“ମୋର ବର୍ତ୍ତମାନ ବୟସ ପଚାଶ ବର୍ଷ ମୋ ନାତିକି ଦୁଇ ବର୍ଷ ହେଲାଣି।ମୋର କାନ ପାଖରେ ବାଳ ସବୁ ପାଚିଗଲାଣି”ବେଳେବେଳେ ଛାତି ଭିତରେ ଯନ୍ତ୍ରଣା ହେଉଥିବାରୁ ମୁଁ ହାର୍ଟଡିଜିଜ୍ ବୋଲି ସନ୍ଦେହ କରୁଛି।ମୋ ସ୍ବାମୀ ଶୀବାଚାର୍ଯ୍ୟଙ୍କ ଠାରୁ ଦୀକ୍ଷା ଗ୍ରହଣ କରି ସଂସାରର ମାୟା ମୋହରୁ ମୁକ୍ତି ପାଇବାକୁ ସାଧନା କରୁଛି।ତଥାପି ସେହି ଆଗାମୀ ରବିବାର ଯେତିକି ନିକଟତର ହେଉଥିଲା ମୋର ହୃଦୟ ସେତିକି ବେଶୀ ବେଶୀ ଆବେଗରେ କଲ୍ଲୋଳିତ ହେଉଥିଲା।୨୭ବର୍ଷ ତଳର ଦିନଗୁଡ଼ିକର ବିବର୍ଣ୍ଣ ସ୍ମୃତି ମନ ଭିତରକୁ ବାରମ୍ବାର ଆସୁଥିଲା।ଏପରିକି ଶନିବାର ରାତିରେ ମୁଁ ମନୋରମା ଘରକୁ ଯାଇଥିବାର ସ୍ବପ୍ନ ବି ଦେଖିଲି।
ରବିବାର ୫ଟା ବେଳକୁ ଗୋପାଳ ଆସି ମୋତେ ତା’କାର୍ରେ ନେଇଗଲା।ପ୍ରଥମେ ତା’ଘରକୁ ଯାଇ ଚା’ପାନ ଶେଷ କରି ମନୋରମା ଘରକୁ ଯିବା କଥା ଆଗରୁ ସ୍ଥିରୀକୃତ ହୋଇଥିଲା।ମୋର ଇଚ୍ଛା ହେଉଥିଲା ପ୍ରସ୍ତାବରେ ଟିକିଏ ଏପଟ ସେପଟ କରିଦେବାକୁ।ଅର୍ଥାତ୍ ପ୍ରଥମେ ମନୋରମା ଘରକୁ ଯାଇ ଫେରିବା ବେଳେ ଗୋପାଳ ଘରକୁ ଯିବାକୁ କିନ୍ତୁ ଗୋପାଳ ପାଖରେ ସେ ପ୍ରସ୍ତାବ ଉପସ୍ଥାପିତ କରିପାରିଲି ନାହିଁ ।
ଗୋପାଳର ସରକାରୀ ବଙ୍ଗଳା।ଗୋପାଳ ମୋତେ ଡ୍ରଇଂରୁମ୍ ଭିତରେ ବସାଇଦେଇ ଭିତରକୁ ଗଲା।ତାପରେ ପରେ ତା’ର ପୁଅ ଝିଅମାନେ ଆସି ମୋତେ ନମସ୍କାର କଲେ।ମୁଁ ସେମାନଙ୍କର ନାମ ପଚାରିଲି।ଡାକ ନାମ କ’ଣ ବୋଲି ପ୍ରଶ୍ନ କଲି କିଏ କ’ଣ କରୁଛି ବୋଲି ଜିଜ୍ଞାସା କଲେ।ବଡ଼ଝିଅକୁ କଲେଜରେ କେଉଁ ସବ୍ଜେକ୍ଟ ଭଲ ଲାଗୁଛି ସାନଝିଅକୁ “ଅଙ୍କରେ କେତେ ନମ୍ବର ରଖିଲ”,ଏପରି ନାନା ପ୍ରକାର ଅନାବଶ୍ୟକ ପ୍ରଶ୍ନ ପଚାରିଲି,ପୁଅକୁ ଟିକିଏ ଆଦର କଲି।କିନ୍ତୁ ପ୍ରକୃତରେ ଏସବୁରେ ମୋର ଆଗ୍ରହ ବା ଆନ୍ତରିକତା ନଥିଲା।ଅଦୁରବର୍ତ୍ତୀ ସେହି ଇପ୍ସିତ ମୁହୁର୍ତ୍ତଟିର ପ୍ରବଳ ଆକର୍ଷଣ ଲାଗି ମୋତେ ଯାହା ଅନ୍ୟ ଅବସ୍ଥାରେ ବହୁତ ଭଲ ଲାଗିଥାନ୍ତା,ଏଇ ମୁହୂର୍ତ୍ତରେ ତାହା ସବୁ ଭଲ ଲାଗିନଥିଲା।
ପିଲାମାନେ ଚାଲିଗଲେ।
ଗୋପାଳ ଫେରିଆସି ସୋଫାରେ ମୋ ପାଖରେ ବସିଲା।କହିଲା,“ଶ୍ରିମତୀ ବାଥ୍ରୁମ୍ରେ,ଏକାଥରକେ ଚା’ଫା’ଧରି ଆସିବେ,ତେଣୁ ଟିକିଏ ଅପେକ୍ଷା କର।”“ଆମର ତେଣେ ଯିବା ଡେରିହେବ ନାହିଁତ।”ଗୋପାଳ ହସିଲା କହିଲା,“ନା’ବନ୍ଧୁ,ମିଳନ ମୁହୂର୍ତ୍ତ ଗଡ଼ିଯିବ ନାହିଁ।ବ୍ୟସ୍ତ କାହିଁକି?“ନା ନା ମୁଁ ବ୍ୟସ୍ତ ନୁହେଁ।”ଗୋପାଳ କଥାର ମୋଡ଼ ବଦଳାଇ ହଠାତ୍ ପ୍ରଶ୍ନ କଲା“ଆଚ୍ଛା ଶିଶିର,ମନୋରମାକୁ ତୁମେ ସତରେ ଭଲ ପାଉଥିଲ?”
ମୁଁ କହିଲି,“ସତ ମିଛ ପ୍ରଶ୍ନ କାହିଁକି କରୁଛ?ଗୋଟାଏ ସତ ଭଲ ପାଇବା ଓ ଗୋଟାଏ ମିଛ ଭଲ ପାଇବା ଅଛିକି?ନା’ ତୁମେ ଭଲ ପାଉଥିଲ ମୁଁ ଜାଣେଯେ।ପୁରୀ କଲେଜରେ ସେହି ଦିନଗୁଡ଼ିକ ଏବେ ମଧ୍ୟ ମୋ ସ୍ମୃତିରେ ଅମଳିନ ହୋଇ ରହିଛି।”“ମୋର ମଧ୍ୟ”
“ଆଚ୍ଛା ମନେ ପକେଇ କହିଲ,ତୁମର ମନୋରମା ସହିତ କିପରି ପ୍ରଥମେ ଆଳାପ ହେଲା?”ମୁଁ ମନେ ମନେ ସ୍ମୃତିଚାରଣ କଲି।
ଆମର ସେତେବେଳେ ସକାଳୁଆ କଲେଜ ହେଉଥାଏ।ମନୋରମା ରହୁଥାଏ ହେରାଗୋହିରୀ ସାହିରେ,ମୁଁ ରହୁଥାଏ ନୂଆ ସାହିରେ।ଦତ୍ତତୋଟା ସେତେବେଳେ ପ୍ରକୃତରେ ତୋଟାହିଁ ଥିଲା।ଘରଦ୍ବାର କିଛି ନଥିଲା,ସେହି ତୋଟା ଭିତର ଦେଇ ଆମେମାନେ କଲେଜକୁ ଯିବାଆସିବା କରୁ।ସବୁଦିନ ମୁଁ ଇଚ୍ଛାକରି ମନୋରମାର ପଛେ ପଛେ ଆସେ,ମନୋରମା ସହିତ ଅନେକ ସମୟରେ ତା’ସଙ୍ଗିନୀମାନେ ଥାଆନ୍ତି।ବେଳେବେଳେ ସେ ଏକାବି ଆସେ।ମୁଁ ଏବଂ ମୋର ବନ୍ଧୁମାନେ ଯେଉଁମାନଙ୍କ ଭିତରେ ଏହି ଗୋପାଳବି ଅନେକ ସମୟରେ ଥାଏ,ଗପ କରି କରି ଆସୁ,ଆମେ କଥା କହୁଥାଉ-ନା ଅନ୍ୟମାନଙ୍କ କଥା କାହିଁକି କହିବି,ନିଜ କଥା ହିଁ କହେ।ମୁଁ ଯାହା କହୁଥାଏ ପାଟିକରି,ଯେପରି ଏହା ମନୋରମାକୁ ଶୁଣାଯିବ।
କ’ଣ ସେ କଥା?
କେଉଁ ସାର୍ଙ୍କ ଟିଚିଙ୍ଗ୍ ମେଥଡ଼୍ ଉପରେ ଲଘୁ କମେଣ୍ଟ ତ କେଉଁ ସିନେମା ଉପରେ ଆଲୋଚନା,କିମ୍ବା ସାହିତ୍ୟ ସମ୍ପର୍କରେ ଭାରି ଭାରି କଥା।
ଏବେବି ମୋର ମନେଅଛି,ମୋର ପ୍ରତିଟି କଥାରେ ଆଚରଣରେ ମନୋରମାର ଦୃଷ୍ଟି ଆକର୍ଷଣ କରିବାପାଇଁ ମୁଁ ଏକ ଗଭୀର ଚେଷ୍ଟାହିଁ କରିଚାଲିଥାଏ।
ମୁଁ ପ୍ରଥମେ ଆଇ.ଏସ୍.ସି ରେ ନାମ ଲେଖାଇଥିଲି।କିନ୍ତୁ ସାଇନ୍ସ ସହିତ ମୋର ସଦ୍ଭାବ ହୋଇପାରିଲା ନାହିଁ।ମୁଁ ସେତିକିବେଳକୁ କବିତା,ଗଳ୍ପ,ଏକାଙ୍କିକାର ଚକ୍ରବ୍ୟୁହ ରଚନା କରିବାରେ ଲାଗିପଡ଼ିଥାଏ।ସେତିକିବେଳେ ଲାଇବ୍ରେରୀରେ ପ୍ରଥମ ଦେଖା ମନୋରମା ସହିତ।ପ୍ରଥମ ଦେଖାରେହିଁ ମୁଁ ପ୍ରେମରେ ପଡ଼ିଗଲି।ନିପଟ ମଫସଲ ର ସ୍କୁଲରୁ ଆସିଥିବା ଛାତ୍ର ମୁଁ ,“କଲେଜ୍ଗାର୍ଲ”ଶବ୍ଦ ଆଗରୁ ଜାଣିଥିଲି ଗଳ୍ପ ଉପନ୍ୟାସ ମାଧ୍ୟମରେ।କିନ୍ତୁ ବାସ୍ତବରେ କଲେଜଗାର୍ଲ ଦେଖିବା ମୋର ପ୍ରଥମ କଲେଜରେ ନାମ ଲେଖାଇବା ପରେ।ସେମାନଙ୍କୁ ମୁଁ ଦେଖୁଥାଏ ବିସ୍ମୟ ବିସ୍ପାରିତ ନୟନରେ ।ଲାଇବ୍ରେରୀରେ ମନୋରମା ସହିତ ଦେଖା।ପ୍ରଥମଥର ପାଇଁ ତା’ର ଆଖି ସହିତ ମୋର ଆଖି ମିଳିଗଲା ସେଇଠି ଅକସ୍ମାତ୍ ସେ ଆଖି ଫେରାଇନେଲା।ମୁଁ ସେତିକିରେ ବିହ୍ବଳ ହୋଇଯାଇଥିଲି।ମୁଁ ତାକୁ ବାରମ୍ବାର ଚାହିଁଲି।କିନ୍ତୁ ସେ ଆଉ ମୋତେ ଫେରି ଚାହିଁଲା ନାହିଁ।ସେ ଲାଇବ୍ରେରୀରୁ ତାର କାର୍ଡ ନେଇ ଚାଲିଗଲା।ଲାଇବ୍ରେରୀୟାନ ସହିତ ତା’ର କଥାବାର୍ତ୍ତାରୁ ଜାଣିଲି ତା’ର ନାଁ ମନୋରମା ମହାନ୍ତି।ପ୍ରଥମ ବାର୍ଷିକ କଳା ଶ୍ରେଣୀର ଛାତ୍ରୀ ସେ।ତାର ରୋଲ୍ ନମ୍ବର ୧୦୮।
ତା ପରେ।ମୁଁ ବାରମ୍ବାର ତାର ନାମ ସ୍ମରଣ କଲି।ତାର ରୋଲ୍ ନମ୍ବରକୁ ମନେ ମନେ ଆବୃତ୍ତିକଲି।ତା ସହିତ ସେଇ ପ୍ରଥମ ଦୃଷ୍ଟି ବିନିମୟର ସ୍ମୃତିକୁ ଅତି ଯତ୍ନର ସହିତ ନିଭୃତ ଅନ୍ତର ଭିତରେ ଲାଳନ କଲି।
ପ୍ରିନ୍ସପାଲ୍ଙ୍କୁ ଅନୁରୋଧ କଲି,ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଠାରୁ ଅନୁମତି ନେଇ ଏବଂ ମୋର ବାପାଙ୍କର ଉପଦେଶକୁ ଅଗ୍ରାହ୍ୟକରି ମୁଁ ସାଇନ୍ସରୁ ଆର୍ଟସ୍କୁ ବଦଳ କରିଦେଲି।ସେତେବେଳେ ମୋର ଯୁକ୍ତି ଥିଲା, ବିଜ୍ଞାନ ମୋ ପାଇଁ ଗୋଟାଏ ଶୁଷ୍କ ବିଦ୍ୟା। ସାହିତ୍ୟ ଓ କଳା ବିନା ମୋ ଜୀବନ ନିରର୍ଥକ ହୋଇଯିବ।ମୁଁ କଳାକାର ହେବି ମୁଁ ସ୍ରଷ୍ଟା। ବୈଜ୍ଞାନିକ ହେବା ମୋର ଲକ୍ଷ୍ୟ ନୁହେଁ।
କିନ୍ତୁ ଆଜି ଭାବୁଚି,ସେଇ ପରିବର୍ତ୍ତନ ପଛରେ କଣ ମନୋରମା ପ୍ରତି ମୋର ଆକର୍ଷଣ ଥିଲା କି?
କ୍ଲାସ୍ରେ ଝିଅମାନେ ସାମନାରେ ଆଡୁଆ ହୋଇ ପଡ଼ିଥିବା ବେଞ୍ଚ୍ ମାନଙ୍କରେ ବସନ୍ତି।ମୁଁ ଆଗ ଧାଡ଼ିରେ ବସେ ସେମାନଙ୍କୁ ସ୍ପଷ୍ଟ ଭାବରେ ଦେଖି ପାରିବାଭଳି,ବିଶେଷ କରି ମନୋରମାକୁ ଦେଖି ପାରିବା ଭଳି।ସବୁ ଝିଅଙ୍କ ଭିତରେ ମନୋରମା ସୁନ୍ଦରୀ ଥିଲା।କିନ୍ତୁ ମୋର ସେତେବେଳେ ମନେ ହେଉଥିଲା, ତା ପରି ସୁନ୍ଦରୀ ଆଉ ବିଶ୍ବବ୍ରହ୍ମାଣ୍ଡରେ ନାହାନ୍ତି।
ମୁଁ ତା ସହିତ ଆଳାପ କରିବାକୁ ସୁଯୋଗ ଖୋଜୁଥାଏ।
ସ୍ମୃତି ଚାରଣ ଶେଷ କରି ମୁଁ କହିଲି,“ଦିନେ କ୍ଲାସ୍ରେ ମୁଁ ଦେଖିଲି ମନୋରମା ପାଖରେ ଶରତ ଚାଟର୍ଜିଙ୍କର ‘ପରିଣୀତା’ବହିଟି ଅଛି।ଭାବିଲି ତାକୁ ବହିଟା ମାଗିବି।ବହିଟା ମାଗିବା ଅବକାଶରେ ତା ସହିତ ଆଳାପ ହେବ।ମୁଁ ବଙ୍ଗଳା ପଢ଼ିପାରେ ଏକଥା ବି ସେ ଜାଣିପାରିବ।ତେଣୁ ମୋ ପ୍ରତି ତାର ଉଚ୍ଚ ଧାରଣା ହେବ।”
ଆମେ ତ ଦତ୍ତତୋଟା ଦେଇ ଆସୁ।
ସେ ଦିନ ସେ ଏକା ଆସୁଥାଏ।ତା ପଛେ ପଛେ ମୁଁ ଆସିଲି।ମୁଁ ବି ଏକା।
ବହୁତ ଅର୍ନ୍ତଦ୍ବନ୍ଦ୍ବ,ବହୁତ ସଂକୋଚ,ବହୁତ ଭୟର ବିଘ୍ନ କାଟି ତା ପାଖକୁ ଲାଗିଆସି କହିଲି,ପରିଣୀତା ବହିଟି ମତେ ଟିକିଏ ଦେଇ ପାରିବେ?ମୁଁ କାଲି ଫେରାଇ ଦେବି।”
ଏତିକି କଥା କହିବାକୁ ମୁଁ ମନେ ମନେ ଆଗରୁ ରିହାରସଲ୍ କରିଥିଲି।କିନ୍ତୁ କହିବା ବେଳେ ମୋର ଗଳା ଶୁଖିଯାଉଥିଲା।ମୁଁ ସେଇ କଥାତକ ସ୍ପଷ୍ଟ ଭାବରେ କହିଚି କି ନା ଜାଣେନା।
ମନୋରମା ମତେ ଚାହିଁଲା।
ଏହା ତା ସହିତ ମୋର ଦ୍ବିତୀୟବାର ଚକ୍ଷୁ ବିନିମୟ।ଆଗରୁ ଥରେ ଲାଇବ୍ରେରୀରେ ହୋଇଥିଲା।ମୋ ଅନ୍ତର ଭିତରେ ଏକ ଶୀହରଣ ଅନୁଭବ କଲି।ସେ କିଛି କଥା ନ କହି ବହିଟି ବଢ଼ାଇ ଦେଲା।
‘ତା ପରଦିନ‘ବହୁତ ଧନ୍ୟବାଦ’କହି ବହିଟି ଫେରାଇ ଥିଲା ନା?
“ତୁମେ କିପରି ଜାଣିଲ?”
“ଜାଣିବା କଣ କଷ୍ଟ କଥା!ତାହାହିଁ ତ ସ୍ବାଭାବିକ।”
“ମନୋରମାଠାରୁ ପଦେ କଥା ଶୁଣିବାପାଇଁ ମୁଁ ଆଉ ଦୁଇଚାରି ପଦ କଥା ବି କହିଥିଲି।‘ପରିଣୀତା’ବହିଟି ମତେ ବହୁତ ଭଲ ଲାଗିଲା।ଆପଣଙ୍କୁ କିପରି ଲାଗିଲା?‘ଶରତ ଚାଟାର୍ଜିଙ୍କର’ଅନ୍ୟ କିଛି ବହି ପଢ଼ିଛନ୍ତି କି ନାହିଁ?ମୋ ପାଖରେ‘ଦତ୍ତା’ଅଛି।ଜଣେ ବନ୍ଧୁ ପଢ଼ିବାକୁ ନେଇଛନ୍ତି।ମୁଁ ଦୁଇ ଦିନ ପରେ ଦେବି।”ମନୋରମା ବେଶୀ କଥା କହି ନଥିଲା।‘ହଁ ନାଁ’ ‘ହଉ’ବୋଧହୁଏ ଏପରି କେତୋଟି ଶବ୍ଦରେ ତାର ଉତ୍ତର ସମାହିତ ହୋଇଥିଲା।କିନ୍ତୁ ତା କଣ୍ଠର ସେତିକି ଭାଷା ମୋ ପାଇଁ ଥିଲା ଦୁର୍ଲଭ ଆନନ୍ଦର ଉତ୍ସ।
“ସେ ଦିନ ଏକ ଦୁର୍ଗ ବିଜେତାର ଆତ୍ମାଭିମାନରେ ମୋର ହୃଦୟ ଫୁଲି ଉଠିଥିଲା।”
“ଆଉ ତମେ ସେଥିପାଇଁ ଅନେକ ପ୍ରେମ କବିତା ବି ଲେଖି ପକାଇଥିଲା।”
“ତୁମେ କିପରି ଜାଣିଲ?”
“କିପରି ଜାଣିଲି ମାନେ?ଭୁଲି ଗଲଣି ନା କଣ।ତୁମର ସବୁ କବିତା ଓ ଗଳ୍ପର ମୁଁ ପ୍ରଥମ ପାଠକ ଥିଲି ନା।ଆଚ୍ଛା ତୁମର ମନୋରମା ସହିତ ପ୍ରଥମ ପ୍ରେମ ହେଲା କେବେ?”
“ପ୍ରେମ ସତ!କହୁଚି,ମନୋରମାର ଅନ୍ତରରେ ମୁଁ କେତେ ଦୂର ରେଖାପାତ କରିଥିଲି ମୁଁ ଜାଣେନା।ମୁଁ ତାକୁ ମନେ ମନେ ବହୁତ ଭଲ ପାଉଥିଲି ଏବଂ ସେ ମଧ୍ୟ ମତେ ଭଲପାଏ ବୋଲି କଳ୍ପନା କରି ଆନନ୍ଦ ପାଉଥିଲି।ଅସଂଖ୍ୟ ଗଳ୍ପ କବିତା ଭିତର ଦେଇ ସେଇ କଳ୍ପନାକୁ ରୂପ ଦେଉଥିଲି।ତେବେ ସେ ମତେ ଟିକିଏ ରିଗାର୍ଡ କରୁଥିଲା,ମୁଁ ଜାଣେ।”
“କିପରି ଜାଣିଲ?”
“ତୁମର ମନେଅଛି,ପ୍ରଥମ ବର୍ଷର ହାଫ୍ଇୟରଲି ପରୀକ୍ଷା ପରେ ଅଧ୍ୟାପକ ମିଶ୍ର ଫାଷ୍ଟ ପେପର୍ ସାହିତ୍ୟ ଖାତା ଗୁଡ଼ିକ ଫେରାଇ ଦେଲେ କେବଳ ମୋ ଖାତାଟି ଛାଡ଼ି।ତା ପରଦିନ ସେ କ୍ଲାସ୍ରେ ପଢ଼ା ଆରମ୍ଭ କରିବା ପୂର୍ବରୁ ମୋ ପରୀକ୍ଷା ଖାତାରୁ କେତେ ଗୁଡ଼ିଏ ଉତ୍ତର ପଢ଼ି ଶୁଣାଇଲେ।”
“ଠିକ୍ ମନେ ଅଛି।ତାପରେ ସେ ତୁମକୁ ଡାୟାସ୍ ଉପରକୁ ଡାକିଲେ,ତୁମକୁ ପ୍ରଶଂସା କଲେ,ସେ ତୁମକୁ ହାଇଏଷ୍ଟ ନମ୍ବର ଦେଇଥିଲେ।”
“ଦେଖୁଛି ଠିକ୍ ମନେ ରଖିଛ,ସେଦିନ କ୍ଲାସ୍ରୁ ବାହାରିଆସିବା ପରେ ମନୋରମା ମୋ ଠାରୁ ଖାତାଟି ମାଗିନେଇଥିଲା।”
“ତୁମେ ମଧ୍ୟ ତାଠାରୁ ଖାତାଟି ମାଗିନେଇଥିଲନା ”
“କିପରି ମନେ ନ ରଖିବି!ତୁମଠାରୁ ସେ କଥା ଶୁଣିଲା ପରେ ମୁଁ ପରା ମନେ ମନେ ଇର୍ଷାରେ ଜଳିଯାଉଥିଲି।ଆହୁରି ଯାହା ମନେଅଛି ମୁଁ କହିବି?”
“କଣ?”
“ତୁମେ ମନୋରମାର ପରୀକ୍ଷା ଖାତାରେ ଗୋଟିଏ ପ୍ରେମ କବିତା ଲେଖି ତାକୁ ଫେରାଇ ଦେଇଥିଲ।”ମୁଁ ଚମକି ପଡ଼ିଲି।
“ତୁମେ କିପରି ଜାଣିଲ?ଏକଥା ତ ମୁଁ ତୁମକୁ କଦାପି କହି ନଥିବି।”
“ମତେ ନ କହିଥିଲେ ଆଉ କାହାକୁ କହିଥିବ କିମ୍ବା ଆଉ କେହି ଜାଣିଥିଲେ ମୋତେ କହିଥିବ କିନ୍ତୁ ମୁଁ ଜାଣେ। ସେକଥା ଥାଉ ତୁମର ଅସଲ ପ୍ରେମ କେବେ ହେଲା କହନା।”“କହିଲି ପରା ମନୋରମାର ମନକଥା ମୁଁ କେବେ ଜାଣିନି। ତେବେ ତା’ସହିତ ପରିଚୟ ଘନିଷ୍ଠ ହେବାକୁ ଆରମ୍ଭ କଲା ସେକେଣ୍ଡ୍ଇୟରରେ।କଲେଜ ଆନୁଆଲ୍ ଡେ ରେ ଗଳ୍ପ କବିତା ଏକାଙ୍କିକା ସବୁ ବିଷୟରେ ଘନ ଘନ କରତାଳି ଭିତରେ ପ୍ରଥମ ପୁରସ୍କାର ପାଇ ବିଜୟୋଲ୍ଲାସରେ ଡାୟସ୍ରୁ ଓହ୍ଲାଇ ଆସୁଥିବା ବେଳେ ମନୋରମା କହିଲା,କ’ଣ ସବୁତକ ପୁରସ୍କାର ଆପଣ ଏକା ନେଇଗଲେ।”