॥ ୧ ॥
ସେ ଏକ ଶରତର ବିମଳ ରାତେ
ସୋହାଗୀ ପତି କୋଳେ ବସି,
ଛନ୍ଦି ଯୁଗ କରେ ପତିର ଗଳା,
ମଧୁରେ କହେ ମଦାଳସୀ।
ସକାଳେ ଆସିଥିଲା, ଏଆଡ଼େ ବୁଲି,
ବିପିନବାବୁ ସାନଝିଅ,
ପ୍ରତିମାଟିଏ ସତେ ଦେଖିବା ଲାଗି
ସୁନାର କାଠିପରି ଦିହ।
ବରଷ ଦୁଇ ତଳେ ହୋଇଚି ବାହା
ପୁରୀର କେଉଁ ମଫସଲେ
ସ୍ବାମୀର ସାଥେ ସଦା ବିଦେଶେ ରହେ
ଆସିଚି ଦୁଇ ବରଷରେ।
ନୀରବ ମଦାଳସୀ ଏତିକି କହି;
ପଚାରେ ପତି ହେମଭାନୁ।
ତା ସ୍ବାମୀ କେଉଁଠାରେ କି କାମ କରେ-
ନୟନେ ପ୍ରୀତିରେଖା ଟାଣୁ
କହିଲା ମଦାଳସୀ,‘ତୁମରି ପରି
ଡେପୁଟି ସିଏ କଟକରେ
ସ୍ବାମୀର ଯଶୋଗାନେ ଭରିଚି ମୁଖ
ଭାସୁଚି ସୁଖ ସାଗରରେ।
ମୁଣ୍ଡୁ ପାଦଯାଏ ଗହଣାଭରା
କେଉଁଠି ଥାନ ନାହିଁ ବାକି
ନୂତନ ଡିଜାଇନ୍ ନଥିଲି ଦେଖି,
ଝଲସି ଉଠୁଥିଲା ଆଖି।”
ଟିକିଏ ମଦାଳସୀ ନୀରବ ରହି
ନୟନ କରି ଅବନତ
କହିଲା,“କହିବି ମୁଁ ଗୋଟିଏ କଥା
କହ ମୋ କଥା ରଖିବତ?”
“ରଖିବି କହ”ଶୁଣି ପ୍ରଣ଼ୟାବେଶେ
ଝରାଇ ହସ ଓଠ ତୀରେ
ଚନ୍ଦ୍ରହାର ଏବେ ଦେବକି ଆଣି”
କହିଲା ମଦାଳସୀ ଧୀରେ।
ଦେଇଚି ହେମଭାନୁ ଭରସା ଆଗୁ
କହିବ ‘ନାହିଁ କେଉଁପରି।
କହିଲା“ଆଣିଦେବି’’ପୁଲକ ରାଶି
ପତ୍ନୀ ବୁକେ ଗଲା ଭରି।
ବାନ୍ଧି ସୁନିବିଡେ ଯୁଗଳ କରେ
ପୋତିଲା ପତି ବୁକେ ମୁଖ
ଭାବିଲା ମନେ ମନେ ଏଇଠି ଅଛି
ମୋ ପାଇଁ ସୀମାହୀନ ସୁଖ।
॥ ୨ ॥
“ଆଣିଚ”କହି କହି ଦି ମାସ ଗଲା”
କଣ୍ଠେ ଭରି ଅଭିମାନ
କହିଲା ମଦାଳସୀ,“ଠକୁଚ କିଆଁ
ଦେବାକୁ ନାହିଁ ଯଦି ମନ!!
କରିବା ‘ନାହିଁ’ଭଲ ନ ଦେଇ ଆଶା-”
କହିଲା ହେମଭାନୁ ହସି
ଏ ମାସେ ଆଣିଦେବି ନ କର ରୋଷ
ହେ ମୋର ପ୍ରିୟା ମଦାଳସୀ।”
ଗୋଟିକ ପରେ ଗଲା ଗୋଟିଏ ଦିନ
ଆସିଲା ମାସ ଶେଷ ରାତି
ନିରାଶ ମଦାଳସୀ ବିରସ ମନ-
‘କି ଠକ ଏ ପୁରୁଷ ଜାତି।’
ଫେରିଲା ହେମଭାନୁ ଶୋଇଛି ଦେଖି
ଡାକିଲା ଉଠ ମଦାଳସୀ।
ସକଳ ଦିନପରି ନ ଆସେ ସେ ତ
ପ୍ରଥମ ଡାକେ ମୃଦୁ ହସି ।
ବହୁତ ଡାକେ ଉଠି ବସିଲା ସିନା
ମୁଖରେ ନାହିଁ ତାର ବାଣୀ।
ନୀରବେ କରିଗଲା ସକଳ କାମ,
ଉଦାସେ ହେମଭାନୁ ରାଣୀ।
ଦେଖିଲା ହେମଭାନୁ ନ ଖାଇ କିଛି
ଶୋଇଲା ମଦାଳସୀ ତଳେ।
“ଖାଇଲ ନାଇଁ କିଆଁ’’ ପଚାରେ ସିଏ
ସେନେହ ସୁରଭିତ ଗଳେ।
‘ମୋ ଦେହ ଭଲ ନାହିଁ,’ଶୁଣି ତା କଥା
ଚକିତ ହେମଭାନୁ ହୁଏ।
ଦେହର ପରୁ ଠେଲି ପତିର ହାତ,
କହିଲା,“ନାଇଁ କିଛି ନୁହେଁ-”
ଶୋଇଲ ତଳେ କିଆଁ, ଉପରେ ଆସ-
ନୀରବ ମଦାଳସୀ ରହେ
“ଶୁଣୁଚ ମଦାଳସୀ, ମୋ କଥା ମାନ-”
ସେନେହେ ହେମଭାନୁ କହେ।
ଶୁଣିଲା ନାଇଁ କିଛି ଆଦର କଥା
ସେ ମଦାଳସୀ ମାନମୟୀ
ଜାଣିଛି ହେମଭାନୁ ଏ ଅଭିମାନ
ମୂଳେ କି କଥା ଅଛି ରହି।
ବୁକୁରେ ତୋଳି ନେଇ ସେନେହ ଭରେ
ଅଣିଲା ଆପଣାକୁ ଟାଣି
ପ୍ରତିଟି ଥର କିଛି ନ କହି କଥା
ମାନିନୀ ହେମଭାନୁ-ରାଣୀ।
ବିଫଳ ମନୋରଥ, ଦୀର୍ଘଶ୍ବାସ
ପକାଇ ଫେରେ ହେମଭାନୁ,
ଭୂମିର ତଳପରେ ସେ ମାନମୟୀ
ରହିଲା ସେଇପରି ସ୍ଥାଣୁ।
ତା ପରଦିନ ପ୍ରାତେ ଦେଖିଲା ତାର
ତଳପୁ ମଦାଳସୀ ଉଠି
ତା ହେମ ବୁକୁପରେ ଚନ୍ଦ୍ରହାର
ଅଧରେ ଗଲା ହସ ଫୁଟି,
ଶୋଇଚି ହେମଭାନୁ ଏକାକୀ ଶେଷେ
ଲଭିଲା ବ୍ୟଥା ମଦାଳସୀ
ସକଳ ଦେହଭାର ଅଜାଡି ଦେଲା
ଆବେଗେ ପତି ପାଶେ ବସି।
॥ ୩ ॥
ନ ଯାଉ ଚାରିମାସ, ସଂଜେ ଏକ
ପତିର ବୁକେ ରଖି ମୁଖ,
କହିଲା ମଦାଳସୀ,‘ବଳୟ ଦୁଇ
ଆଣିବ, ଖାଲି ହାତ ଦେଖ।
“କହୁନା କିଛି କିଆଁ?”କହିଲା ହେମଭାନୁ
‘ମୁଁ ଆଚ୍ଛା ଦେବି ଆଣି।’
“କହୁଚ ସତ? ମୋର ଛୁଇଁଲ ଦିହ
ତୁମେ ତ ଠକ ଅଛି ଜାଣି।”
କଥାରେ ତାର ମନ ବୁଝିଲାନାହିଁ
ଛୁଇଁଲା ହେମଭାନୁ ଦିହ।
ସ୍ବାମୀରେ ଭୁଜେ ଭିଡି ଆଦର ଭରେ
କହିଲା, “ପ୍ରିୟ ମୋର ପ୍ରିୟ।”
ଭାବଇ ହେମଭାନୁ ବିପଦ ଏ ଯେ
ନ ବୁଝେ ମଦାଳସୀ କଥା
ଭୁଷଣ ପ୍ରିୟା ସିଏ କାମନା ତାର
ନହେଲେ ପୂରା ପାଏ ବ୍ୟଥା।
ଡେପୁଟି ସିନା ସିଏ ତାହାରି ମୁଖେ
କେତେ ଯେ ମୁଖ ଅଛି ଚାହିଁ।
ଭଉଣୀ ଦୁଇ ବାହା ହୋଇବେ ପୁଣି
ପଢ଼ିବେ ପାଠ ତିନିଭାଇ।
ସ୍ଥବିର ପିତାମାତା ତା ପାଇଁ ଯିଏ
ଢ଼ାଳିଲେ ଲହୁ ଅକାତରେ
ତାଙ୍କୁ ସବୁ ଦେଇ ଉଚିତ ତାର
ତୋଷିବା ଶେଷ ବୟସରେ।
ବହୁତ ଧାରେ ଯାଏ ଗୋଟିଏ ସ୍ରୋତେ
ଆସଇ ବହି ଯେତେ ପାଣି
ପତ୍ନୀ ତାର ଖାଲି କରଇ କୋପ
ପାରୁ କି ନାହିଁ କିଛି ଜାଣି।
ବିତିଲା ଚାରିମାସ, ସେ ମଦାଳସୀ
ପକାଇଲେ ବି ନିତି ମନେ,
ପୂର୍ଣ୍ଣ ହେଲା ନାଇଁ କାମନା ତାର
ଅଶ୍ରୁ ଭରେ ତା ନୟନେ।
ଅଶ୍ରୁ ପୋଛି ତାର କହିଲା ଦିନେ
ସରାଗେ ହେମଭାନୁ ଧୀରେ,
“ଭୂଷଣପ୍ରିୟା ଆଗୋ ଭୂଷଣପ୍ରିୟା”
ବୁଲାଇ କର ତାର ଶିରେ
“ଭୂଷଣ ନୁହେଁ କିଛି ଭୂଷଣହୀନ
ତୁମରି ଶୋଭା ଅନୁପମ,
କହୁଚି ସତ ସଖୀ ଦେଖିନି କାହିଁ
ରୂପସୀ ମୁଁ ତ ତୁମ ସମ।