ଗସ୍ତ ଖରଚଟା ହାତରେ ପାଇ
ଭାବଇ ହେମଭାନୁ ବସି,
କରଜ ଶୁଝିବ ନା କରଜ କରି
ତୋଷିବ ପ୍ରିୟା ମଦାଳସୀ
ଉଠିଲା ଭାଷି ତା’ର ନୟନେ ସେଇ
ବିଷାଦଭରା ମ୍ଳାନ ମୁଖ
ଜୀବନ ସାଥୀ ତା’ର ନହେଲେ ସୁଖୀ
ଜୀବନେ କାହିଁ ତା’ର ସୁଖ
ନ ଜାଣେ ମଦାଳସୀ ନାଗେଶ୍ବର
ମାଳାଯେ ଚାଲିଅଛି ଗଢ଼ା।
କରୁଛି ସବୁ କାମ ଯନ୍ତ୍ର ପରି
କେବଳ ଆଳାପଟି ଛଡ଼ା।
ଦେଖିଲା ହେମଭାନୁ ସେଦିନ ରାତି
ଦଶଟା ବେଳେ ଗୃହେ ଫେରି
ପଡ଼ିଛି ମଦାଳସୀ ଗଭୀରେ ଶୋଇ
ଫେରିବା ହେବାରୁତ ଡେରି।
ଶଯ୍ୟା ପାଶେ ତା’ର ପଡ଼ିଲା ବସି
ନିରେଖେ ଶୋଭା ସୁବିମଳ
ସଜ୍ଜାହୀନ ଏଇ ରୂପସୀ କରେ
ତା’ ଦେହ ମନ ସୁଚପଳ,
ସଧୀରେ ହେମଭାନୁ ବକ୍ଷପରେ
ସେ ତନୁଲତା ନେଲା ତୋଳି,
ଗଭୀର ପ୍ରେମାବେଗେ ଗଣ୍ଡପଟେ
ଦିଇଟି ଚୁମା ଦେଲା ତୋଳି।
ପତିର ବକ୍ଷେ ନିଜକୁ ଦେଖି
ଲଜ୍ଜ୍ୟା ପାଏ ମଦାଳସୀ
ସକଳ ଅଭିମାନ ନିମିଷେ ଭୁଲି
ଦେଲା ସେ ଚାରୁସ୍ମିତ ହସି।
ପଡ଼ିଲା ଯେବେ ମନେ ପୁରୁବ କଥା
କହଇ “ଛାଡ଼” ଅଭିମାନେ
ଛାଡ଼ିବି ନାହିଁ କହି ସେ ହେମଭାନୁ
ଧରିଲା ଭିଡ଼ି ଆଉ ଟାଣେ।
ରକ୍ତାରୁଣ ହେଲା ଅଧର ଯେବେ
ଦେଲା ସେ ଚାହିଁ ପ୍ରେମାବେଶେ,
ନକଲା ମଦାଳସୀ ଚେଷ୍ଟା ଆଉ
ଏଡିବା ପାଇଁ ପ୍ରେମାଶ୍ଳେଷେ।
“ପ୍ରିୟାଗୋ ପ୍ରିୟା ମୋର ନିଠୁର ତୁମେ
ହାରିବା ହେଲା ମୋର ସାର
ତୃପ୍ତ ହେଉ ତମ ହୃଦୟ ମନ
ପିନ୍ଧି ତବ ପ୍ରିୟ ହାର”
ନସରେ ଅଭିମାନ ମଦାଳସୀର
କହଇ ଲୋଡ଼ା ମୋର ନାହିଁ
ତୁମରି ଇଚ୍ଛାର ବିରୋଧ ମୁଁଯେ
କରିବି କହ କାହା ପାଇଁ,
ଦୁଷ୍ଟ ହେଉଅଛ ଜାଣିଛଟିକି
ନାସ୍ତି କରିବାର ଫଳ?
ଲକ୍ଷ ଚୁମା ଦେଇ ଗଣ୍ଡ ପଟେ
ଶାସ୍ତି ଦେବି ସୁକଠୋର।
କଠୋର ଶାସ୍ତି ଯେବେ ଦେଉଛ ଦିଅ
ନିଠୁର ହୁଅ ପାର ଯେତେ
ନେବିନି ନେବିନି ମୁଁ ସେ ହାର ସତ
ଦିଅନା କହୁଅଛି ମୋତେ
ନିବିଡ଼ତର ଭୂଜ ବନ୍ଧନରେ
ହୋଇଲା ଏକ ଦୁଇ ତନୁ
ସକଳ ଅଭିମାନ ପ୍ରଣୟ ସ୍ରୋତେ
ଭାଷିଯେ ଗଲା କାହିଁ ମନୁ।
ବିଚାରେ ହେମଭାନୁ ପ୍ରଣୟ ଶେଷେ
ହେଲାକି ଅଭିମାନ ଶେଷ
ଗଭୀର ମନେ କାହି ଶଂକାଟିଏ
ଗୋପନେ ଦିଏ ତାକୁ କ୍ଳେଶ।
୩୦-୩-୫୬
କଟକ