ବ୍ରଜେଶ୍ବରର ଚିଠିଟି ପଢ଼ି ବୀଚିମାଳା ଟିକିଏ ଗମ୍ଭୀର ହୋଇଗଲା।କିନ୍ତୁ ସେ ବିଷୟରେ ଆଉ ବିଶେଷ ମନଯୋଗ ନ କରି ତୃତୀୟ ପତ୍ରଟି ଖୋଲିଲା।
“ସ୍ନେହର ବୀଚି,”
ତୁ ଯିବାଦିନହିଁ ତୋ ପାଖକୁ ଚିଠି ଦେବି ବୋଲି ଭାବିଥିଲି।କିନ୍ତୁ ତା ହୋଇପାରିଲା ନାହିଁ।ତୁ ଯିବାର ୫ ଦିନ ପରେ ଆଜି ଚିଠି ଲେଖୁଛି।କିପରି ଯାଇ ପହଁଚିଲୁ।ବାଟରେ କିଛି ଅସୁବିଧା ହୋଇ ନାହିଁ ତ?
ତୋ ପାଖକୁ କଣ ଲେଖିବି।
ମୋ ଜୀବନରେ ଅନେକ ବ୍ୟର୍ଥତା,ମୋ ଭିତରେ ଅନେକ ଶୂନ୍ୟତା।ମୋ ପାଇଁ ମୋର ଜୀବନ ଗୋଟିଏ ଭଙ୍ଗଛନ୍ଦ, ଭାବକ୍ଳିଷ୍ଟ କବିତା।ସେଥିରେ ନିଜେ ଉଚ୍ଛ୍ବସିତ ହେବାର ଯେପରି କିଛି ନାହିଁ।କାହାକୁ ଆନନ୍ଦ ବିତରଣ କରିବାର ଅବକାଶ ବି ନାହିଁ।ମୁଁ ଗୋଟାଏ ଅନ୍ଧ ପ୍ରବାହରେ ଭାସି ଚାଲିଛି।
ମତେ ଅଠତିରିଶ ବର୍ଷ ବୟସ ହେଲାଣି।ଅକାଳରେ ବାଳ ପାଚିଲାଣି।ଅସମୟରେ ମନ ଭିତରକୁ ବାର୍ଦ୍ଧକ୍ୟ ସ୍ପର୍ଶ କଲାଣି।ବହୁ ପ୍ରକାର ଗୁରୁ ଜଞ୍ଜାଳ ଭିତରେ ନିଜକୁ ଅନୁଶୀଳନ କରିବାକୁ ମୁଁ ଅବସର ପାଇନାହିଁ।ଏମିତି ଯାଉ ଯାଉ ଦନେ ଏ ଜବନରେ ଗତି ବନ୍ଦ ହୋଇଯିବ।ତା ପରେ ଅବଶ୍ୟ ଅସରିନ୍ତି ଅବସର ମିଳନ।କିନ୍ତୁ ଏଇ ପୃଥିବୀ ଓ ଏଇ ଜୀବନ ମିଳିବ ନାହିଁ।ସତରେ ବୀଚି,ଏ ପୃଥିବୀଟି ଭାରୀ ସୁନ୍ଦର।ଏହାକୁ ଛାଡ଼ି କୁଆଡ଼େ ଯିବାକୁ ଇଚ୍ଛା ହୁଏ ନାହିଁ।କିନ୍ତୁ ଦିନେ ଏହାକୁ ଛାଡ଼ିଯିବାକୁହିଁ ହେବ।ବେଳେ ବେଳେ ମୋର ମନେହୁଏ ଜୀବନର ଆରପାରରେ ସେ ମୃତ୍ୟୁର ପୃଥିବୀ ବୋଧ ହୁଏ ଏଇ ପୃଥିବୀ ଅପେକ୍ଷା ଅଧିକ ସୁନ୍ଦର ହୋଇଥିବ।ତା ନ ହୋଇଥିଲେ ଭଗବାନ ଜୀବନକୁ କାହିଁକି ମୃତ୍ୟୁରେ ସମାପ୍ତ କରନ୍ତେ!
ସବୁବେଳେ ଦାର୍ଶନିକ ପରି କଥା କହେ ବୋଲି ତୋର ଅପା ମୋ ଉପରେ ଚିଡ଼େ।ତୁ-କିନ୍ତୁ ମୋର ସଶ୍ରଦ୍ଧ ଶ୍ରୋତା। ତେଣୁ ତୋ ପାଖରେ ମୁଁ ଯେପରି ନିଜର ଅନ୍ତର ପୁରୁଷଟିକୁ ଉଭା କରେଇଦିଏ,କାହିଁକି କେଜାଣି ତୋର ଉପସ୍ଥିତି ମତେ ଏକ ଭାବମୟ ରାଜ୍ୟକୁ ନେଇଯାଏ।ମୋ କବିତା ପଢ଼ି କିଏ ପ୍ରଶଂସା କରେ,କିଏ ନିନ୍ଦାକରେ।ମତେ ଲାଗେ କାହାରି ନିନ୍ଦା ବା ପ୍ରଶଂସା ନିର୍ଭୁଲ ନିହେଁ,କେବଳ ତୋର ମତାମତଟି ମୋର ଏକ ପ୍ରକୃତ ମୂଲ୍ୟାୟନ।ତୋ ପରି ଗଭୀର ଶ୍ରଦ୍ଧା ଓ ଆନ୍ତରିକତା ନେଇ କେହି କଣ ମୋ କବିତା ପଢ଼େ?କବି କବିତା ଲେଖେ ଅନେକଟା ନିଜକୁ ଭାବମୁକ୍ତ କରିବାକୁ; ଆବେଗମୁକ୍ତ ହେବାକୁ କିନ୍ତୁ ମୁଁ ବେଳେ ବେଳେ କବିତା ଲେଖେ ଭାବଯୁକ୍ତ୍ ହେବାକୁ। ତୁ ଏକାଧାରରେ ହୋଇଛୁ ମୋର ପ୍ରେରଣା ଦାୟିନୀ,ସ୍ତାବକ ଓ ସମାଲୋଚକ।କିନ୍ତୁ ବୋଧହୁଏ ତୁ ଥିବା ସମୟରେ ମୁଁ ଯେତେ କବିତା ଲେଖିଛି ତାହା ମୋର ଭାବ ବିମୁକ୍ତି ନୁହେଁ ମାତ୍ର ସଂଯୁକ୍ତି।ତାହା ମୋର ଭାବ ଯୋଗ।ଯୋଗରେ ଯେପରି ମନୁଷ୍ୟ ନିଜକୁ ଭଗବାନଙ୍କ ସହିତ ଯୋଗ କରିଦିଏ ଏଇ ଭାବ ଯୋଗରେ ସେପରି ବିହ୍ବଳ ବିଭୋର ହୋଇ ଗୋଟିଏ ଭାବ ଭିତରେ ଲୀନ ହୋଇଯାଏ।ଆଜି କିନ୍ତୁ ତୋର ଅଭାବ ବଡ଼ ତୀବ୍ର ଭାବରେ ମନକୁ ଯନ୍ତ୍ରଣା ଦେଉଛି।ତେଣୁ ଏ ଚିଠିଟା ମୋର ଭାବ ବିମୁକ୍ତିର ମାଧ୍ୟମ।
ମୁଁ ସବୁକିଛି ଅନ୍ତରରେ ସ୍ବୀକାର କରୁଛି,ତୋ ଠାରୁ ବହୁତ କିଛି ପାଇଛି;କିନ୍ତୁ ତାହା କଣ ମୁଁ ହୁଏତ ଜାଣେନା।ମୋର ଶୂନ୍ୟତାକୁ ତୁ ଅନେକଟା ପୂର୍ଣ୍ଣ କରି ରହିଥିଲୁ।ଜ୍ବାଳାମୟ ରୌଦ୍ରରୁ ବୃକ୍ଷର ଶୀତଳ ଛାୟାକୁ ଆସିଲେ ଯେପରି ଶାନ୍ତି ଲାଗେ,ସମସ୍ୟା-ଗ୍ରସ୍ତ ମୋ ଜୀବନରେ ତୋ ସହିତ କଟିଥିବା ମୁହୂର୍ତ୍ତ ଗୁଡ଼ିକ ମତେ ଯେପରି ଶାନ୍ତିମୟ ବୋଧ ହୋଇଛି। ମାତ୍ର ତୋତେ ମୁଁ ପ୍ରତିଦାନରେ କଣ ଦେଇପାରିଛି?ମୋ ଆନ୍ତରିକ ଅନ୍ତଃସ୍ଥଳରୁ ଆଶୀର୍ବାଦ କରୁଛି,ତୁ ଜୀବନରେ ସୁଖୀ ହୁଅ।
ତୋର ଅପା ଭଲଅଛି।ଇରା,ମିରା,କୁନୁ,ମୁନୁ ତୋତେ ଖୋଜୁଛନ୍ତି।ସେମାନଙ୍କ ସହିତ ଅଲକ୍ଷ୍ୟରେ ମିଶି ମୁଁ ବି ତୋତେ ଖୋଜୁଛି।
ଏଠାରେ ଯେତେ ଦିନ ଥିଲୁ,ପରିବାରରେ ଏକ ହୋଇ ମିଶି ରହିଥିଲୁ ସବୁ ସୁଖ ଦୁଃଖ,ଆନନ୍ଦ ବିଷାଦରେ ସମଭାଗୀ ହୋଇଥିଲୁ।ତୋର ନିଶ୍ଚୟ ଅନେକ ଅସୁବିଧା ହୋଇଥିବ।କେବେ ବି କୌଣସି ବ୍ୟାପାରରେ ଅପ୍ରସନ୍ନ ହେବାର ଦେଖିନାହିଁ।
ତଥାପି ଆମ ପକ୍ଷରେ ଯାହାସବୁ ତ୍ରୁଟି ରହିଯାଇଥିବ ତାହା କ୍ଷମା କରିଦେବୁ।ଚିଠି ଦେବୁ।
ଇତି
ତୋର ଶୁଭାକାଂକ୍ଷୀ ରାଜଭାଇ
ରାଜେଶ୍ବର ଚିଠିଟି ପଢ଼ା ଶେଷକରି ବୀଚିମାଳା ଆହୁରି ଗମ୍ଭୀର ହୋଇଗଲା।ଏବଂ ଚିଠିଟିକୁ ସଯତ୍ନରେ ଲଫାପାରେ ରଖିଦେଲା।ତାହାପରେ ସେ ଚିଠି ଗୁଡ଼ିକର ଉତ୍ତର ଲେଖି ବସିଲା।
ପ୍ରଥମେ ସେ ଲେଖିଲା ବୀରେଶ୍ବରକୁ-
“ବନ୍ଧୁ ବୀରେଶ୍ବର,
ତୁମ ଚିଠି ପାଇଲି।ତୁମର ପ୍ରତିଟି କଥାର ମର୍ମ ହୃଦୟଙ୍ଗମ କଲି।ମୋ ପ୍ରତି ତୁମର ଆକର୍ଷଣ ଭିତରେ ଅସ୍ବାଭାବିକତା କିଛି ନାହିଁ।ନିଜକୁ ଆଉ ଜଣେ ଭଲପାଏ-ଏ କଥା ଜାଣିଲେ ଯେ ଅପୂର୍ବ ଆନନ୍ଦ ମିଳେ,ମୁଁ ସେ ଆନନ୍ଦ ଅନୁଭବ କରୁଛି। ତୁମେ ଚିଠିରେ ଯେଉଁ ଭାବ ପ୍ରକାଶ କରିଛ ତାହା ମୁଁ ଆଗରୁ ମଧ୍ୟ ବୁଝିପାରିଥିଲି।ତୁମର ଅଗୋଚରରେ ମୁଁ ତୁମର ସବୁ କବିତା ଗଳ୍ପ ପଢ଼ି ଦେଇଛି।ଗୋଟିଏ ଗଳ୍ପରେ ତୁମେ ନାୟିକାକୁ ମୋ ନାମରେ ଭୂଷିତ କରେଇ ଦେଇଛ।ତୁମର ଏ ଭାବପ୍ରବଣତା ମତେ ଭଲ ଲାଗିନାହିଁ ବୋଲି କିପରି କହିବି।ତୁମଙ୍କୁ ମୁଁ ବହୁତ ସ୍ନେହ କରେ।ତୁମେ ହିଁ ତ ଥିଲ ମୋର ପ୍ରତି ମୁହୂର୍ତ୍ତର ବନ୍ଧୁ।ତୁମ ସହିତ କେତେ ଆଳାପ ଆଲୋଚନା ତର୍କବିତର୍କ ହୁଏ।ଆଜି ସବୁ ମନେ ପଡ଼ୁଛି।ସବୁ ମଧ୍ୟ ଆଜୀବନ ମନେ ରହିବ।
କିନ୍ତୁ ଭାଇ ବୀରେଶ୍ବର।ପ୍ରେମକୁ ଭାବ ପ୍ରବଣତାରେ ମାପି ହୁଏନା।ଗୋଟିଏ ୧୯ ବର୍ଷର ଝିଅ ନିଜକୁ ଯେତିକି ବୁଝେ, ସେହି ବୟସର ଗୋଟିଏ ପୁଅ ନିଜକୁ ସେତିକି ବୁଝେନା।ମୋ ମତରେ ପ୍ରେମ ଅନ୍ୟକୁ ବୁଝିବା ନୁହେଁ।ତାହା ନିଜକୁ ବୁଝିବା।ତାହା ଆତ୍ମଜ୍ଞାନ।ସେ ଆତ୍ମଜ୍ଞାନ ଯେତିକି ନିର୍ଭୁଲ ହୁଏ,ପ୍ରେମ ହୁଏ ସେତିକି ନିର୍ଭେଜାଲ।ତେଣୁ ପ୍ରେମରେ ଚାହିଁବା,ପାଇବା ଓ ଦେବା ପ୍ରଭୃତି ଘଟିବା ପୂର୍ବରୁ ଏକ ଆତ୍ମମଗ୍ନ ତପସ୍ୟା କରିବାକୁ ହୁଏ।ତୁମ ସେ ତପସ୍ୟା କର। ତୁମେ ନିଶ୍ଚୟ ଜୀବନରେ ଅବିମିଶ୍ର ପ୍ରେମ ପାଇବ।ରବୀନ୍ଦ୍ରନାଥଙ୍କର ଗୋଟିଏ କବିତାରେ ଠାଏଁ ଅଛି-
‘ଯାହା ଚାଇ ତାହା ଭୁଲ୍ କରେ ଚାଇ
ଯାହା ପାଇ ତାହା ଚାଇନା’
ଜୀବନରେ ସମସ୍ତେ ଏଇ କଥାଟିକୁ ନିତ୍ୟନିୟତ ଅନୁଭବ କରୁଥାନ୍ତି କାରଣ ପ୍ରାୟ କେହି ଜାଣନ୍ତି ନାହିଁ,ସେ ନିଜେ କଣ ଚାହାନ୍ତି ଓ କଣ ପାଇଛନ୍ତି।
ସେଥିପାଇଁ ସବୁବେଳେ ଏକ ନୀରବ ବ୍ୟର୍ଥତା ସମସ୍ତଙ୍କୁ ସ୍ପର୍ଶ କରେ,ପୀଡ଼ିତ କରେ।ତୁମେ ମତେ ଚାହଁ ନା ମୋର ପ୍ରେମ କାମନା କର?ଧର ମତେ ତୁମେ ବିବାହ କଲ।ତାହା ହେଲେ କଣ ତୁମେ ସ୍ଥିର ନିଶ୍ଚିତ ହୋଇପାରିବ ଯେ ତୁମେ ମୋର ପ୍ରେମ ପାଇଛ?
ପ୍ରିୟବନ୍ଧୁ ବୀରେଶ୍ବର,ତୁମେ ପ୍ରେମର ତପସ୍ୟା କର।ନିଶ୍ଚୟ ଅବିମିଶ୍ର ପ୍ରେମ ପାଇବ।ପ୍ରେମିକାର ପ୍ରଲୋଭନ ତ୍ୟାଗକରି ପ୍ରେମର ପୂଜାକର।
ତୁମପାଇଁ ମୋ ଭିତରେ ବହୁତ ସ୍ନେହ ଶ୍ରଦ୍ଧା ରହିଛି।ତୁମକୁ ବନ୍ଧୁଭାବରେ ମୁଁ ସବୁବେଳେ ମନେ ରଖିବି।ମୋ କଥାରେ ଆହତ ହେବନାହିଁ।ଯାହା ଦେଇଛି ତାହା ମୋର ଅଯାଚିତ ଦାନ।ତାହାକୁ ତୁମେ ଗ୍ରହଣ କଲେ ମୁଁ ସୁଖୀହେବି।
॥ ଇତି ॥
ବୀଚିମାଳା
ଚିଠିଟି ଲେଖିସାରି ବୀଚିମାଳା ପୁଣିଥରେ ତାକୁ ଆମୂଳଚୂଳ ପଢ଼ିଲା।ପଢ଼ାଶେଷ କରି ଗୋଟିଏ ଲଫାପା ଭିତରେ ରଖିଲା । ତାପରେ ସେ ଲେଖିଲା ଦ୍ବିତୀୟ ପତ୍ରର ଉତ୍ତର।
“ଶ୍ରୀଳ ଶ୍ରୀଯୁକ୍ତ ବ୍ରଜେଶ୍ବର ମହାନ୍ତି,”
ଇଂଜିନିୟରେଷୁ,ମୋର ନମସ୍କାର ନେବ।ତୁମ ଚିଠିପାଇଁ ମୁଁ ଅପେକ୍ଷା କରିଥିଲି।ତୁମେ ମତେ କଣ କହିବାକୁ ଚାହୁଁଥିଲ,ଅଥଚ କହିପାରିଲ ନାହିଁ ତାହା ଜାଣିବାକୁ ମୋ ମନରେ କୌତୁହଳ ଭରି ରହିଥିଲା।
ଚିଠିରୁ ସବୁକଥା ଜାଣିଲି।ତୁମର ନିଷ୍କପଟ ଆତ୍ମପ୍ରକାଶ ସତରେ ମତେ ବହୁତ ମୁଗ୍ଧ କଲା।
ଚିତ୍ର ତାରକା ମାନଙ୍କ ବିଷୟରେ ତୁମର ଯେଉଁ ବିପୁଳ ଆଗ୍ରହ,ମୋର ଧାରଣା ଥିଲା ତୁମେ ବୋଧହୁଏ ହେମାମାଳିନୀ ବା ଶର୍ମିଳା ଟାଗୋର ପାଇଁ ଜୀବନଦାନ କରିଦେବ।କିନ୍ତୁ ଶେଷରେ ତୁମେ ମୋତେ ଗ୍ରହଣ କରିବାକୁ ଆଗେଇ ଆସିବ ଏହା ସତରେ ମୋର କଳ୍ପନାତୀତ ଥିଲା।
ତୁମର ଚିଠିର କି ଉତ୍ତର ଦେବି!ତୁମପରି ସ୍ବାମୀ ପାଇବାର ସୌଭାଗ୍ୟ କମ୍ ଝିଅଙ୍କୁ ମିଳେ।ତେଣୁ ତୁମର ପ୍ରସ୍ତାବ କଥା ଭାବି ମୁଁ ନିଜକୁ ଗୌରବାନ୍ବିତ ମନେ କରୁଛି।ମୋ ବିଷୟରେ ମୋ ନିଜର ଏମିତି କୌଣସି ବଡ଼ ଧାରଣା ନାହିଁ। ମୁଁ ଆଉ ସମସ୍ତଙ୍କ ପରି ଗୋଟିଏ ସାଧାରଣ ଓ ସ୍ବାଭାବିକ ଝିଅ। ତୁମଙ୍କୁ ବିବାହ କରି ମୁଁ ତୁମଙ୍କୁ ସୁଖଶାନ୍ତି ଦେଇପାରନ୍ତି କି ନାହିଁ କେଜାଣି ମୁଁ ନିଶ୍ଚୟ ସୁଖ ଶାନ୍ତି ପାଇଥାନ୍ତି। ତୁମର ଚିଠି ଭିତରେ ତୁମର ସେ ରୂପ ଦେଖିଲି ତାହା ସତରେ ଅପରୂପ। ମୋର ଧାରଣା ଥିଲା ତୁମେ ବଡ଼ ଅଗଭୀର ଓ ଚଞ୍ଚଳ। କିନ୍ତୁ ତୁମର ଶାନ୍ତ ପ୍ରେମିକରୂପଟି ମତେ ପ୍ରକୃତରେ ବିସ୍ମିତ ଓ ଅଭିଭୂତ କରିଦେଲା।
ବିଶ୍ବାସ କର,ତୁମ ପ୍ରସ୍ତାବ ଗ୍ରହଣ କରିପାରିବି ନାହିଁ ଏକଥାଟାକୁ ଲେଖିବାକୁ ମତେ ଭାରି କଷ୍ଟ ଲାଗୁଛି।ତଥାପି ସତ କଥାଟାକୁ ପ୍ରକାଶ କରିବାକୁ ଦ୍ବିଧା କରି ଲାଭ ନାହିଁ।ତୁମେ ମତେ ବିବାହ କରି ସୁଖୀ ହେବାକୁ ଚାହଁ। ତୁମଙ୍କୁ ସୁଖୀ କରିବାର ଦାୟିତ୍ବ ନେଇ ମତେ ତୁମଙ୍କୁ ମୋର ସମସ୍ତ ସତ୍ତାକୁ ସମ୍ପୂର୍ଣ୍ଣ ଭାବରେ ଉତ୍ସର୍ଗ କରିବାହିଁ ଉଚିତ୍।ତୁମର ସ୍ତ୍ରୀ ହୋଇ ତୁମ ପାଖରେ ମୁଁ ଅକପଟ ଭାବରେ ଆତ୍ମ ସମର୍ପଣ ନ କଲେ ସେ ସମ୍ପର୍କ ପ୍ରେମର ଛଳନାରେ ପରିଣତ ହୋଇଯିବ।କିନ୍ତୁ ତାହା କରିବା ମୋ ପକ୍ଷରେ ସମ୍ଭବ ନୁହେଁ।ତୁମପରି ଜଣେ ଶାନ୍ତ ସୁଧାର ପ୍ରେମିକକୁ ସ୍ବାମୀ ଭାବରେ ଗ୍ରହଣ କରି ତୁମ ପାଖରେ ଛଳନା ଆଚରଣ କରିବାଟାକୁ ମୁଁ ବଡ଼ କୁତ୍ସିତ ବୋଲି ମନେ କରୁଛି।
ତୁମେ ହୁଏତ ମୋ କଥାରୁ ଧାରଣା କରୁଥିବ,ମୋର କଳଙ୍କମୟ ଅତୀତ ଅଛି।ଏକ କଥାର ଉତ୍ତର‘ନା’।ସାଧାରଣ ବିଚାରରେ ମୋର ଚରିତ୍ର କଳଙ୍କମୁକ୍ତ।କୌଣସି ପୁରୁଷ ମୋର ଦେହ ସ୍ପର୍ଶ କରିନାହିଁ।କିନ୍ତୁ ମୋର ହୃଦୟକୁ ସ୍ପର୍ଶ କରିଛି ଏକ ପୁରୁଷ ଯାହାର ଆଗୋଚରରେ ମୁଁ ତାର ପ୍ରେମିକା।ସେ ପୁରୁଷ ହାତ ବଢ଼େଇ ମତେ ଧରିନାହିଁ।କିନ୍ତୁ ମୁଁ ତାର ଉଦ୍ଦେଶ୍ୟରେ ନିଜକୁ ଉତ୍ସର୍ଗ କରିଦେଇଛି।ଏହା ମୋର ପ୍ରଚଣ୍ଡ ଭାବପ୍ରବଣତା ବୋଲି ମୋର ବେଳେ ବେଳେ ଆଶଙ୍କା ହୁଏ।କିନ୍ତୁ ସେ ଭାବପ୍ରବଣତା ଭିତରୁ ନିଜକୁ ମୁକ୍ତ କରିବାର ଉପାୟ ମୁଁ ଜାଣେନା।ମୋର ପ୍ରେମ ନୀରବ ଏବଂ ତାର ପ୍ରତିଦାନରେ ମୁଁ କିଛି କାମନା ପୋଷଣ କରି ନାହିଁ।
ମୁଁ ଜାଣେ,ମୋର ପ୍ରତ୍ୟାଖ୍ୟାନ ତୁମଙ୍କୁ କଷ୍ଟ ହେବ।କିନ୍ତୁ ବିଶ୍ବାସ କର,ତୁମେ ମୋର ଉପଯୁକ୍ତ ନୁହେଁ ବୋଲି ନୁହଁ, ମୋର ଅନ୍ତରର ସ୍ଖଳନ ପାଇଁ ମୁଁ ତୁମର ଉପଯୁକ୍ତ ନୁହେଁ ବୋଲି ମତେ ଖୁବ୍ ଦୃଢ଼ ହେବାକୁ ହେଲା।ତୁମର ପ୍ରସ୍ତାବ ମୋ ପାଇଁ ଅତୀବ ଲୋଭନୀୟ।କିନ୍ତୁ ମୁଁ ପ୍ରଲୋଭନରେ ପଡ଼ି ତୁମଙ୍କୁ ପ୍ରତାରଣା କରି ପାରିବି ନାହିଁ,ମତେ କ୍ଷମାକର।
ମୁଁ ଏକ ଅସାଧାରଣ ବା ଅପୂର୍ବ ନାରୀ ନୁହେଁ।ମୋତେ ବିବାହ କଲେ,ବା ନ କରି ପାଖରେ ତୁମର ଲାଭ ବା କ୍ଷତି କିଛି ହେବନାହିଁ।ତୁମଙ୍କୁ ଯେଉଁ ଝିଅ ବିବାହ କରିବ ସେ ନିଶ୍ଚୟ ସୁଖୀ ହେବ।ତୁମେ ଆଉ ଗୋଟିଏ ମନୋମତ କନ୍ୟା ବରଣ କରି ସୁଖୀ ହୁଅ।
ଗୋଟିଏ କଥା ମନେରଖିବ ବୀଚିମାଳା ତୁମଙ୍କୁ ଆନ୍ତରିକତାର ସହିତ ଗଭୀର ଶ୍ରଦ୍ଧା ଓ ସମ୍ମାନ କରେ।
॥ ଇତି॥
ବୀଚିମାଳା।