ସଜ୍ଜାହୀନ ତୁମ ପ୍ରକାଶ ରାଣୀ,
ମୁଗ୍ଧ କରିଥାଏ ମତେ।
ଭୂଷଣମୟୀ ତୁମ ଶୋଭାର ଖେଳା
ଚମକ ଆଣେ ନାଇଁ ଚିତ୍ତେ।”
ଏକଥା ଛୁଇଁଲାନି ମନକୁ ତାର
କହିଲା ଗୁରୁ ଅଭିମାନେ
ସେ ମଦାଳସୀ,“ତୁମ ପୁରୁଷ ଜାତି
ଠକ ମୁଁ ବହୁ ଆଗୁ ଜାଣେ।”
କଷ୍ଟ ବହୁ ସହି ଦି’ ମାସ ପରେ
ବଳୟ ଦେଇ ଉପହାର,
ଦେଖିଲା ହେମଭାନୁ ମଦାଳସୀର
ଓଠରେ ସ୍ନେହ-ସ୍ମିତି ଧାର।
ଶାଳିକା ବିବାହର ନିମନ୍ତ୍ରଣ
ପାଇଯେ ହେମଭାନୁ ଭାଳେ,
ଟଂକା ଏତେ ଏବେ ଆସିବ କାହୁଁ,
ମିଳିଲା ଆସି ଏଇ କାଳେ
ରୂପସୀ ମଦାଳସୀ କହିଲା ହସି,
“ଭାବୁଛ କଣ ଏକା ବସି।
ଭାଗ୍ୟବତୀ ସତେ ଅଧ୍ୟାପକ
ବର ପାଇଚି ବିହାୟସୀ।
ବିଲାତ ପାଠପଢ଼ା ଲେଖକ ପୁଣି
କିନ୍ତୁ କହେ ମନେରଖ
ଯିବିନି ବାହାଘରେ ନ ଆଣି ଦେଲେ
ମୋ ପାଇଁ ବନାରସୀ ଏକ।”
ପତ୍ନୀ କଥା ଶୁଣି ଚକିତ ପତି,
କହିଲା ଧୀରେ ଅନୁରାଗେ,
ବିରାଟ ଭାର ଏଇ ବିବାହ ତୁମ
ଦାବୀକୁ ଛାଡ଼ ଏଇ ଲାଗେ।”
ଶୁଣି ତା ମଦାଳସୀ ରକ୍ତାରୁଣ
କହଇ “ଆଉ ସବୁ ହୁଏ,
ମୋ କଥା ତୁମ ପାଶେ ତୁଚ୍ଛ ଜାଣେ
ତୁମର ମୁଁ ତ କିଛି ନୁହେଁ।”
ଅଧର ଧରି ପତି ଉତ୍ତରଇ
ସବୁରି ସାଥେ ଯେତେ ଭାବ
ତାପାଇଁ ଭାଷା ଅଛି, ତୁମରି ପାଇଁ
ଘଟଇ ସଦା ଭାଷାଭାବ।
ତୁମେତ ଦେଖୁଅଛ ଖର୍ଚ୍ଚସବୁ,
ଅଭାବ ସବୁ ମାସ ଶେଷେ,
ସବୁରି ଦାବୀ ଆଗେ ଦେବାକୁ ହେବ
ଚଳିବା ଆମେ ଅବଶେଷେ।”
“ମୁଁ କିଛି ଶୁଣିବିନି; ହିସାବ ମୁଁ ତ
ମାଗୁନି ମୋତେ କହ ନାଇ-
କର୍ଣ୍ଣ ସବୁବେଳେ ସବୁରି ଲାଗି
ଅଭାବ ଖାଲି ମୋହପାଇଁ?”
ନସରୁ କଥା ଗଲା ତୁରିତେ ଚାଲି
“ଶୁଣୁଚ” ଡାକେ ହେମଭାନୁ,
ବ୍ୟର୍ଥ ହେଲା ଡାକ “ରକ୍ଷା ସତେ
ନାଇଁ କି ଏଇ ଅଭିମାନୁ?”
କରଜ ପରେ ପୁଣି କରଜ ହେଲା,
ଆସିଲା ଛାଡ଼ି ବନାରସୀ
ଭଗ୍ନୀ ପରିଣୟେ ଦେବାକୁ ଯୋଗ
ଚାଲିଲା ଶେଷେ ମଦାଳସୀ ।
॥ ୫ ॥
ବିବାହ ଉତ୍ସବେ ପିତ୍ରାଳୟେ
କହିଲା ମଦାଳସୀ ଡାକି,
ଦେଖକି ସୁନ୍ଦର ନାଗେଶ୍ବର
ମାଳା ଏ ଫେରେନାହିଁ ଆଖି।
ଦେଉଚି ବୋଉ ଏହା ବିହାୟସୀରେ
ଦେଇଛି ଠକି ସିନା ମୋତେ,
ଗସ୍ତ ଖରଚଟା ମିଶାଇଦିଅ
ମୋ ପାଇଁ ଆଣି ଗୋଟେ ସତେ,
ନୀରବ ହେମଭାନୁ, ମଧୁରତର
କଣ୍ଠେ କହେ ମଦାଳସୀ,
ନୀରବ ରହ କିଆଁ ଦେବାକୁ କିଛି
ମୋତେ ତ ତୁମେ ନୁହଁ ଖୁସି,
“ସେ କଥା ପଛେ ଥାଉ”ଶୁଣି ଏକଥା
କୁପିତ ମଦାଳସୀ କହେ,
“ଜାଣେ ମୁଁ ଏକଥା କହିବ ତମେ
ମୋ କଥା କେବେ ନାଇଁ ରହେ।”
ଫେରିଲେ ଗୃହେ ଦୁହେଁ ବିବାହ ଶେଷେ
ନ କହେ କଥା ଅଭିମାନ
କରିଚି, ମଦାଳସୀ ରହିଚି ଅବା,
ମଝିରେ ଯୁଗ ବ୍ୟବଧାନ।
ରାତ୍ରୀ ଅପସରେ ଦିବସ ଆସେ
ଦିବସ ଶେଷେ ଆସି ରାତି
ଭାବଇ ମଦାଳସୀ “ପାଷାଣ ସତେ
କେଡ଼େ ଯେ ଏ ପୁରୁଷଜାତି!”
ଗଭୀର ଅଭିମାନେ ଭୂଷଣ ସବୁ
କରିଲା ଦେହୁ ବରଜନ,
ନୀରବେ ହେମଭାନୁ ସକଳ ଦେଖେ
ପୀଡିତ ହୁଏ ତାର ମନ।
ଭୂଷଣହୀନ ତାର ଦେହର ଶୋଭା
ମୁଗ୍ଧ କରେ ତା’ର ଚିତ୍ତ
ନ ବୁଝି ମଦାଳସୀ ଭୂଷଣ ଲାଗି
ଆପଣେ କରେ ପ୍ରତାରିତ।
ପଡ଼ୋଶୀ ଘରୁ ଥିଲେ ସେଦିନ ଆସି
ମଦାଳସୀର ସଖୀ ଦୁଇ,
କହିଲା କେହି ଜଣେ, ଦେହରେ କିମ୍ପା
ଭୂଷଣ ଅପା କିଛି ନାଇଁ?
ଦୀର୍ଘଶ୍ବାସ ତେଜି ସେ ମଦାଳସୀ
ଉତ୍ତରିଲା ଅଭିମାନେ
“ଅଭାବ ବହୁ, ଦିନେ ଖାଇବାଲାଗି
ମିଳିବ କି’ନା କିଏ ଜାଣେ
ଭୂଷଣ ପିନ୍ଧିବା ସପନ ଖାଲି”
କହଇ ଆଉ ଜଣେ ହସି
ଦିନକୁ ଦିନ ଏଡ଼େ କୃପଣ କିଆଁ
ହେଉଛୁ କିଲୋ ମଦାଳସୀ।
ତୁ କହୁଥିଲୁ ମୋତେ ଦେଖିବୁ ବୋଲି
ମୋର ଯେ ନୂଆ ତିଳ ହାର
ଏଇ ମୁଁ ଆଣିଅଛି “ଥାଉ ତା ଅପା,
ଦେଖିବା ନାହିଁ ଦରକାର
ଭୂଷଣ ପାଇଁ କି ମୁଁ ପାରିବି ତେଜି
ପତିର ସ୍ନେହ ସେତ ସବୁ
ନାରୀର କ’ଣ ଅଛି ନାରୀର ଲାଗି
ପତି ହିଁ ଦେବତା ଓ ପ୍ରଭୂ।”
ଶୁଣିଲା ହେମଭାନୁ ଅନ୍ୟ ଘରେ,
ରହି ଏ ଆଳାପର କଥା
ସେ କେତେ ଭଲପାଏ ହୃଦୟେ ତା’ର
ଦେବାକୁ ନିଦାରୁଣ ବ୍ୟଥା,
ଟିକିଏ ମଦାଳସୀ କାତର ନୁହେଁ
ପୀଡ଼ଇ ଗୁରୁ ଅଭିମାନେ
ଭୂଷଣ ଲାଗି ନିଜେ କଷଣ ସହେ
ବାକ୍ୟ ଖରେ ବୁକୁ ହାଣେ।