଧୈର୍ଯ୍ୟଚ୍ୟୁତି ଘଟିଲା।ସେ ଦିଲୀପଙ୍କୁ ପ୍ରଥମେ ହାତରେ ଓ ପରେ ବେତରେ ମାଡ଼ ଚଢ଼େଇଲେ।କିନ୍ତୁ ଅବିଚଳ ଦିଲୀପଙ୍କର ଏକା ଉତ୍ତର,‘ମୁଁ ଟଙ୍କା ନେଇ ନାହିଁ।’
ସୁପରିଟେନ୍ଡେଣ୍ଟ୍ ଙ୍କର କ୍ରୋଧର ସୀମା ରହିଲା ନାହିଁ।ଦିଲୀପଙ୍କର ଅପରାଧପାଇଁ ସେ ଯେତେ ବିବ୍ରତ ନୁହନ୍ତି ମୋ ପାଇଁ ସେ ବେଶୀ ଚିନ୍ତିତ। କଣ କହିବେ ମୋ ବାପା ତାଙ୍କୁ।ମୋ ଟଙ୍କା ଚୋରି ଗଲା।ଏହାଠାରୁ ବଳି ତାଙ୍କର ଆଉ ବଡ଼ ଅପରାଧ କଣ ହୋଇପାରେ।ସେ ଦିଲୀପଙ୍କର ସବୁ ଜିନିଷ ପତ୍ର ତନ୍ନ ତନ୍ନ କରି ସନ୍ଧାନ କଲେ।କିନ୍ତୁ ଟଙ୍କା ମିଳିଲା ନାହିଁ।
ସେଦିନ ଦିଲୀପ ଯେଉଁ ଦଣ୍ଡ ପାଇଥିଲେ ତାହା ଅତ୍ୟନ୍ତ ନିର୍ମମ।ସମସ୍ତେ ନିଃସନ୍ଦେହ ଥିଲେ ଯେ ଅଭାବ ପୀଡ଼ିତ ଦିଲୀପ ଅର୍ଥ ପ୍ରତି ପ୍ରଲୁବ୍ଧ ହୋଇ ଏହି କୁକୀର୍ତ୍ତି କରି ପକାଇଛନ୍ତି,ଏକଦୁର୍ବଳ ମୁହୂର୍ତ୍ତରେ।ମୋର ବନ୍ଧୁମାନେ କହିଲେ, ଚୋରକୁ ଉଚିତ ଦଣ୍ଡ ହୋଇଛି।
କିନ୍ତୁ ତା ପରଦିନ ସକାଳେ ମୁଁ ଆବିଷ୍କାର କରିଥିଲି ଦିଲୀପ ଥିଲେ ଏକାବେଳକେ ନିର୍ଦ୍ଦୋଷ।ମୁଁ ଯେତେବେଳେ ମଝିରେ ବାହାରକୁ ଗଲି,ସେତେବେଳେ ଚିହ୍ନ ରଖିଯିବାକୁ ଗୋଟିଏ ଦଶଟଙ୍କିଆ ନୋଟ ବହି ଭିତରେ ରଖି ଦେଇଥିଲି।କିନ୍ତୁ ସେ କଥା ମୋର ଆଦୌ ମନେ ପଡ଼ି ନଥିଲା।ଅଭାବୀ ଦିଲୀପଙ୍କ ଉପରେ ସନ୍ଦେହ ହେବା ମାତ୍ରେ ମୋ ମନ ଭିତରକୁ ଅନ୍ୟ କୌଣସି ଚିନ୍ତା ଆସିନଥିଲା।ତା ପରଦିନ ବହିଭିତରେ ଟଙ୍କାଟା ଦେଖିବା ମାତ୍ରେ ମୋର ମନେପଡ଼ିଗଲାଯେ ମୁଁ ନିଜେ ହିଁ ସେ ଟଙ୍କା ସେହି ବହି ଭିତରେ ରଖିଥିଲି।ସତ୍ୟକୁ ଆବିଷ୍କାର କରି ମୁଁ ବିମୂଢ଼ ହୋଇଗଲି।ମୁଁ ନୀରବରେ ଅନୁତାପ କଲି। ଦିଲୀପଙ୍କ ପାଖକୁ ଦୌଡ଼ିଗଲି।ତାଙ୍କ ମୁଣ୍ଡ ଫୁଲିଯାଇଥିଲା ମାଡ଼ରେ।ତାଙ୍କ ଆଖି ଦୁଇଟି ଫୁଲି ଯାଇଥିଲା କାନ୍ଦି କାନ୍ଦି।ମୁଁ ଯାଇଥିଲି କହିବାକୁ ଦିଲୀପ,ତୁମେ ନିର୍ଦ୍ଦୋଷ।ଟଙ୍କାଟା ମିଳିଯାଇଛି,କିନ୍ତୁ ତାଙ୍କର ଅବସ୍ଥା ଦେଖି ମୁଁ କିଛି କହିପାରିଲି ନାହିଁ।ମୋର ସତ୍ ସାହାସ ଆଉ ନଥିଲା।ମୁଁ ଚୁପ୍ଚାପ୍ ରହିଗଲି।ମନ ବହୁତ ଖରାପ ହୋଇଗଲା।ତା ପରେ ମୁଁ ଦିଲୀପଙ୍କ ସହିତ ବନ୍ଧୁତା କରିବାକୁ ଚେଷ୍ଟା କରିଛି।କିନ୍ତୁ ଦିଲୀପଙ୍କୁ ଆଉ ପାଇନାହିଁ।ସେହି ଘଟଣା ପରଠାରୁ ସେ ବଦଳି ଯାଇଥିଲେ। କାହା ସହିତ ମିଳାମିଶା କରୁନଥିଲେ। ପାଠ ପଢ଼ିବା ଛଡ଼ା ତାଙ୍କର ଆଉ କୌଣସି କାମ ନଥିଲା।
ଭାଇ ଓ ଭଉଣୀମାନେ,ଆଜିକୁ ତିରିଶ ବର୍ଷରୁ ଦୀର୍ଘକାଳ ମୁଁ ଦିଲୀପଙ୍କ ପାଖରେ ମନେ ମନେ କ୍ଷମା ମାଗିଛି। କେତେଥର ଭାବିଛି ତାଙ୍କ ପାଖକୁ ଚିଠି ଲେଖି ସତକଥାଟା ଜଣାଇଦେବି।କିନ୍ତୁ ପାଉନାହିଁ।ସେ ସତ୍ ସାହାସ ମୋର ହୋଇନାହିଁ।ଦିଲୀପଙ୍କୁ କଲେଜରେ ପାଠପଢ଼ା ବେଳେ ସାହାଯ୍ୟ କରିବାକୁ ଇଚ୍ଛା ପ୍ରକାଶ କରି ଥରେ ତାଙ୍କ ପାଖକୁ ଚିଠି ଦେଇଥିଲି।ସେ ଅଳ୍ପ କଥାରେ ଧନ୍ୟବାଦ ଜଣାଇ ସାହାଯ୍ୟ ପ୍ରତ୍ୟାଖ୍ୟାନ କରିଥିଲେ।
ତା ପରେ ସମୟ ଗଡ଼ି ଯାଇଛି।
ଆମ ଦୁହିଁଙ୍କ ଅବସ୍ଥାରେ ବହୁତ ପରିବର୍ତ୍ତନ ଘଟି ଯାଇଛି।କିନ୍ତୁ ମୁଁ କେବେ ଦିଲୀପଙ୍କୁ ଭୁଲିନାହିଁ।ତାଙ୍କ ଖବର ସବୁ ବେଳେ ରଖିଛି।ସେ ପରୀକ୍ଷାରେ କୃତିତ୍ବର ସହିତ ଉତ୍ତୀର୍ଣ୍ଣ ହେଲେ।ସେ ପଢ଼ିବାକୁ ଜର୍ମାନ୍ ଗଲେ।ମୁଁ ସବୁ ଖବର ରଖିଛି।ତାଙ୍କର ଉନ୍ନତିରେ ଖୁବ୍ ଆନନ୍ଦ ଅନୁଭବ କରିଛି।କିନ୍ତୁ ସତ କହୁଛି ଦିଲୀପଙ୍କ ପାଖରେ ସେଦିନ ମୁଁ କରିଥିବା ଅପରାଧ ପାଇଁ ମୋର ହୃଦୟର ଜ୍ବାଳା ଶାନ୍ତ ହୋଇନାହିଁ।
ଏହି କଲେଜର ଉଦ୍ଘାଟନ ଉତ୍ସବକୁ ମୁଁ ତାଙ୍କୁ ନିମନ୍ତ୍ରଣ କରିଥିଲି,ଭେଟିବାର ଏକ ସୁଯୋଗ ସୃଷ୍ଟି କରିବାକୁ।ମୋର ବହୁତ ଭୟ ଥିଲା,ସେ ମୋର ନିମନ୍ତ୍ରଣ ରକ୍ଷା କରିବେ ନାହିଁ।କିନ୍ତୁ ସେ ଉଦାର।ଅତୀତ ପାଖରେ ସେ ବନ୍ଧା ପଡ଼ିନାହାନ୍ତି।ସେ ଏଠାକୁ ନିମନ୍ତ୍ରଣ ରକ୍ଷାକରି ଆସିଛନ୍ତି।ଏ ସମସ୍ତର ଅର୍ଥ ସେ ମତେ ଅଯାଚିତ ଭାବରେ କ୍ଷମା ଦେଇଛନ୍ତି।ତଥାପି ମୁଁ ଏହି ସୁଯୋଗରେ ମୋର ସେ ଦିନର ଅକ୍ଷମଣୀୟ ଅପରାଧ ପାଇଁ ଆପଣମାନଙ୍କ ସମ୍ମୁଖରେ ତାଙ୍କଠାରୁ ନତଜାନୁ ହୋଇ କ୍ଷମା ମାଗୁଛି।
କୁବେର ଦଳେଇ,‘କ୍ଷମା ମାଗୁଛି,କହିବା ବେଳକୁ ଯାଇ ପହଞ୍ଚି ଯାଇଥିଲେ ସାରାକ୍ଷଣ ମୁଖାନତ କରି ବସି ରହିଥିବା ଦିଲୀପ ମହାନ୍ତିଙ୍କର ପାଦ ତଳରେ।ଦିଲୀପ ମହାନ୍ତି ହତଭମ୍ବ ହୋଇ ଚଉକିରୁ ଉଠି ପଡ଼ିଲେ ଏବଂ କୁବେଳ ଦଳେଇଙ୍କୁ ତଳୁ ଉଠାଇ ବୁକୁ ଉପରେ ଧରି ଭୋ ଭୋ ହୋଇ କାନ୍ଦି ଉଠିଲେ।କୁବେର ଦଳେଇ ମଧ୍ୟ ଦିଲୀପ ମହାନ୍ତିଙ୍କୁ ଛାତିରେ ଭିଡ଼ିଧରି ଭୋ ଭୋ ହୋଇ କାନ୍ଦିଲେ।
କିଛି ସମୟ ପାଇଁ ସମଗ୍ର ସଭାସ୍ଥଳ ନୀରବ।
ତାପରେ କଲେଜ ପରିଚାଳନା ସମିତିର ସଭାପତି ତଥା ହାଇସ୍କୁଲର ପ୍ରଧାନ ଶିକ୍ଷକ ଗାନ୍ଧିବାଦୀ ନରହରିବାବୁ ସେ ଦୁହିଁଙ୍କୁ ପରସ୍ପରଠାରୁ ଅଲଗା କରି ଚଉକିରେ ବସେଇ ଦେଲେ। ତଥାପି ସେମାନଙ୍କର କୋହ ଶେଷ ହୋଇ ନଥାଏ।
ତା ପରେ ନରହରିବାବୁଙ୍କର ଅନ୍ତିମ ଭାଷଣ-’ଏହି ଶିକ୍ଷାୟତନର ଭିତ୍ତିଭୂମି ହେଉ ଏହି ଦୁଇବନ୍ଧୁଙ୍କର ହୃଦୟର ମହତ୍ତ୍ବ’ ସହିତ ସଭା ସାଙ୍ଗ ହେଲା।
୨୭। ୧୦। ୭୫
ଭୁବନେଶ୍ବର