ତାପରେ ବୀଚିମାଳା ଲେଖିବସିଲା ତାର ଶେଷ ପତ୍ରର ଉତ୍ତର।
ପୂଜନୀୟେଷୁ,
ମୋର ଭକ୍ତି ଓ ଶ୍ରଦ୍ଧାପୂର୍ଣ୍ଣ ପ୍ରଣାମ ଗ୍ରହଣ କରିବ।
ତୁମ ପାଖକୁ ସାଙ୍ଗେ ସାଙ୍ଗେ ମୋର ଚିଠି ଦେବାକଥା।କିନ୍ତୁ ଚିଠି ଦେଇ ପାରିନଥିଲି ଏକ ଦୁର୍ଭାବନାରେ ପଡ଼ି।
ତୁମେ ଥରେ କହୁଥିଲ,‘ସତ କହିବା କଠିନ,କାରଣ ସତଟା କଣ ଆମେ ଠିକ୍ ଭାବରେ ଜାଣୁନା।ବହୁ ସମୟରେ ରାବଣ ସାଧୁବେଶ ଧରି ସୀତାଙ୍କୁ ଭୁଲେଇବା ପରି ମିଥ୍ୟା ସତ୍ୟ ରୂପରେ ଆସି ଆମକୁ ପ୍ରତାରିତ କରେ।’ଏଇ ସତ୍ୟ ଅସତ୍ୟର ଦ୍ବନ୍ଦ୍ବରେ ପଡ଼ି ମୁଁ ଚିଠି ଦେଇ ପାରି ନଥିଲି।ଅବଶ୍ୟ ଭଲରେ ପହଞ୍ଚିଲି,ବାପା ଭଲ ଅଛନ୍ତି,ଅପାକୁ ନମସ୍କାର ଜଣାଇବ,ପିଲାମାନେ ମତେ ଖୋଜୁଛନ୍ତି କି?ଇତ୍ୟାଦି ଲେଖି ଖଣ୍ଡିଏ ଗତାନୁଗତିକ ଚିଠି ଲେଖିବାକୁ କୌଣସି ବାଧା ନଥିଲା।କିନ୍ତୁ ମୁଁ ତୁମପାଖକୁ ତାଠାରୁ ଆଉ କିଛି ଅଧିକ କଥା ଲେଖିବାକୁ ଚାହୁଁଥିଲି ବୋଲି ଚିଠି ଦେଇ ନଥିଲି।
ଯାହାହେଉ,ତୁମର ଚିଠିଟି ପାଇ ମୋର ସଙ୍କୋଚ ଓ ଦ୍ବିଧା ବହୁତ କଟିଯାଇଛି।ସତ୍ୟ ଅସତ୍ୟର ଦ୍ବନ୍ଦ୍ବ ସମାଧାନ କରି ପାରିଛି ବୋଲି ମୋର ବିଶ୍ବାସ ହେଉଛି।
୯ ବର୍ଷ ତଳେ ତୁମଙ୍କୁ ପ୍ରଥମେ ଦେଖିଥିଲି ଜୋଇଁ ବେଶରେ ତୁମେ ଆଗ ଘରକୁ ଆସିଥିଲ।ସେତେବେଳେ ମୋର ବୟସ ୯। ୧୦ ବର୍ଷ।ମୁଁ ଷଷ୍ଠ ଶ୍ରେଣୀରେ ପଢ଼ୁଥାଏ। ଫ୍ରକ୍ ପିନ୍ଧୁଥାଏ।ମୁଁ ଯେତେବେଳେ ତୁମ ପାଖକୁ ଆସିଲି,ତୁମେ ମୋ ହାତକୁ ଧରି ପକାଇ କହିଲ,“ତୁମେ ଯୌତୁକ ହୋଇ ଆସୁଛ ନା।”
ମୁଁ କହିଲି ‘ଅଭଦ୍ର’।
ତୁମପ୍ରତି ପ୍ରଥମରୁ ମୋର ପ୍ରଗାଢ଼ ଶ୍ରଦ୍ଧା ଥିଲା।ତୁମେ ଅଧ୍ୟାପକ।କଲେଜରେ ପାଠ ପଢ଼ାଅ।ବାପା ବି ଅଧ୍ୟାପକ।ତାଙ୍କୁ ଆମେ ଭୟକରୁ,ଭକ୍ତିକରୁ।ତୁମପ୍ରତି ସେହିପରି ଭକ୍ତି ଓ ଶ୍ରଦ୍ଧା ଉଦ୍ରେକ ହୋଇଥିଲା ମନରେ।ତା ବ୍ୟତୀତ ମୁଁ ଜାଣିଥିଲି ତୁମେ କବି,ବହୁତ ବହି ଲେଖିଛ।ତୁମର ଗୋଟିଏ କବିତା ଆମ ସାହିତ୍ୟ ବହିରେ ଥିଲା।ସେ କବିତାଟି ମତେ ଭାରୀ ଭଲ ଲାଗେ।ତେଣୁ ତାର ରଚୟିତାକୁ ଭିଣୋଇ ଭାବରେ ପାଇ ମୋ ମନରେ ଗର୍ବ ଆସୁଥିଲା ଏବଂ ରଚୟିତା ପ୍ରତି ମଧ୍ୟ ଅନୁରାଗ ଆସିଥିଲା।
ତା ପରେ ତୁମେ ଯେତେବେଳେ ଆମ ଘରକୁ ଆସିଲ-ଥଟ୍ଟା ପରିହାସ କର ବୋଲି ମୁଁ ତୁମ ପାଖକୁ ଯାଏ ନାହିଁ।କିନ୍ତୁ ପରିହାସର ଉତ୍ତର ଦିଏ।ଦିନେ କହିଲି‘ତୁମେ ପରା କବି,ମୋ ପାଇଁ ଗୋଟିଏ କବିତା ଲେଖିଦେଲ।ମୁଁ ଆମ ସ୍କୁଲ ମାଗାଜିନ୍ରେ ଦେବି।’
ଆଗୋ ସୁନ୍ଦରୀ ମୋର ଶାଳିକା,
ଚାରୁ ଚପଳ କିଶୋରୀ ବାଳିକା।
ତୁମ ସ୍ମିତିରେ ଝରଇ ସୁଷମା,
ଝରେ ଅମୃତ ତୁମ ବଚନେ,
ଝରେ କଲ୍ୟାଣ ତୁମ ପରଶେ,
ଝରେ ଜ୍ୟୋତି ରାଶି ତୁମ ନୟନେ।
ପ୍ରୀତି ଝରଣା ଝରଇ ହୃଦୟେ
ତୁମେ ଚିର ନବ ଅଭିସାରିକା।
ଆଗୋ ସୁନ୍ଦରୀ ମୋର ଶାଳିକା,
ଚାରୁ ଚପଳ କିଶୋରୀ ବାଳିକା
ଘନ ଗହନ ତାମସ ନିଶୀଥେ
ତୁମେ ଦୀପଶିଖା ପରି ଜଳିବ
ଏଇ ଜୀବନ-ଅଗ୍ନି ଦାହରେ
ପୂତ ସ୍ବର୍ଣ୍ଣ ପରାଏ ଝଳିବ।
ଦେବ ଅଜାଡ଼ି ସୁରଭି ଫୁଟିଲେ
ଶୁଚି ଶୁଭ୍ର ମାନସ-କଳିକା।
ଆଗୋ ସୁନ୍ଦରୀ ମୋର ଶାଳିକା,
ଚାରୁ ଚପଳ କିଶୋରୀ ବାଳିକା।
ମୁଁ ଚାହୁଁଥିଲି ଗୋଟିଏ କବିତା ଯେଉଁଟି ଆମ ସ୍କୁଲ ମାଗାଜିନ୍ରେ ମୋ ନାମରେ ଛପାହେବ।କିନ୍ତୁ ତୁମେ ଲଖିଦେଲ କବିତା ମୋ ନାଁରେ।ସପ୍ତମ ଶ୍ରେଣୀରେ ପଢ଼ୁଥିଲେ ମଧ୍ୟ ମୋର ସାହିତ୍ୟ ଜ୍ଞାନ ଭଲଥିଲା।ତେଣୁ ତୁମ କବିତାଟିକୁ ମୁଁ ପ୍ରାୟ ବୁଝି ପାରିଥିଲି।ସେହି ଗୋଟିଏ କବିତାରେ ହିଁ ମୁଁ ତୁମ ପାଖରେ ବନ୍ଧାହୋଇ ରହିଗଲି।ମୁଁ ନିଜ ବି ବେଳେ ବେଳେ କବିତା ଲେଖୁଥିଲି।ସେ କଥା ତୁମକୁ ଅପା କହି ଦେଇଥିଲା।ମୁଁ ତାହା ଜାଣିପାରିନଥାନ୍ତି,ଯଦି ଗୋଟିଏ କବିତା ତଳେ ତୁମ ଲେଖି ନଥାନ୍ତ,‘ଖୁବ୍ ଭଲ ହୋଇଛି’।ତୁମେ ମୋ କବିତା ପଢ଼ି ଦେଇଛ ବୋଲି ମୁଁ ସେଦିନ କାନ୍ଦିଲି,ରୁଷିଲି।କିନ୍ତୁ ତୁମ ଉପରେ ତ ରାଗିପାରିଲି ନାହିଁ।ତୁମ ଉପରେ ଶ୍ରଦ୍ଧାହେଲା।ତୁମର ସେଇ କଥା ପଦକ ପାଇଁ‘ଖୁବ୍ ଭଲ ହୋଇଛି।’
ତାପରେ ତୁମ କବିତା ବହି,ପତ୍ରପତ୍ରିକାରେ ପ୍ରକାଶିତ କବିତା ସବୁ ମୁଁ ନିବିଡ଼ ଆଗ୍ରହରେ ପଢ଼ିଛି ଏବଂ ମୋର ଆଗୋଚରରେ ମୋ ଭିତରେ ତୁମ ପାଇଁ ଗଭୀର ପ୍ରୀତି ଗଢ଼ି ଉଠିଛି।ଯୌବନରେ ପଦାର୍ପଣ କରିବା ପୂର୍ବରୁ ତୁମେ ମୋ ମନଭିତରେ ପ୍ରତିଷ୍ଠିତ ହୋଇ ସାରିଥିଲ,ମୋ ଅନ୍ତରପ୍ରିୟ ପୁରୁଷ ଭାବରେ।ମୁଁ ସତରେ ତୁମଙ୍କୁ ବହୁତ ଭଲପାଇଛି। ଶ୍ରଦ୍ଧା ଓ ସମ୍ମାନ କରିଛି।ତୁମେ ଚିଠି ଲେଖ।ସେ ଚିଠିକୁ ମୁଁ ଅମୃତ ପରି ପାନ କରି ପକାଏ।ତାର ପ୍ରତ୍ୟେକଟି ଶବ୍ଦ ମୋ ସ୍ମୃତିରେ ଖୋଦିତ ହୋଇଯାଏ।
କିଶୋର ପାର ହୋଇ ମୁଁ ଯୌବନରେ ପ୍ରବେଶ କଲି।ମୋ ମନରେ ନୂତନ ରାଗ ରଙ୍ଗର ଜାଗରଣ ହେଲା।କିନ୍ତୁ ତୁମେହିଁ ପୂଜା ମଣ୍ଡପରେ ରହିଗଲ ଆରାଧ୍ୟ ଦେବତା ହୋଇ।
ପୁରୀରେ ଯାଇ ଦୁଇବର୍ଷ ରହିନଥିଲେ କଣ ହୋଇଥାନ୍ତା କେଜାଣି।କିନ୍ତୁ ଏକ ଦୁଇବର୍ଷ ଭିତରେ ମୁଁ ତୁମଙ୍କୁ ଆହୁରି ବେଶୀ ଭଲ ପାଇ ବସିଲି।ତୁମର କର୍ମକ୍ଳାନ୍ତ ମୁହଁଟି ଦେଖି ମନେହୁଏ ତୁମଙ୍କୁ ଛାତିରେ ଧରି ଆଉଁସି ଦିଅନ୍ତି।ତୁମର ଯତ୍ନ ନେବାକୁ ମନଭିତରେ ପ୍ରବଳ ଇଚ୍ଛା ହୁଏ। କିନ୍ତୁ ମୋର ଅଧିକାର ବାହାରେ ଯାଇ କେବେ କିଛି କରିବାକୁ ମୁଁ ନିଜକୁ ନିବୃତ୍ତ କରେ।
ମୁଁ ପ୍ରତିଭାର ପୂଜାରିଣୀରୁ ମନେ ମନେ ତୁମର ପ୍ରେମିକା ହୋଇଯାଇଥିଲି।ତୁମେ ଯଦି ସପ୍ରେମରେ ହାତ ବଢ଼ାଇଥାନ୍ତ ମୁଁ ହୁଏତ ନିଜକୁ ସମର୍ପଣ କରିଦେଇ ସୁଖୀ ହୋଇଥାନ୍ତି।
ତୁମେ ସ୍ଥିର ସଂଯତ ପୁରୁଷ।କୌଣସି ଦିନ ତୁମ ବ୍ୟବହାରରେ ମୁଁ ଚପଳତା ଦେଖିନାହିଁ।ମୁଁ ତ ନିଜର ମନକୁ ଆୟତ୍ତାଧୀନ ରଖିଛି।ମୋ ପ୍ରେମକୁ କାମନା କଳଙ୍କିତ କରିବାକୁ ଚାହିଁନାହିଁ।ଦେହର ଦାହରେ ଦଗ୍ଧ କରି ମୁଁ କଣ ପ୍ରେମ ପାଇଥାନ୍ତି।
ତୁମେ ଯେତେ ଯାହl କହ ସବୁ ମନେ ନୂଆ କଥାପରି ଲାଗେ।ସବୁ ମନେହୁଏ ନିର୍ଭୁଲ,ସ୍ବତଃ ପ୍ରମାଣିତ ସତ୍ୟ।ମନେ ଅଛି,ତୁମେ ଥରେ କହିଥିଲ,ମନୁଷ୍ୟ ପଶୁଠାରୁ ଭିନ୍ନ।କାରଣ ତା ଅନ୍ତରରେ ସ୍ବର୍ଗୀୟ ଅମୃତରୁ ଏକ କଣା ରହିଛି।ସେହି ଅମୃତ ବିନ୍ଦୁକୁ ଆବୃତ କରି ରହିଛି ମଣିଷର ପ୍ରକୃତି,ପ୍ରବୃତ୍ତି ଓ ଅହଙ୍କାର।ତେଣୁ ସମସ୍ତେ ନିଜର ଗଭୀରତମ ଗୋପନତମ ଅନ୍ତଃ ସ୍ଥଳକୁ ଯାଇ ସେଇ ଅମୃତ ବିନ୍ଦୁର ସନ୍ଧାନ କରିପାରନ୍ତି ନାହିଁ।ସେହି ଅମୃତ ବିନ୍ଦୁଟି ହେଲା ପ୍ରେମ। ନିଜର ଅମୃତମୟ ସତ୍ତାକୁ ଆବିଷ୍କାର ନ କଲେ ସେ ଅମୃତ ବିନ୍ଦୁକୁ ଧରି ହୁଏ ନାହିଁ।ତେଣୁ ଯେ ପ୍ରକୃତରେ ପ୍ରେମ କରିପାରେ ସେ ପୁଣ୍ୟବାନ୍ ଏବଂ ଯେ ସେ ପ୍ରେମ ପାଏ ସେ ଭାଗ୍ୟବାନ୍।
ମୁଁ ଶପଥ କରିଛି ମୋର ଅନ୍ତରର ସେଇ ଅମୃତ ବିନ୍ଦୁକୁ ଆବିଷ୍କାର କରି ତୁମ ପାଖରେ ନିବେଦନ କରିବାକୁ ଆଜୀବନ ସାଧନା କରିବି।
ଲୋକେ କହନ୍ତି,ପ୍ରେମ ଅନ୍ଧ।ତୁମ ମତରେ ପ୍ରେମ ହେଉଛି ଦିବ୍ୟଜ୍ଞାନ,ତାହା ଅନ୍ଧତା ନୁହେଁ।ଅନ୍ଧ ହେଉଛି ପ୍ରବୃତ୍ତି ଯାହାକୁ ଆମେ ପ୍ରେମର ଆଖ୍ୟାଦେଇ ଭୁଲକରୁ।ଅସତ୍ୟ ଭିତରେ ସତ୍ୟକୁ ଖୋଜି ନିରାଶହେଉ।ପ୍ରେମ ବିଷୟରେ ଭ୍ରାନ୍ତ ଧାରଣା ପୋଷଣ କରୁ।ପ୍ରବୃତ୍ତି ସବୁବେଳେ ସବୁ କ୍ଷେତ୍ରରେ ସମାନ।ସେଥିରେ ଭଲମନ୍ଦ ନାହିଁ,ବଡ଼ ସାନ ନାହିଁ। ପ୍ରେମରେ ପ୍ରବୃତ୍ତି ଥାଇପାରେ,କିନ୍ତୁ ପ୍ରବୃତ୍ତିରେ ପ୍ରେମ ନାହିଁ।ନାରୀ ପଶୁ ତାର ଦେହ ଦାନ କରି ପୁରୁଷକୁ ଯେଉଁ ଆନନ୍ଦ ଦିଏ ନାରୀ ତାର ଦେହ ଦେଇ ପୁରୁଷକୁ ତା ଠାରୁ ଅଧିକ କଣ ଦିଏ?ଉଭୟ କ୍ଷେତ୍ରରେ Quality of Pleasure ସମାନ।
ତୁମ କଥା ସବୁ ଅକ୍ଷରେ ଅକ୍ଷରେ ସତ୍ୟ।ସେଇ ପ୍ରବୃତ୍ତିର ଉଚ୍ଚ ପ୍ରାଚୀର ଡେଇଁ ମତେ ଯିବାକୁ ହେବ ଆହୁରି ନିଜର ଗଭୀର ସତ୍ତାକୁ ସେଇ ଅମୃତ ବିନ୍ଦୁର ସନ୍ଧାନରେ।
ମୁଁ ତୁମ ପାଖରେ ଥାଇ ଆନନ୍ଦିତ ହେବି କାହିଁକି ଦୂରରେ ଥାଇ ଦୁଃଖିତ ହେବିନାହିଁ।କାରଣ ତୁମେ ବାହାରେ ନାହଁ। ତୁମେ ଅଛ ମୋ ଭିତରେ,ମୋର ଅନ୍ତର ଭିତରେ।
ତୁମଙ୍କୁ ମୋର ଦେବାର କିଛି ନାହିଁ।ହୃଦୟର ସେଇ ଅମୃତ ବିନ୍ଦୁକୁ ଯେତେଦିନ ନ ଦେଇଛି ଆଉ କଣ ଦେବା କଥା ଭାବିବି!
ତୁମ ଠାରୁ ମୋର କିଛି ପାଇବାର ବି ନାହିଁ।ଦେବାରେ ଯେଉଁ ଆନନ୍ଦ ତାହା ପାଇବାରେ ଥାଏ।
ହୃଦୟର ଅମୃତ ବିନ୍ଦୁ ନେଇ ଯେଉଁଦିନ ମୁଁ ତୁମର ଶୂନ୍ୟତାକୁ ପୂର୍ଣ୍ଣ କରିଦେଇ ପାରିବି,ସେହିଦିନ ମୁଁ ମୋର ପାଇବାର କାମନାକୁ ତୁମ ପାଖରେ ବାଢ଼ିବି।କିନ୍ତୁ ସେ ସୁଦିନ କେଉଁ ଜନ୍ମରେ ଆସିବ ତାହା ଭଗବାନ ହିଁ ଜାଣନ୍ତି।କିନ୍ତୁ ପଥ ଯେତେ ଦୁର୍ଗମ ହେଉ,ଯେତେ ସୁଦୂର ହେଉ,ସବୁ ଅତିକ୍ରମ କରିବା ପାଇଁ ମୋର ନିଷ୍ଠା ଓ ବିଶ୍ବାସ ।
। ଇତି।
ତୁମର ବୀଚି
୧। ୯। ୬୮
ବାଲେଶ୍ବର