ଦୀର୍ଘ ୨୭ ବର୍ଷ ପରେ ଅପ୍ରତ୍ୟାଶିତ ଭାବରେ ଗୋପାଳ ସହିତ ଦେଖା ହେଲା।
ପିଅନ୍ ସ୍ଲିପ୍ ଦେଇଯାଇଥିଲା।ମୁଁ କିନ୍ତୁ ଆଶା କରି ନଥିଲି ଆଗନ୍ତୁକ ଗୋପାଳ ପଟ୍ଟନାୟକ ମୋର ଅତି ପରିଚିତ,ମୋର ଏକଦା କଲେଜ ଜୀବନର ଅନ୍ତରଙ୍ଗ ବନ୍ଧୁ।
ବ୍ୟାଙ୍କ୍ର ମ୍ୟାନେଜର୍ ଭାବରେ ସାରା ଭାରତର ଅନେକ ଜାଗା ବୁଲି ବୁଲି ଓଡ଼ିଶାକୁ ଫେରି ଆସି ଭୁବନେଶ୍ବରରେ ଯୋଗ ଦେବାର ମାସେ ଦୁଇମାସ ମାତ୍ର ଯାଇଥାଏ।ଏହା ଭିତରେ ଅନେକ ପୁରୁଣା ସହପାଠୀ ବନ୍ଧୁଙ୍କ ସହିତ ଦେଖା ବି ହୋଇଥାଏ।ସେମାନଙ୍କ ଭିତରୁ କାହାକୁ ମୁଁ ଚିହ୍ନିପାରିଛି ତ ସେମାନଙ୍କ ଭିତରୁ କିଏ ମତେ ଚିହ୍ନିପାରିଛି।କିନ୍ତୁ ପ୍ରକୃତ ଅନ୍ତରଙ୍ଗ ବନ୍ଧୁ ଯେଉଁମାନେ ଥିଲେ ସେମାନଙ୍କ ଭିତରୁ କାହା ସହିତ ଦେଖା ହୋଇ ନଥାଏ।
ଚ୍ୟାମ୍ବର୍ ଭିତରକୁ ଚିରାଚରିତ ରୀତିରେ ସଂଭାଷଣ କରୁ କରୁ ଭଦ୍ରବ୍ୟକ୍ତିଟି ପଶି ଆସିଲେ ଏବଂ ମୋ ଆଡ଼କୁ କରମର୍ଦ୍ଦନ ଉଦ୍ଦେଶ୍ୟରେ ହସ୍ତ ପ୍ରସାରିତ କରି ନେଉ ନେଉ କହିଲେ,‘ଶିଶିର ତ!’
ହାତରେ ହାତ ବଦ୍ଧ ହୋଇ ରହିଗଲା ମୁହୂର୍ତ୍ତକ ପାଇଁ।
ତାପରେ କଳରୋଳ ସହିତ ଉଭୟେ ଉଭୟଙ୍କୁ କୁଣ୍ଢେଇ ପକେଇଲୁ।
୨୭ବର୍ଷ ତଳର ପରିଚୟ ଓ ବନ୍ଧୁତା।ଏଇ ଦୀର୍ଘ କାଳ ଭିତରେ କେତେ ଯେ କଣ ଘଟିଯାଇଛି ତାର ହିସାବ କିଏ ରଖିଛି।
ତେଣୁ ପରସ୍ପରକୁ ଅନେକ ପ୍ରଶ୍ନ,ଅନେକ ଜିଜ୍ଞାସା।
ଗୋପାଳ ଜାଣିଲୁ,ମୁଁ ପ୍ରାୟ ସମଗ୍ର ଉତ୍ତର ଭାରତ ବୁଲି ବୁଲି ଏବେ ଓଡ଼ିଶାକୁ ଆସିଚି।ମୋର ଦୁଇପୁଅଙ୍କ ଭିତରୁ ବଡ଼ଟି ଦିଲ୍ଲୀରେ ପୋଷ୍ଟ ଗ୍ରାଜୁଏସନ୍ କରୁଚି। ସାନଟି ବି.ଏ ପଢ଼ୁଛି।ଦୁଇଝିଅଙ୍କ ଭିତରୁ ବଡ଼ଟି ବି.ଏ ପଢ଼ିବାବେଳେ ହିଁ ବାହା ହୋଇଯାଇଛି।ଜ୍ବାଇଁ ଡାକ୍ତର।ଦୁହେଁଯାକ ବର୍ତ୍ତମାନ ଷ୍ଟେଟ୍ସ୍ରେ ଅଛନ୍ତି।ସାନଟି ମାଟ୍ରିକ୍ ପଢ଼ୁଛି ଇତ୍ୟାଦି।
ମୁଁ ଜାଣିଲି ଗୋପାଳ ବର୍ତ୍ତମାନ ଅର୍ଥ ବିଭାଗରେ ଡେପୁଟି ସେକ୍ରେଟେରୀ ଅଛି।୪ଟି ଝିଅ ଓ ଗୋଟିଏ ପୁଅ।ପୁଅଟି ସବା ସାନ।ବୟସ ମାତ୍ର ସାତବର୍ଷ।ଝିଅମାନେ ସବୁ ପଢ଼ୁଛନ୍ତି।ବଡ଼ଝିଅ ପାଇଁ ବାହାଘର ପ୍ରସ୍ତାବ ପ୍ରାୟ ଠିକ୍ ହୋଇଯାଇଛି।ଆଗାମୀ ଫେବୃୟାରୀରେ ବାହାଘର ହୋଇପାରେ ଇତ୍ୟାଦି।
ତାପରେ ଅନ୍ୟାନ୍ୟ ବନ୍ଧୁମାନଙ୍କ ସମ୍ପର୍କରେ ମୋର ପ୍ରଶ୍ନ।
“ଆଚ୍ଛା,ଭକ୍ତ କେଉଁଠି ଜାଣିଛ?”
“ଭକ୍ତ ପୁରୀରେ କମର୍ସିଆଲ ଟ୍ୟାକ୍ସ ଅଫିସର୍ ଅଛି।ସେଇଠି ଗୋଟାଏ ବଡ଼ କୋଠାଘର ତୋଳିଛି।ଭୁବନେଶ୍ବରରେ ବି ଜାଗା ନେଇଛି।”
“ବୈଦ୍ୟନାଥ?”
“ବୈଦ୍ୟନାଥ ତା ଗାଁ ହାଇସ୍କୁଲରେ ଶିକ୍ଷକ ଅଛି।ସ୍କୁଲ ସେକ୍ରେଟେରୀଙ୍କ ସହିତ ତାର ବନିବନା ନାହିଁ।ତେଣୁ ହେଡ଼୍ମାଷ୍ଟର ହୋଇ ପାରୁନି।”
“ବ୍ରଜ?”
“କୋଉ ବ୍ରଜ?ଜଣେ ତ ଥିଲା ବ୍ରଜ ମିଶ୍ର।ଫୁଟବଲ୍ ଖେଳୁଥିଲା।ସେ ବର୍ତ୍ତମାନ ଔଷଧ ଦୋକାନ କରିଛି।ଆଉ ଜଣେ ଥିଲା ବ୍ରଜ ମହାନ୍ତି।ହାଇପାୱାର୍ ଚଷମା ଲଗାଉଥିଲା ବୋଲି ଆମେ ତାକୁ କଣା ବ୍ରଜ ବୋଲି କହୁଥିଲୁ।ସେ ଖୋର୍ଦ୍ଧାରେ ଆଡ୍ଭକେଟ୍ ଅଛି।”
“ନା ମ?ଆଉ ଜଣେ ବ୍ରଜ ନଥିଲା।ବ୍ରଜ ରାଉତରାୟ।”
“ହଁ ଜାଣେ।ସେ କୋଅପରେଟିଭ୍ ଡ଼ିପାର୍ଟମେଣ୍ଟରେ ଆସିଷ୍ଟାଣ୍ଟ ରେଜିଷ୍ଟ୍ରାର ଥିଲା।କଣ ସବୁ ଭିଜିଲାନସ୍ କେଶ୍ରେ ପଡ଼ି ବିଚାରାର ଚାକିରୀ ଖଣ୍ଡକ ଯାଇଛି।ଗାଁରେ ରହୁଚି,ଜମିବାଡ଼ି କଥା ବୁଝୁଛି।”
“ଆଉ ଅଜୟ?”
“ଅଜୟ ଜଗଦେବ ତ!ସେ ମଜା ମଜା କଥା କହି ବହୁତ ହସାଉଥିଲା।ସେତ ଆଉ ନାହିଁ।”
“ମାନେ?”
“ତୁମେ ଜାଣିନା?କାଲି ପରି ଲାଗୁଚି,୪।୫ ବର୍ଷ ହୋଇଗଲାଣି।”“କଣ ହୋଇଥିଲା ତାର?”ମୁଁ ବିଷର୍ଣ୍ଣ ହୋଇ ପଚାରିଲି।“ଗୋଡ଼ରେ ଗୋଟାଏ ଲୁହାକଣ୍ଟା ମାଡ଼ି ପକାଇଥିଲା।କିଛି ଚିକିତ୍ସା ତାର ନାହିଁ।୮।୧୦ଦିନ ପରେ ଟିଟାନସ୍ ହୋଇଗଲା।”ମୁଁ ଆଉ କିଛି ପଚାରି ପାରିଲି ନାହିଁ। କିଛି ସମୟ ନୀରବରେ ବିତିଗଲା ପରେ ଗୋପାଳ ପୁଣି କଥା ଆରମ୍ଭ କଲା।
“ଆଉ ଝିଅମାନଙ୍କ କଥା କିଛି ମନେ ନାହିଁ?”“ଅଛି। ତୁମେ ଜାଣିଚ ସେମାନଙ୍କ କଥା?” ମୁଁ ପଚାରିଲି।“କାହା କଥା ଜାଣିବାକୁ ଚାହୁଁଚ?”
“ମନୋରମା।”
“ମୁଁ ଜାଣେ, ତୁମେ ତା କଥାହିଁ ପଚାରିବ।”ଗୋପାଳ କଥାର ମର୍ମାର୍ଥ ବୁଝିପାରି ମୁଁ ଟିକିଏ ହସିଲି।
“ମନୋରମା ଆଇ.ଏ.ପାଶ୍କରି ପୁରୀ କଳେକ୍ଟରିଏଟ୍ରେ କିରାଣୀ ଚାକିରୀ କରିଥିଲା।ସେଇଠି ଜଣେ ଡେପୁଟି କଲେକ୍ଟର ତା ପ୍ରେମରେ ପଡ଼ିଗଲେ।ତାଙ୍କୁ ହିଁ ସେ ବାହାହେଲା।ଚାକିରୀ ଛାଡ଼ି ଦେଇ ଗୃହିଣୀ ବନିଗଲା।ଏବେ ପୁଅ ଝିଅଙ୍କ ମା ହୋଇ ଘର ସଂସାର କରୁଚି।ଏଇ ଭୁବନେଶ୍ବରରେ ତ ଅଛି।”“ଭୁବନେଶ୍ବରରେ ଅଛି?”ଏଇ ସଂବାଦଟା ମତେ ବହୁତ ଉଲ୍ଲସିତ କଲା।“ହଁ,ଏଇ ଭୁବନେଶ୍ବରରେ ଅଛି।ତା ସହିତ ମୋର ବହୁତ ସମୟରେ ଦେଖାହୁଏ।ତୁମେ ଦେଖା କରିଚ?”
“କୋଉଠି ରହୁଚି ସିଏ?”
“ଦେଖା କରିବାକୁ ଚାହୁଁଚ ତ?”“ଦେଖା କରିବାକୁ ଚାହିଁଲେ କଣ ଦେଖା ହୋଇଯିବ?ଦେଖା ହେଲେ ସେ ଚିହ୍ନିବ କି ନାହିଁ କେଜାଣି।ତା ଛଡ଼ା ତା ସ୍ବାମୀ କଣ ଭାବିବେ।”“କିଛି ଭାବିବେ ନାହିଁ।ତୁମେ ଦେଖା କରିବାକୁ ଚାହୁଁଚ ତ?”
“ମୁଁ କହିଲି ନିଶ୍ଚୟ।”“ତାହା ହେଲେ ଦେଖା ହେବ।ଗୋଟାଏ ଦିନ ସ୍ଥିର କରି ମୁଁ ତୁମଙ୍କୁ ନେଇଯିବି।ସେ ତୁମଙ୍କୁ ଚିହ୍ନି ନପାରିବାର ଭୟ ନାହିଁ।”
“କାହିଁକି?”
“ଯେଉଁଥି ପାଇଁ ତୁମେ ତାକୁ ଭୁଲି ନା,ସେଥିପାଇଁ ସେ ବି ତୁମଙ୍କୁ ଭୁଲି ନାହିଁ।”
“ସେ ଭୁଲି ନାହିଁ ବୋଲି କିପରି ଜାଣିଲ?”
“ମୁଁ ଜାଣେ,ସେ ତୁମଙ୍କୁ ମନେରଖିଚି।ତୁମ କଥା ବେଳେ ବେଳେ କହେ।ମୋର ତା ସହିତ ଦେଖା ହୁଏ ତ।”
ଗୋପାଳର କଥା ଶୁଣିବାକୁ ମିଠା ଲାଗୁଥିଲା।ମୁଁ ପୁଣି ହସିଲି।ପଚାରିଲି,“ମୋ କଥା କଣ କହେ?”
“ପ୍ରଥମେ ତା ସହିତ ଦେଖା ହେଉ?।”
“ଆଚ୍ଛା,ଆଉ କାହା ସହିତ ଦେଖା ହୁଏ?”
“ଆଉ ପ୍ରାୟ ସମସ୍ତେ ବାହାସାହା ହୋଇ କିଏ କୁଆଡ଼େ ଘର କଲେଣି।ମନୋରମା କହୁଥିଲା,ତା ପାଖକୁ ବେଳେ ବେଳେ ଶୀଲାରାୟ ଚିଠି ଦିଏ।ଶୀଲାରାୟ ମନେପଡ଼ୁଛି ତ?ଇଂରାଜୀ ଅଧ୍ୟାପକ ଶଙ୍କରରାୟଙ୍କ ଝିଅ।”
“କେଉଁଠି ଅଛି ସେ?”“ସେ ବିଶ୍ବଭାରତୀରେ ଅଧ୍ୟାପିକା ଅଛି।”
ଏହି ଅବସରରେ ଟେବୁଲ୍ ଉପରେ ବହୁତ ଫାଇଲ୍ ଆସି ଗଦା ହୋଇଯାଇଥିଲା।ଗୋପାଳ କହିଲା,ଆଜି ଏତିକି ଥାଉ,ପୁଣି ଦେଖାହେଲେ ଅନ୍ୟମାନଙ୍କ କଥା ପକେଇବା।ମନୋରମା ଘରକୁ କେବେ ଯିବା!ମୁଁ କହିଲି“ଗୋଟେ ଦିନ ସ୍ଥିର କର।ବିଳମ୍ବେନ ଅଳମ୍”“ଆଗାମୀ ରବିବାର?”
ମୁଁ ସମ୍ମତି ଜଣାଇଲି।ଠିକ୍ ହେଲା ଗୋପାଳ ଆସି ମୋତେ ସାଙ୍ଗରେ ନେଇଯିବ।
* * *