ମନୋରମାର ଏତିକି କଥାର ମୂଲ୍ୟ ମୋତେ ଶତ ଶତ ମୟୁରସିଂହାସନ,ଲକ୍ଷ ଲକ୍ଷ କୋହିନୂରଠାରୁ ଅଧିକ ମୂଲ୍ୟବାନ ମନେ ହୋଇଥିଲା।ମୁଁ ତାହାଠାରୁ ଏହି ପ୍ରଶଂସାଟିକକ ପାଇବାର ଆଶା କରିନଥିଲି।ମୋର ଲେଖାଲେଖିର ସାର୍ଥକତା ମୁଁ ସେଦିନ ପାଇଯାଇଥିଲି।
“ଆଉ ସେ ପୁରସ୍କାରର ଭାଗବି ମନୋରମାକୁ ଦେଇଥିଲ।”“ହଁ,ତା’ପରଦିନ ପୁରସ୍କାର ପାଇଥିବା ବହି ଭିତରୁ ଗୋଟିଏ ବହି ତାକୁ ଉପହାର ଦେଇଥିଲି କିନ୍ତୁ ତୁମେ କିପରି ଜାଣିଲ?”“ଫେର୍ ସେହି କଥା କିପରି ଜାଣିଲ?ତୁମର ସେହି ଉପହାର ବହିଟା ଏବେବି ମନୋରମା ପାଖରେ ଅଛି।ମୁଁ ଦେଖିଛି।”
“ମିଛ କଥା”ମୁଁ ବିଶ୍ବାସ କରିପାରିଲି ନାହିଁ।ମିଛ ନୁହେଁ ସତ।ମୁଁ ମନୋରମାକୁ କହିବି ସେ ବହିଟା ତୁମକୁ ଦେଖାଇଦେବ।ସେ ବହିର ପ୍ରଥମ ପୃଷ୍ଠାରେ ତୁମର କବିତାପଦକବି ଅକ୍ଷୁର୍ଣ୍ଣ ଅଛି।
ମନୋରମା ପ୍ରଶଂସା ଶୁଣିବା ଦିନ ଯେଉଁ ଆନନ୍ଦ ପାଇଥିଲେ,ଆଜି ସେହିପରି ଆନନ୍ଦର ଶୀହରଣ ମୋ ଭିତରେ ଅନୁଭବ କଲେ।
“ଆଚ୍ଛା,ତା’ପରେ କଣ ହେଲା?”“ଆଉ ହେବ କ’ଣ ମୁଁ ମନୋରମାକୁ ଅଧିକରୁ ଅଧିକ ଭଲପାଇ ବସିଲି।”
“ଅର୍ଥାତ୍ ବସି ବସି ବହୁତ ବହୁତ ପ୍ରେମ କବିତା ଓ ରୋମାଣ୍ଟିକ୍ ଗଳ୍ପ ଲେଖିଲ।”ଦୁହେଁଯାକ ହୋ ହୋ ହୋଇ ହସିଉଠିଲୁ।“ମୋତେ ଥରେ ମନୋରମା ତାଙ୍କ ଘରକୁ ଡାକିନେଇଥିଲା।ତାର ବାପା ବୋଉଙ୍କ ସହିତ ପରିଚୟ କରାଇଦେଇଥିଲା।ବିଶେଷତଃ କବି ଭାବରେ ପରିଚୟ କରେଇ ଦେଇଥିଲା।ସେଥିପାଇଁ ମୁଁ ବହୁତ ଖୁସି ହୋଇଥିଲି।”
“କିନ୍ତୁ ମନୋରମାର ସାହିତ୍ୟ ଜ୍ଞାନ ବହୁତ କମ୍ ଥିଲା ଜାଣିଛତ”?“ସାହିତ୍ୟ ଜ୍ଞାନ କମ୍ ବୋଲି ତ ମୁଁ କେବେ ମନେକରିନାହିଁ।”
“ଯେଉଁ ପରୀକ୍ଷାଖାତା ତୁମେ ନେଇଥିଲ ସେଥିରେ ସେ କେତେ ନମ୍ବର ରଖିଥିଲା?ଆଇ.ଏ.’ରେ ପରା ସାହିତ୍ୟରେ ଫେଲ୍ ହୋଇ ପ୍ରଥମଥର ଗଡ଼ମ୍ ମାରିଥିଲା।”
ମୁଁ ମନୋରମା ସପକ୍ଷରେ ଯୁକ୍ତିକଲି।“ସାହିତ୍ୟ ସୃଷ୍ଟି କରିବା କେବଳ ସାହିତ୍ୟ ଜ୍ଞାନର ପରିଚାୟକ ନୁହେଁ। ସାହିତ୍ୟକୁ ଆଦର କରିବା ମଧ୍ୟ ସାହିତ୍ୟ ଜ୍ଞାନର ପରିମାପକ।”“ବୁଝିଲି ବୁଝିଲି, ତୁମେ ମନୋରମା ନିନ୍ଦା ସହ୍ୟ କରିପାରିବ ନାହିଁ-ଏକଥା ମୁଁ ଭୁଲିଯାଇଥିଲି।”
“ସେପରି କାହିଁକି ଭାବୁଛ”ମୁଁ ଯୁକ୍ତି କରିବାକୁ ଆଗଭର ହେଲି।
ଗୋପାଳ ମୋତେ ବାଧା ଦେଇ କହିଲା“ଥାଉ ବନ୍ଧୁ ଯୁକ୍ତିରେ କାମ ନାହିଁ।ଆମର ଅସଲ କଥାଟା ଅଟକିଗଲା।ପ୍ରେମ କେତେ ଦୂର ଗଲା କହ।” “ଆଉ କେତେଦୂର ଯିବାପାଇଁ କ’ଣ ଅଛି?ଏମିତି ତ ମଝିରେ ମଝିରେ ଟିକିଏ ଟିକିଏ କଥାବାର୍ତ୍ତା ଟିକିଏ ଟିକିଏ ପରସ୍ପରକୁ ଦେଖାଦେଖି-”
“ପରସ୍ପରକୁ ଛୁଆଁଛୁଇଁ ନାହିଁ? ”“ଥିଲା,ମାତ୍ର ଥରଟିଏ ଥରେ ବହି ବଢ଼େଇଦେଲାବେଳେ ତା’ ହାତରେ ମୋ ହାତ ବାଜିଯାଇଥିଲା”
“ଓଃ,ମାତ୍ର ଏତିକି”“ସେତିକି କ’ଣ କମ୍ ସୌଭାଗ୍ୟ ମନେ ହୋଇଛି ସେତେବେଳେ”
“ନା ନା ମୁଁ ଆଶଙ୍କା କଲି ସେ ଥରକର ଛୁଆଁଛୁଇଁ ଅତି କମ୍ରେ ଗୋଟାଏ ଚୁମ୍ବନ ପର୍ଯ୍ୟନ୍ତ ଯାଇଥିବ।ସେତେବେଳେ
ତ ତୁମ ଦୁହିଁଙ୍କର ଦତ ତୋଟାଭିତରେ କଥାବାର୍ତ୍ତା ହୋଇ ଆସିବାର ଦେଖିଲେ ମୋର ଗାତ୍ର ଦାହ ହେଉଥିଲା”“ତୁମର ମନେ ଅଛି,କଲେଜ ନୋଟିସ୍ ବୋର୍ଡରେ ଜଣେ କିଏ ଗୋଟାଏ ଡାମରା କାଉ ଗୀତ ଲେଖି ମାରିଦେଇଥିଲା”?
“ନିଶ୍ଚୟ ମନେ ଅଛି।
ଡାମରା କାଉରେ ଡାମରା କାଉ
ପ୍ରତିଦିନ କେତେ କୁଆଡ଼େ ଯାଉ
ଯିବୁ ଯେବେ ଦିନେ କଲେଜ ପୁରୀ
ସେଠାରେ ଶୁଣିବୁ ପଡ଼ିଛି ହୁରି
କିଏ ମନୋରମା ମନୋହାରିଣୀ
ଶିଶିର କଣିକା ବିନ୍ଦୁ ଧାରିଣୀ
କେତେ ଯେ ଆଳାପ କେତେ ଯେ ହାସ
ଦତ୍ତତୋଟା ମାଳେ ଚାଲିଛି ରାସ
ଦେଖୁଛନ୍ତି ଯହିଁ ଭକତଜନ
ବ୍ରଜ,ବୈଦ୍ୟନାଥ,ଗୋପାଳ ଗଣ
ଅଜୟ,ବିଜୟ ,ମଦନ, ଶ୍ୟାମ
ଶିଶିର ବିନ୍ଦୁଏ ହୋଇଛି ବାମ”
“ତୁମର ଗୀତଟା ମନେ ଅଛି କିପରି? ବଡ଼ ଆଶ୍ଚର୍ଯ୍ୟ।”
“ଆଶ୍ଚର୍ଯ୍ୟ ହେବାର କିଛି ନାହିଁ ବନ୍ଧୁ।କାରଣ ସେ ଡାମରା କାଉ କବିତାର କବି ମୁଁ ନିଜେ।ତାକୁ ନେଇ ସେଠାରେ ରାତିରେ ମାରି ଆସିଥିଲା ଅଜୟ ଜଗଦେବ”
“ମୁଁ ବିସ୍ମୟରେ ବିମୂଢ଼ ହୋଇଗଲି।ରାଗ ନାହିଁ ବନ୍ଧୁ ମୁଁ ସେଦିନର ଭୂଲ୍ ପାଇଁ ଆଜି କ୍ଷମା ମାଗି ନେଉଛି।”
“ସେଦିନ ନୋଟିସ୍ ବୋର୍ଡରେ ଗୀତଟା ଦେଖି ମୋ ମୁଣ୍ଡ ଖରାପ ହୋଇଗଲା ଏହିପରି ଅଶ୍ଳୀଳ ଅଭଦ୍ର ଗୀତ ବାହାରିଛି ଜାଣିଲେ ସିଏ ନିଶ୍ଚୟ ମୋ ସହିତ ସମ୍ପର୍କ ଚ୍ଛିନ୍ନ କରିଦେବ ତେଣୁ ମୁଁ ସେହି ଗୀତଟାକୁ ଚିରି ନେଇଗଲି ସେ ଯେପରି ନଜାଣିପାରେ-”
“ମନୋରମା କିନ୍ତୁ ଠିକ୍ ଜାଣିଥିଲା।କାରଣ ତା ପାଖକୁ ଡାକରେ ସେ ଗୀତରୁ ଗୋଟାଏ କପି
ଚାଲିଯାଇଥିଲା।” ମୁଁ କହିଲି“ତୁମେ ଏତେ ପାଜି ଥିଲ ସତରେ? ”
“ପାଜି ନୁହେଁ ବିଶ୍ବାସଘାତକ କହିପାର କିନ୍ତୁ ଆମର ଏ ଷଢ଼ଯନ୍ତ୍ର ଫସର ଫାଟିଯାଇଥିଲା ତୁମ ପରି ଆମେ ବି ଭାବିଥିଲୁ ତୁମର ପ୍ରେମ ସେତିକିରେ ଖତମ୍ କିନ୍ତୁ ଦେଖିଲା ବେଳକୁ ପୁଣି କିଛିଦିନ ପରେ ଦତ୍ତତୋଟାରେ ସେଇ ରାସ।ଆଚ୍ଛା ବର୍ତ୍ତମାନ ତା’ ପରବର୍ତ୍ତି ଘଟଣା କୁହ।’’
“ତା ପରବର୍ତ୍ତୀ ଘଟଣା ଆଉ କିଛି ନାହିଁ।ତାପରେ ପରୀକ୍ଷା ପାଖେଇଆସିଲା ମୁଁ ପଢ଼ାପଢ଼ିରେ ମନଦେବାକୁ ଚେଷ୍ଟା କଲି କିନ୍ତୁ ମନ ଭିତରେ ତ ସେଇ ମନୋରମା ପାଠ ହେଉଛି କୁଆଡ଼େ!ଇକୋନମିକ୍ସ ବହି ପ୍ରତି ଅରୁଚି।ଖାଲି ପ୍ରେମ କବିତା ଲେଖିବା,ଇଂରାଜୀ ଓଡ଼ିଆ,ବଙ୍ଗଳାରେ ପ୍ରେମକବିତା ପଢ଼ିବାରେ ମୋ ସମୟ ଯାଏ।ପରୀକ୍ଷା ଫଳ ବାହାରିବା ବେଳକୁ ବୁଦ୍ଧି ସ୍ଫୁରଣ ହେଲା।ଇକୋନମିକ୍ସରେ ଫେଲ୍ ହୋଇ ଚିତପଟାଙ୍ଗ୍ ମାରିଥାଏ”।“ତେଣେ ମନୋରମା ମଧ୍ୟ।’’ଗୋପାଳ କହିଲା।
“କିନ୍ତୁ ମୋର ଅବସ୍ଥା ଅବର୍ଣ୍ଣନୀୟ।ମାଟ୍ରିକ୍ରେ ଫାଷ୍ଟ ଡିଭିଜନ୍ ପାଇ ଆଇ.ଏ.ରେ ଫେଲ୍।ସମସ୍ତଙ୍କ ମୁହଁରେ ଗୋଟିଏ କଥା,‘ଶିଶିର ଛତରା ହୋଇଗଲା।’ବାପା ରାଗିଯାଇ ଚିଠି ଲେଖିଲେ,‘ତୁ କୁଳର କଳଙ୍କ।’’
ପରୀକ୍ଷା ଦେଇସାରି ଛୁଟିରେ ଗାଁରେ ଥିଲି।ବାପାବି ଛୁଟିରେ ଗାଁକୁ ଆସିଥିଲେ କିଛିଦିନି।ସେତିକିବେଳେ ସେ ବୋଧେ ପଢ଼ିଦେଇଥାନ୍ତି ମୋ ଡାଇରୀ।ମୋର ଡାଇରୀ ଲେଖିବା ଅଭ୍ୟାସ ଥିଲା ସେ ଡାଇରୀ ଖାଲି ସବୁ ମନୋରମା କଥାରେ ପୂର୍ଣ୍ଣ ।ତା’ରି ବିଷୟରେ ତା’ରି ଭାବନାରେ ପୂର୍ଣ୍ଣ।ତେଣୁ ମୋର ପରୀକ୍ଷାଫଳ ବାହାରିବା ପରେ ସେ ବୋଉ ପାଖକୁ ଚିଠି ଲେଖିଲେ“ତୁମେ ଯାଇ ପୁରୀରେ ଗୋଟିଏ ଘର ନେଇ ରହ।ଶିଶିର ଉପରେ କଡ଼ା ନଜର ରଖିବ।ସେ ଯେପରି ବାହାରକୁ ବୁଲିବାକୁ ଯିବ ନାହିଁ ତାହା ସହିତ ଦେଖାକରିବାକୁ ତାହାର ସାଙ୍ଗସାଥୀ କେହି ଆସିବେ ନାହିଁ।କବିତା ଲେଖିବା ବା ବାଜେ ବହି ପଢ଼ିବାରେ ସମୟ ନଷ୍ଟ କରିବ ନାହିଁ ଇତ୍ୟାଦି କଡ଼ା ନିର୍ଦ୍ଦେଶପୂର୍ଣ୍ଣ ଚିଠି।”
ବୋଉ,ମୁଁ ଓ ଗୋଟିଏ ଚାକରପିଲା।ଗୋଟିଏ ଛୋଟ ଘର ଭଡ଼ାନେଇ ଆମେ ଦୋଳମଣ୍ଡପ ସାହିରେ ଥାଉ।ବାହାରକୁ ଯିବା ମୋ ପାଇଁ ନିଷିଦ୍ଧ।ଦାଣ୍ଡପଟ ଘରେ ବୋଉ ରହେ।ଭିତରପଟ ଘରେ ମୋ ପାଇଁ ସ୍ଥାନ।ମୋ ପଢ଼ାରେ ଯେପରି କିଛି ବ୍ୟାଘାତ ନହୁଏ ସେଥିପାଇଁ ବୋଉର ସାବଧାନତାର ଅନ୍ତ ନାହିଁ।ସପ୍ଲିମେଣ୍ଟାରୀ ପରୀକ୍ଷା ପାଇଁ ମାତ୍ର ଦୁଇମାସ ଠାରୁ କମ୍ ସମୟ ଥାଏ।
ମୋର ବହୁତ ଇଚ୍ଛା ଥାଏ ମନୋରମାର ସନ୍ଧାନ ନେବାକୁ।ସେ ସପ୍ଲିମେଣ୍ଟାରୀ ପରୀକ୍ଷା ଦଉଛିକି ନାହିଁ।କେଉଁଥିରେ ଫେଲ୍ ହେଲା ଜାଣିବାକୁ ଭାରି ମନ ହେଉଥାଏ।କିନ୍ତୁ ମୁଁ ତ ମୋ ଗୃହରେ ଅନ୍ତରୀଣ ବନ୍ଦୀ।ପରୀକ୍ଷାରେ ଫେଲ୍ ହୋଇ ନିଜକୁ ଏଡ଼େ ଅପରାଧୀ ମନେ କରୁଥାଏ ଯେ,ନିଜ ଇଚ୍ଛାରେ କିଛି କରିବାର ସାହାସ ବି ନଥାଏ ।
ଦିନେ ଦ୍ବିପ୍ରହର ହେବ।ଶୋଇଥିଲି,ନିଦ ଭାଙ୍ଗିଗଲା।ଶୁଣିଲି ବୋଉ କାହା ସହିତ କଥା ହେଉଛି।ପରିଚିତ କଣ୍ଠ ପରି ଲାଗିଲା।ଟିକିଏ କାନେଇଲି,ମନୋରମାର କଣ୍ଠ।ଛାତି ଭିତରଟା ଚାଉଁକିନା ହୋଇଗଲା। ଉଠି ବସିଲି।ବୋଉର କଣ୍ଠ ସ୍ବର ଶୁଣାଗଲା “ସେ ଶୋଇଛି,ତା’ସହିତ ଦେଖା ହେବନାହିଁ।ତୁମେ ଯାଅ।”
ମନୋରମା କ’ଣ କହିଲା ମୁଁ ଶୁଣିପାରିଲି ନାହିଁ।କାଳେ ବୋଉ କଥା ଶୁଣି ମନୋରମା ଚାଲିଯିବ ବୋଲି ଭାବି ମୁଁ ଘର ଭିତରୁ ବାହାରି ଆସିଲି।କିନ୍ତୁ ସେତେବେଳକୁ ବୋଉ ତା’ର ବ୍ରହ୍ମାସ୍ତ୍ର ପ୍ରୟୋଗ କରିଥିଲା।ବୋଉ କହୁଥିଲା“ଆଉ କେବେ ତା’ ପାଖକୁ ଆସିବ ନାହିଁ।ତୁମେମାନେ ତ ତା’ ଜୀବନକୁ ନଷ୍ଟ କରିଦେଲ। ପୁଣି ଖୋଜି ଖୋଜି ଏଠାକୁ ଆସିଛ।”
ମନୋରମା ପିଣ୍ଡାର ତଳକୁ ଓହ୍ଲାଇ ଯାଇଥିଲା।ମୁଁ ସାହାସ କରି ଆଉ ଟିକିଏ ବି ଆଗେଇଆସି ପାରିଲିନାହିଁ।ତାକୁ ଟିକିଏ ବି ଦେଖିପାରିଲି ନାହିଁ।କାଳେ ବୋଉ ମୋତେ ଦେଖିଦେବେ ବୋଲି ମୁଁ ଭୟରେ ଭୀରୁ ପରି ମୋ ଘରକୁ ପଳାଇଆସିଲି।
ମନୋରମା ସହିତ ତାପରେ ଆଉ ଦେଖା ହୋଇନାହିଁ।ମୁଁ ତ ତାପରେ ବାପାଙ୍କ ପାଖରେ ରହି ଦିଲ୍ଲୀରେ ପଢ଼ିଲି। ଓଡ଼ିଶାରୁ ଏକପ୍ରକାର ବିଚ୍ଛିନ୍ନ ହୋଇଗଲି। କିନ୍ତୁ ମନୋରମାର ସେଦିନର ଅପମାନ କଥା ମୁଁ ଭୂଲିନାହିଁ।ସେ କାହିଁକି ଆସିଥିଲା ସେତିକି ହେଲେ ଜାଣିଥାନ୍ତି।
“ସେ ଯାଇଥିଲା ତୁମକୁ ସହାନୁଭୂତି ଜଣାଇବାକୁ।ପ୍ରକୃତରେ ବହୁତ ଖୋଜାଖୋଜି କରି ତୁମ ଖବର ସଂଗ୍ରହ କରିଥିଲା।ତା ନିଜର ପରୀକ୍ଷା ଫଳ ପାଇଁ ତା’ର ଦୁଃଖ ନଥିଲା ତୁମପାଇଁ ତା’ମନ ବହୁତ କଷ୍ଟ ହୋଇଥିଲା।”
“ତୁମେ କିପରି ଜାଣିଲ?”
“ଫେର୍ ସେଇକଥା।କିପରି ଜାଣିଲ।ତୁମେ ଗଳ୍ପ ଉପନ୍ୟାସରେ ଏତେ ଚରିତ୍ରର ମନ କଥା ଲେଖି ପାରୁଚ।ମୁଁ ଗୋଟାଏ ଚରିତ୍ର ବିଷୟରେ ଧାରଣା କରି ପାରିବି ନାହିଁ।”
“ମୁଁ କହିଲି,କେତେଟା ବାଜିଲା।”
“ସାଢ଼େ ସାତ!”
“ଆମେ ତ ଗପରେ ମାତିଲେ।ଯିବା କେତେ ବେଳେ?”
“ଆମେ ନୁହେଁ, ତୁମେ।ମନୋରମା କଥା କହିବାକୁ ଯାଇ ତୁମେ ଆତ୍ମହରା ହୋଇଗଲ।ମୋର କିଛି ଦୋଷ ନାହିଁ। ମତେ ଶୁଣିବାକୁ ଭଲ ଲାଗୁଥିଲା।ମୁଁ ଶୁଣୁଥିଲି।”“ସତରେ ମନ ଭିତରେ ସେଇ ମନୋରମାର ସ୍ମୃତି ଅମର ହୋଇ ରହିଯାଇଛି କି କଣ?କେତେ କଥାତ ଭୁଲିଗଲିଣି।ତା କଥା ଭୁଲି ନାହିଁ।ହଉ ଚାଲ, ଏଥର ଯିବା।”
ମୁଁ ଉଠି ଠିଆ ହେଲି।
“ଟିକିଏ ସେ ବସ କହି ଗୋପାଳ ଡାକିଲା,‘ହଇହେ ଶୁଣୁଚ!କଣ ହେଲା ତୁମର ଚା।”
ଠିକ୍ ସେଇ ସମୟରେ ଟ୍ରେରେ ଜଳଖିଆ ଧରି ପ୍ରବେଶ କଲେ,ଜଣେ ମହିଳା।ସାମାନ୍ୟ ପୃଥୁଳା,ବୟସ ଚାଳିଶିରୁ ଉର୍ଦ୍ଧ୍ବ।ମୁଖରେ,ବେଶରେ ବୟସୋଚିତ ସଂକେତ।ଅଳ୍ପ ହସି ମତେ ନମସ୍କାର କଲେ।
ମୁଁ ପ୍ରତି ନମସ୍କାର କଲାବେଳେହିଁ ତାଙ୍କ ମୁହଁରୁ ଦେଖିଲି।
ସେ ଟେବୁଲ୍ ଉପରେ ଟ୍ରେଟିକୁ ରଖି ପୁଣି ଘର ଭିତରକୁ ଚାଲିଗଲେ,‘ମୁଁ ଆସୁଚି କହି।’
ମୁଁ କହିଲି,‘ଗୋପାଳ,ମୋର ମନେ ହେଉଚି ମୁଁ ତାଙ୍କୁ କେଉଁଠି ଦେଖିଚି’,‘ନାଁ,ମ’ଗୋପାଳ କହିଲା।
“ହଁ ମତେ ଦୋ ଦୋ ଚିହ୍ନା ଜଣାଯାଉଚି।”
ଗୋପାଳ ସେଇଠି ଥାଇ ପାଟି କରି କହିଲା,‘ହଇହେ, ଶୁଣୁଚ!ଶିଶିର ବାବୁ କହିଛନ୍ତି, ସେ ତୁମଙ୍କୁ ଆଗରୁ କେଉଁଠି ଦେଖିଛନ୍ତି। ଇଆଡ଼େ ଟିକିଏ ଆସିଲ’
ଭଦ୍ରମହିଳା ପୁନଃ ପ୍ରବେଶ କଲେ। ଗୋପାଳ ଠିଆହୋଇ କହିଳା,“ପରିଚୟ କରେଇ ଦିଏ ସେ ଶ୍ରୀମତୀ ପଟ୍ଟନାୟକ। ମାଇଁ ମିସେସ୍।ଆଉ ଇଏ…”
ଏକ ଆକସ୍ମିକ ଉତ୍ତେଜନାରେ ମୁଁ ସୋଫାରୁ ଉଠିପଡ଼ି ଭଦ୍ର ମହିଳାଙ୍କର ହାତ ଦୁଇଟିକୁ ଧରି ପକାଇ କହି ଉଠିଲି, “ମନୋରମା!”
ବୋକାଙ୍କ ଭଳି ମୁଁ ଗୋପାଳକୁ ଚାହିଁଲି।ଗୋପାଳ ହସ ଚାପିବାକୁ ଚେଷ୍ଟା କରି ପାରୁନଥିଲା।
ମନୋରମାଙ୍କୁ ଚାହିଁଲି।ସେ ସାମାନ୍ୟ ମଧୁର ସ୍ମିତ ହାସ୍ୟ ଫୁଟାଇ କହିଲେ,“ବସନ୍ତୁ”।
୩।୧୦।୭୬